ଅପରାଧ

ଆତ୍ମହତ୍ୟା ପରେ ଆକ୍ସନ ? ଝାରପୋଖରିଆ ଆଇଆଇସି ନିଲମ୍ବିତ

ମୟୂରଭଞ୍ଜ: ଅଧ୍ୟାପିକାଙ୍କୁ ଦୁଷ୍କର୍ମ ପରେ ନ୍ୟାୟ ନପାଇ ଆତ୍ମହତ୍ୟା କରିବା ଘଟଣା ଏବେ ସାରା ରାଜ୍ୟରେ ଚହଳ ପକାଇଛି । ସେପଟେ ବାରମ୍ବାର ପୋଲିସକୁ ଅଭିଯୋଗ କରି ମଧ୍ୟ ହତାଶ ହେବା ପରେ ସେ ଏଭଳି ଚରମ ନିଷ୍ପତ୍ତି ନେଇଥିବା ଚର୍ଚ୍ଚା ହେଉଥିବା ବେଳେ ପୋଲିସ ପ୍ରଶାସନ ତତ୍ପରତା ପ୍ରକାଶ କରିଛି ।

ପୀଡ଼ିତାଙ୍କୁ ନ୍ୟାୟ ଦେବାରେ ବିଫଳ ହେବା ଏବଂ ପରେ ତତ୍ପରତା ପ୍ରକାଶ କରିବାକୁ ନେଇ ପୋଲିସ ପ୍ରଶାସନର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସେ ଯାହାହେଉ ଗତକାଲି ଏହି ମାମଲାରେ ଝାରପୋଖରିଆ ଏଏସଆଇଙ୍କୁ ଏସପି ସସପେଣ୍ଡ କରିଥିବା ବେଳେ ଆଜି ସେହି ଥାନାର ଆଇଆଇସି ଶରତ ମହାଳିକଙ୍କୁ ନିଲମ୍ବନ କରିଛନ୍ତି ଡିଜି । ଗତକାଲି ବଦଳି ଆଉ ଆଜି ନିଲମ୍ବନ । ଆଇଆଇସି ଏବଂ ଏଏସଆଇ ପୀଡ଼ିତାଙ୍କ ଅଭିଯୋଗ ନଶୁଣିବା ଏବଂ ତାଙ୍କୁ ନ୍ୟାୟ ନଦେବା ଏବଂ ପରେ ଏଥିରେ ଅତିଷ୍ଠ ପୀଡ଼ିତା ଆତ୍ମହତ୍ୟା କରିବା ଆଦି ଅଭିଯୋଗରେ ଏଭଳି ନିଷ୍ପତ୍ତି ନେଇଛନ୍ତି ପୋଲିସ ଡିଜି ।

ତେବେ  ଗତ କାଳୀପୂଜାରେ ଅଧ୍ୟାପିକାଙ୍କୁ ତାଙ୍କର ସମ୍ପର୍କୀୟ ଭାଇ ଦୁଷ୍କର୍ମ କରିଥିବା ବେଳେ ଏନେଇ ପୀଡିତା ଝାରପୋଖରିଆ ଥାନାରେ ଏତଲା କରିଥିଲେ ମଧ୍ୟ ଏଏସ୍‌ଆଇ ଏବଂ ଆଇଆଇସି ଏଥିପାଇଁ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିଲେ । ତେବେ ପୋଲିସ ଉପରୁ ଭରସା ଉଠିଯିବା ପରେ ରାଇରଙ୍ଗପୁରରେ କଲେଜ ହଷ୍ଟେଲ ଭିତରେ ଅଧ୍ୟାପିକା ଆତ୍ମହତ୍ୟା କରିଛନ୍ତି  । ତେବେ ଏହାକୁ ପ୍ରାଥମିକ ତଦନ୍ତରୁ ଏକ ଆତ୍ମହତ୍ୟା ବୋଲି କୁହାଯାଉଥିବା ବେଳେ ପରିବାର ଲୋକେ ଏହା ଏକ ସୁଚିନ୍ତିତ ହତ୍ୟା ବୋଲି ଅଭିଯୋଗ କରିଛନ୍ତି ।

 ଗୋଟିଏ ପଟେ ହାଇଦ୍ରାବାଦରେ ଗଣଦୁଷ୍କର୍ମ ଏବଂ ନିର୍ମମ ହତ୍ୟା ମାମଲାରେ ଜଣେ ନୀରିହ ମହିଳା ଭେଟରିନାରୀ ଡାକ୍ତରଙ୍କୁ ନ୍ୟାୟ ଦାବିରେ ସାରା ରାଜ୍ୟରେ ସ୍ୱର ଶାଣିତ ହେଉଥିବା ବେଳେ ରାଜ୍ୟରେ ବି ସମାନ ସ୍ଥିତି । ଏମିତି ମନେ ହେଉଛି ଯେପରି ମହିଳା ସୁରକ୍ଷା ସରକାରଙ୍କ ପାଇଁ କେବଳ ନିର୍ବାଚନୀ ବୈତରଣୀ ପାର ହେବାର ଏକ ନାରା । ନିର୍ବାଚନ ସରିଲେ ମହିଳା ସୁରକ୍ଷା ତ ଦୂରରେ ଥାଉ ମହିଳାଙ୍କ ଅଭିଯୋଗ ବି ଶୁଣିବାକୁ କେହି ନାହିଁ ।

ଏଭଳି ପରିସ୍ଥିତିରେ ଏବେ ଦେଶ ତଥା ରାଜ୍ୟର ମହିଳାମାନେ ନିଜ ସୁରକ୍ଷାକୁ ନେଇ ଚିନ୍ତାରେ । ଅନ୍ୟପଟେ ମୋ ସରକାର ନାରା ଆଉ ପୋଲିସ ପ୍ରଶାସନର ମିଛିମିଛିକା ଅଭିଯୋଗକାରୀଙ୍କ ସହ କଥାବର୍ତ୍ତା ସରକାରଙ୍କ ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ନ୍ୟାୟ ନପାଇ ଅଧ୍ୟାପିକା ଆତ୍ମହତ୍ୟା କରିବା ପରେ ପାେଲିସ ଅଧିକାରୀଙ୍କୁ କେବଳ ନିଲମ୍ବିତ କରି ରାଜ୍ୟବାସୀଙ୍କୁ ଆଶ୍ୱସ୍ତି ଦେବାକୁ ଚାହୁଁଛି କି ପୋଲିସ ପ୍ରଶାସନ ? କେବେ ଥମିବ ମହିଳା ନିର୍ଯାତନା ? କେବେ ଲୋକଙ୍କ ଭରସା ଜିତିବ ପୋଲିସ ? ଏଭଳି ଅନେକ ପ୍ରଶ୍ନ ଏବେ ରାଜ୍ୟବାସୀଙ୍କ ମନରେ ଉଙ୍କିମାରୁଛି  ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top