ଦେଶ

ମହା ଶିବରାତ୍ରୀ ଅବସରରେ ପାକିସ୍ତାନର ଏହି ଶିବ ମନ୍ଦିରରେ ଗୁଞ୍ଜେ ଓଁ ନମଃ ଶିବାୟ…

ନୂଆଦିଲ୍ଲୀ : ଦେବାଧିଦେବ ମହାଦେବଙ୍କ ପ୍ରମୁଖ ପର୍ବ ହେଉଛି ମହା ଶିବରାତ୍ରୀ । ଫାଲଗୁନ ମାସର ଶିବରାତ୍ରୀକୁ ମହା ଶିବରାତ୍ରୀ କୁହାଯାଏ। ଏହି ଦିନ ଶିବ ଭକ୍ତମାନେ ଦୂର ଦୂରାନ୍ତରୁ ଆସି ଶୈବ ପୀଠ ଗୁଡିକରେ ପୂଜାର୍ଚ୍ଚନା କରିଥାନ୍ତି। ତେବେ ଶିବଙ୍କ ପ୍ରତି ଏଭଳି ଆସ୍ଥା, ସମର୍ପଣ ଭାବ କେବଳ ଭାରତରେ ସୀମିତ ନାହିଁ ପଡ଼ୋଶୀ ରାଷ୍ଟ୍ର ପାକିସ୍ତାନରେ ଏହାର ଝଲକ ଦେଖିବାକୁ ମିଳେ।

ପାକିସ୍ତାନରେ ବହୁ ହିନ୍ଦୁ ମନ୍ଦିର ରହିଛି। ସେମାନଙ୍କ ମଧ୍ୟରୁ କଟସରାଜ ମନ୍ଦିରର ପୁରାଣରେ ଏକ ସ୍ଵତନ୍ତ୍ର ଇତିହାସ ରହିଛି। କଟସରାଜର ଏହି ଶିବ ମନ୍ଦିର ପାକିସ୍ତାନର ଚକବାଲ ଗ୍ରାମରୁ ପାଖାପାଖି ୪୦ କିମି ଦୂରରେ କଟସ ନାମକ ସ୍ଥାନରେ ଏକ ପାହାଡ଼ ଉପରେ ଅବସ୍ଥିତ। ଏହି ଐତିହାସିକ ମନ୍ଦିର ପ୍ରାୟ ୯୦୦ ବର୍ଷ ପୁରୁଣା। ପାକିସ୍ତାନରେ ରହୁଥିବା ସମସ୍ତ ହିନ୍ଦୁଙ୍କ ଆସ୍ଥାର ଏହା ପ୍ରମୁଖ କେନ୍ଦ୍ରବିନ୍ଦୁ।

ଧାର୍ମିକ ମାନ୍ୟତା ଅନୁଯାୟୀ, ମାତା ସତୀ ଯେଉଁ ସମୟରେ ତାଙ୍କ ପିତା ଦକ୍ଷ ମହାରାଜଙ୍କ ଯଜ୍ଞ କୁଣ୍ଡରେ ପଡ଼ି ଆତ୍ମଦାହ ଦେଇଥିଲେ, ତାଙ୍କ ବିୟୋଗରେ ଭଗବାନ ଶିବ ଅଶ୍ରୁ ନିର୍ଗତ କରିଥିଲେ। ଭଗବାନ ଶିବଙ୍କ ଚକ୍ଷୁରୁ ନିର୍ଗତ ହୋଇଥିବା ଅଶ୍ରୁର ପ୍ରଥମ ୨ ବୁନ୍ଦାରୁ ୨ଟି କୁଣ୍ଡ ସୃଷ୍ଟି ହୋଇଥିଲା। ଏଥିରୁ ଗୋଟିଏ କୁଣ୍ଡ ପାକିସ୍ତାନର କଟାକ୍ଷରାଜରେ ସୃଷ୍ଟି ହୋଇଥିଲା ଓ ଅନ୍ୟଟି ଭାରତରେ ରାଜସ୍ଥାନର ପୁଷ୍କର ତୀର୍ଥରେ ରହିଛି। କଟାକ୍ଷରାଜ ମନ୍ଦିରର କଟାକ୍ଷ କୁଣ୍ଡରେ ଚମତ୍କାରୀ ଜଳ ରହିଛି। ଏହି ସରୋବରରେ ୨ଟି ରଙ୍ଗର ଜଳ ରହିଛି। କୁଣ୍ଡରେ ଜଳଭାଗର ଉପରି ସ୍ତରରେ ସବୁଜ ରଙ୍ଗ ଓ ଗଭୀରରେ ନୀଳ ରଙ୍ଗ ଦେଖାଯାଇଥାଏ।

ସେହିପରି ମହାଭାରତ ଅନୁଯାୟୀ, ଏହି ସରୋବରରେ ପାଣ୍ଡବମାନେ ସେମାନଙ୍କର ତୃଷ୍ଣା ମେଣ୍ଟାଇବାକୁ ଆସିଥିଲେ। ଏହି କୁଣ୍ଡରେ ଯକ୍ଷ ମହାରାଜଙ୍କ ଅଧିକାର ଥିଲା। ପାଣି ପିଇବାକୁ ଆସିଥିବା ସମସ୍ତ ପାଣ୍ଡବ ଜଣେ ଜଣେ କରି ବେହୋସ ହୋଇଯାଇଥିଲେ। ଏହାପରେ ଧର୍ମରାଜ ଯୁଧିଷ୍ଠିର ଯକ୍ଷ ମହାରାଜଙ୍କ ସମସ୍ତ ପ୍ରଶ୍ନର ଉତ୍ତର ଦେଇ ସବୁ ଭାଇଙ୍କୁ ଜୀବିତ କରାଇଥିଲେ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top