ଅପରାଧ

ଛାତ୍ରୀଙ୍କୁ କରୁଥିଲେ ଅସଦାଚରଣ, ବିରୋଧ କରିବାରୁ ଛାତ୍ରଙ୍କ ହାତକୁ କାମୁଡ଼ିଦେଲେ

ଖୋର୍ଦ୍ଧା: କଲେଜରେ ଅଧ୍ୟାପକଙ୍କ ଦାଦାଗିରି । ଜଣେ ଛାତ୍ରଙ୍କ ହାତକୁ କାମୁଡି କଲେ ରକ୍ତାକ୍ତ । ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ରମାମଣୀ ମହାବିଦ୍ୟାଳୟରେ ଘଟିଛି ଏହି ଅଭାବନୀୟ ଘଟଣା । ଜଣେ ଛାତ୍ରଙ୍କୁ କାମୁଡି ଲହୁ ଲୁହାଣ କରିଛନ୍ତି ଅଧ୍ୟାପକ ।

ଏହାକୁ ନେଇ କଲେଜ ପରିସରରେ ଉତ୍ତେଜନା ଦେଖାଦେଇଛି । ଶିକ୍ଷା ବିଭାଗର ଅଧ୍ୟାପକ ଆଶୁତୋଷ ମହାପାତ୍ର ଛାତ୍ରୀମାନଙ୍କୁ ଅଶ୍ଲୀଳ ବ୍ୟବହାର କରୁଥିବା ଅଭିଯୋଗ ହୋଇଛି । ଏନେଇ ଛାତ୍ରୀମାନେ କଲେଜ ଅଧ୍ୟକ୍ଷକଙ୍କୁ ବାରମ୍ବାର ଅଭିଯୋଗ କରିଛନ୍ତି । ମାତ୍ର ଦେଢ ମାସ ବିତିଯାଇଥିଲେ ସୁଦ୍ଧା ସଂପୃକ୍ତ ଅଧ୍ୟାପକଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିଲା ।

ଆଜି ଅଧ୍ୟାପକ କଲେଜ ଆସିଥିବାରୁ ଛାତ୍ରଛାତ୍ରୀମାନେ ତାଙ୍କୁ ବିରୋଧ କରିଥିଲେ । ଯାହାଫଳରେ ଅଧ୍ୟାପକ ଜଣଙ୍କ ଜଣେ ଛାତ୍ରର ଆଙ୍ଗୁଠିକୁ କାମୁଡି ରକ୍ତାକ୍ତ କରିଦେବାରୁ ଉତ୍ତେଜନା ଦେଖାଦେଇଥିଲା । ଉତ୍ତ୍ୟକ୍ତ ଛାତ୍ରଛାତ୍ରୀ ଅଧ୍ୟାପକଙ୍କ ଗାଡିକୁ ଭଙ୍ଗାରୁଜା କରିଥିଲେ । ଏବେ କଲେଜରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ଲାଗି ରହିଛି । ସେପଟେ ଖବର ପାଇ ବେଗୁନିଆ ପୋଲିସ ପହଞ୍ଚି ଛାତ୍ରଛାତ୍ରୀଙ୍କଠୁ ସମସ୍ତ ଅଭିଯୋଗ ଶୁଣିବା ପରେ ସଂପୃକ୍ତ ଅଧ୍ୟାପକଙ୍କୁ ଗିରଫ କରିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top