ନ୍ୟୁଜ୍

ପାଣ୍ଡିଆନ୍‌ଙ୍କ ଗସ୍ତରେ ଛାନିଆ ଜିଲ୍ଲା ପ୍ରଶାସନ, ରାତାରାତି ଚକାଚକ୍‌ ହେଉଛି ମେଡିକାଲ !

KJR Pandiyan

କେନ୍ଦୁଝର: ପାଣ୍ଡିଆନ୍‌ଙ୍କ ଗସ୍ତ ପୂର୍ବରୁ ସଜାଡ଼ି ହେଉଛି ମେଡିକାଲ । 5Tର ନାରା ଦେଉଥିବା ରାଜ୍ୟ ସରକାର ଏବଂ ଏହାର ସଚିବ ଭି.କେ ପାଣ୍ଡିଆନ୍‌ଙ୍କ ଗସ୍ତର ଅସଲ ଚେହେରା ପଦାରେ ପଡ଼ିଛି । ଦୀର୍ଘ ଦିନ ହେବ ସମସ୍ୟା ଘେରରେ ଥିବା ହସ୍ପିଟାଲ ପରିସରକୁ ରାତାରାତି ଚକ୍‌ଚକ୍‌ କରାଯାଉଛି । ପାଣ୍ଡିଆନ୍‌ଙ୍କ ଏହି ତୋଫାନି ଗସ୍ତ ପୂର୍ବରୁ ଅସଜଡ଼ା ଜିନିଷକୁ ସଜାଡ଼ୁଛି ପ୍ରଶାସନ । କାଳେ ବାବୁ ଦେଖିଲେ ରାଗିବେ କି ଚାକିରି ଖାଇଯିବେ ସେ ଭୟରେ ଯୁଦ୍ଧକାଳିନ ଭିତ୍ତିରେ ଅସଜଡ଼ା ଜିନିଷକୁ ସଜଡ଼ା ଯାଉଥିବା ଜଣାପଡ଼ିଛି ।

ତେବେ ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲାରେ । ଆସନ୍ତାକାଲି କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନରେ ଆସିବେ 5ଟି ସଚିବ ଭିକେ ପାଣ୍ଡିଆନ୍‌ । ତେଣୁ ଯୁଦ୍ଧକାଳିନ ଭିତ୍ତିରେ ହସ୍ପିଟାଲରେ ନୂଆ ବେଡ୍‌ ଠାରୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ରରେ ଥିବା ଅସଜଡ଼ା ଜିନିଷକୁ ସ୍ଥାନୀୟ ପ୍ରଶାସନ ସଜାଡ଼ୁଛି । ମେଡିକାଲ ପରିସରରେ ଥିବା ଅନାବନା ଗଛଠାରୁ ଆରମ୍ଭ କରି ଦୀର୍ଘ ଦିନ ଧରି ପଡ଼ି ରହିଥିବା ଅଳିଆ ଆବର୍ଜନା ମଧ୍ୟ ଉଠାଯାଉଛି ।

ମେଡିକାଲ ପରିସରରେ ଥିବା ଭଙ୍ଗାଭଙ୍ଗି ଜିନିଷର ମଧ୍ୟ ମରାମତି କରାଯାଉଛି । ରାତାରାତି ମେଡିକାଲକୁ ଚକ୍‌ଚକ୍‌ କରିବାରେ ଲାଗିଛି ପ୍ରଶାସନ । ଏଥିପାଇଁ କିଛି କଣ୍ଟ୍ରାକ୍ଟରଙ୍କୁ ଦାୟିତ୍ୱ ମଧ୍ୟ ଦିଆଯାଇଛି । ସେମାନେ ଦିନ ରାତି ଏକ କରି କାମ କରାଉଛନ୍ତି ।

ତେବେ ପାଣ୍ଡିଆନ୍‌ଙ୍କ ଭୟରେ ଏଭଳି କରାଯାଉଥିବାରୁ ସ୍ଥାନୀୟ ବାସିନ୍ଦାଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଛି । କେହି କେହି କହିଛନ୍ତି ଆଗରୁ ସାଧାରଣ ଲୋକ ଅନେକ ହଇରାଣ ହେଉଥିଲେ ମଧ୍ୟ ପ୍ରଶାସନର ଦୃଷ୍ଟି ପଡ଼ୁ ନଥିଲା । କିନ୍ତୁ ଏବେ ପଡ଼ିଲା । ତେବେ ଯାହା ବି ହେଉଛି ଲୋକଙ୍କ ଭଲ ପାଇ ହେଉଛି କିନ୍ତୁ ଏହା ବହୁ ପୂର୍ବରୁ ହେବା କଥା ବୋଲି ସ୍ଥାନୀୟ ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି । ତରବରିଆ ଭାବେ ଏଭଳି କାର୍ଯ୍ୟ କରିବା ଦ୍ୱାରା ସରକାରୀ ଅର୍ଥର ଅପବ୍ୟୟ ହେଉଥିବା ସେମାନେ କହିଛନ୍ତି ।

ଅନ୍ୟପଟେ ଉପରିସ୍ଥ ଅଧିକାରୀ ଆସୁଥିବାରୁ ମେଡିକାଲର ମରାମତିଠାରୁ ଆରମ୍ଭ ବିଭିନ୍ନ ଅସଜଡ଼ା ଜିନିଷକୁ ରାତାରାତି ସଜଡ଼ା ଯାଉଥିବା କହିଛନ୍ତି ଜଣେ ମେଡିକାଲ କର୍ମଚାରୀ । ସେ ତାଙ୍କ ନାଁ ଗୋପନ ରଖି ଏଭଳି କହିଛନ୍ତି । ତେବେ ଏଭଳି ସଫାସୁତୁରା କେବଳ ପାଣ୍ଡିଆନ୍‌ଙ୍କ ଗସ୍ତ ଭୟରେ ହେଉଛି ନା ଆଗକୁ ବି ଏଭଳି କାର୍ଯ୍ୟ ଜାରି ରହିବ । ସେଣ୍ଟନାରୀ ବିଲ୍ଡିଂରେ ପଡ଼ୁଥିବା ନୂଆ ବେଡ୍‌ କେବଳ ଗୋଟିଏ ଦିନ ପାଇଁ ନା ଆଗକୁ ମଧ୍ୟ ତାହା ବ୍ୟବହାର ହେବ ।

 

Click to comment

Leave a Reply

Your email address will not be published. Required fields are marked *

Most Popular

To Top