ଖେଳ

ବାର୍ସିଲୋନା ଛାଡି ପାରନ୍ତି ଲିଓନେଲ ମେସି, ସୋସିଆଲ ମିଡିଆରେ ଜୋର ଧରିଛି ଚର୍ଚ୍ଚା

ଅର୍ଗସ ବ୍ୟୁରୋ: ବାର୍ସିଲୋନା ସହ ଦୀର୍ଘ୨୦ ବର୍ଷର ସମ୍ପର୍କ କାଟିପାରନ୍ତି ଆଜେଣ୍ଟିନାର ଷ୍ଟାର ଫୁଟବଲ ଖେଳାଳି ଲିଓନେଲ୍ ମେସୀ । କ୍ଲବ ଛାଡ଼ିବା ନେଇ ସେ ଯୋଜନା କରିଥିବା ସୋସିଆଲ ମିଡିଆରେ ଜୋର ଚର୍ଚ୍ଚା ହେଉଛି । ଆଜି ସକାଳୁ ମେସି ବାର୍ସିଲୋନା ଫୁଟବଲ କ୍ଲବ ଛାଡି ଅନ୍ୟ କୌଣସି କ୍ଲବରେ ଯୋଗ ଦେଇପାରନ୍ତି ବୋଲି ବହୁ ଚର୍ଚ୍ଚା ହେଉଛି । ସ୍ପେନର କ୍ଲବ ବାର୍ସିଲୋନା ପାଇଁ ୨୦ ବର୍ଷର ଲମ୍ବା ଇନିଂସ ଖେଳିଥିବା ମେସି ବାର୍ସିଲୋନା ପକ୍ଷରୁ ୭୩୧ ଟି ମ୍ୟାଚ ଖେଳି ୬୩୪ ଟି ଗୋଲ ସ୍କୋର କରିଛନ୍ତି ।

କିଛିଦିନ ତଳେ ଲିସବନରେ ଅନୁଷ୍ଠିତ ଚାମ୍ପିଅନ୍ସ ଲିଗ୍ କ୍ୱାର୍ଟର ଫାଇନାଲରେ ବାଏର୍ଣ୍ଣ ମୁନିଚ ନିକଟରୁ ମେସୀଙ୍କ ନେତୃତ୍ୱାଧୀନ ବାର୍ସିଲୋନା କ୍ଲବ ୮-୨ରେ ଲଜ୍ଜାଜନକ ପରାଜୟ ବରଣ କରିଥିଲା । ଏହାପରେ ମେସୀ ବାର୍ସିଲୋନା ଛାଡ଼ି ଅନ୍ୟ କୌଣସି କ୍ଲବରେ ଖେଳା ପାରନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହୋଇଥିଲା ।

୨୦୨୧ ଯାଏଁ ବାର୍ସିଲୋନା କ୍ଲବ ସହ ଚକ୍ତିବଦ୍ଧ ଅଛନ୍ତି ଲେଓନେଲ୍ ମେସୀ । ବାର୍ସିଲୋନା କ୍ଲବ ଛାଡି ଅନ୍ୟ ଦଳ ପାଇଁ ମେସି ଖେଳିବା ଖବରକୁ ବାର୍ସିଲୋନା କ୍ଲବର ସଭାପତି ଜୋସେପ ମାରିଆ ବାର୍ଟୋମେ ଖଣ୍ଡନ କରିବା ସହ ମେସି ବାର୍ସିଲୋନା ପାଇଁ ଖେଳିବା ଜାରି ରଖିବେ ବୋଲି କହିଥିଲେ । ମେସିଙ୍କୁ କିଣିବା ମଧ୍ୟ ଯେକୌଣସି ଦଳ ପାଇଁ ଏତେ ସହଜ ନୁହେଁ । ତାଙ୍କର ଟ୍ରାନ୍ସଫର ଫି ଆକାଶ ଛୁଆଁ । କୌଣସି ଟିମ୍ ତାଙ୍କୁ କିଣିବାକୁ ଚାହିଁଲେ ବାର୍ସିଲୋନା ଟିମକୁ ପାଖାପାଖି ୭ଶହ ମିଲିଅନ ୟୁରୋ ଅର୍ଥାତ୍ ୬୧୬୦ କୋଟି ଟଙ୍କା ଦେବାକୁ ପଡ଼ିବ ।

୧୩ ବର୍ଷ ବୟସରେ ବାର୍ସିଲୋନାର ୟୁଥ୍ ଏକାଡେମୀରେ ଯୋଗ ଦେଇଥିଲେ ମେସୀ । ୧୭ବର୍ଷ ବୟସରେ ୨୦୦୪ କ୍ଲବ ପାଇଁ ଡେବ୍ୟୁ କରିଥିଲେ । ତାଙ୍କ ନେତୃତ୍ୱରେ ବାର୍ସିଲୋନା ଚାରି ଥର ଚାମ୍ପିଅନ୍ସ ଲିଗ୍ ଜିତିଛି । ବାର୍ସିଲୋନା ଛାଡିବା ପରେ ମେସିଙ୍କୁ ନେବା ପାଇଁ ପି.ଏସ.ଜି, ମାଂଚେଷ୍ଟର ୟୁନାଇଟେଡ ଏବଂ ଇଣ୍ଟର ମିଲାନ ପ୍ରମୁଖ ଦାବିଦାର ବୋଲି କୁହାଯାଉଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top