ରାଜ୍ୟ

ଚାଷୀଙ୍କ ସମସ୍ୟା ସମାଧାନ ନାଁରେ କୁମ୍ଭିର କାନ୍ଦଣା କାନ୍ଦୁଛନ୍ତି ରାଜ୍ୟ ସରକାର ?

ଅର୍ଗସ ବ୍ୟୁରୋ: ଚାଷୀଙ୍କ ସମସ୍ୟା ସମାଧାନ ହେବାର ନାଁ ଧରୁନାହିଁ  । ସରକାର ଚାଷୀଙ୍କ ପାଇଁ କୁମ୍ଭିର କାନ୍ଦଣା କାନ୍ଦୁଛନ୍ତି  । ମାତ୍ର ବାସ୍ତବ ସ୍ଥିତି କିନ୍ତୁ ଓଲଟା  । ଧାରକରଜ କରି ଚାଷୀ ନିଜର ଲହୁଲୁହ ଲଗାଇ ଚାଷ କରୁଛି  । ମାତ୍ର ତାର ଉତ୍ପାଦକୁ ସଠିକ ମୂଲ୍ୟରେ ଏବଂ ସଠିକ ବିକ୍ରି କରିପାରୁ ନାହିଁ  । ଯଦିବା କାହା ଭାଗ୍ୟରେ ବିକ୍ରି ହୋଇଯାଉଛି, ସେମାନଙ୍କୁ ଠିକ ସମୟରେ ମଧ୍ୟ ପ୍ରାପ୍ୟ ମିଳୁ ନାହିଁ  ।

ପୁଣି ତେଜିବାରେ ଲାଗିଛି ଚାଷୀ ଅସନ୍ତୋଷ  । ଧାନ ବିକ୍ରି କରିବା ପାଇଁ ସରକାର ନୀୟମକୁ ସରଳ କରିବା ପରିବର୍ତ୍ତେ ଜଟିଳ କରିଦେଉଛନ୍ତି  । ଯାହା ଫଳରେ ଚାଷୀଙ୍କୁ ନିଜର ଉତ୍ପାଦ ବିକ୍ରି କରିବାକୁ ଦୌଡି ଦୌଡି ନୟାନ୍ତ ହେବାକୁ ପଡୁଛି  । କାରଣ ପ୍ରଥମେ ଚାଷୀଙ୍କୁ ପଞ୍ଜିକରଣ କରିବାକୁ ପଡୁଛି  । ପଞ୍ଜିକରଣ ବେଳେ ଯାବତୀୟ ତଥ୍ୟ ମଧ୍ୟ ଦେବାକୁ ପଡୁଛି  । ଯାହା ଜଣେ ଅଶିକ୍ଷିତ ବା ଅର୍ଦ୍ଧ ଶିକ୍ଷିତ ଚାଷୀ ପକ୍ଷେ ସମ୍ଭବ ହେଉ ନାହିଁ  । ପରେ ଟୋକନ, କଟନି, ଧାନର ଏଫକ୍ୟୁ ଆଦିକୁ ନେଇ ମଣ୍ଡିରେ ମାସ ମାସ ଧାନ ପଡି ରହୁଛି  । ଏପରିକି ଅନେକ ସମୟରେ ଦେଖିବାକୁ ମିଳିଛି, ମଣ୍ଡିରେ ଚାଷୀଙ୍କ ଧାନ ବିକ୍ରି ହୋଇନପାରି ଗଜା ହୋଇଯାଇଛି  ।

ଗତ ଫେବୃଆରୀ ମାସରେ ତତକାଳୀନ କୃଷିମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ବିଧାନସଭାରେ ଉପସ୍ଥାପନ କରିଥିବା ତଥ୍ୟ ଅନୁଯାୟୀ 2017-18ରେ ମୋଟ 49 ଲକ୍ଷ 6 ହଜାର 234 ମେଟ୍ରିକ ଟନ ଧାନ କିଣାଯାଇଥିଲା  । ସେହିପରି 2018-19  ଖରିଫ ଋତୁରେ ମୋଟ 38 ଲକ୍ଷ, 18 ହଜାର 166 ମେଟ୍ରିକ ଟନ ଧାନ 6 ଲକ୍ଷ, 49 ହଜାର 778 ଜଣ ଚାଷୀଙ୍କଠାରୁ କିଣାଯାଇଛି  । ଏ ବାବଦରେ ମୋଟ 6 ହଜାର 217. 54 କୋଟି ଟଙ୍କା ବିକ୍ରି କରାଯାଇଛି  । ସରକାର ଏ-ଗ୍ରେଡ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ 1770 ଟଙ୍କା ଧାର୍ଯ୍ୟ କରିଥିବା ବେଳେ ଧାନର ମାନ ଆଳରେ ମିଲରମାନେ ବହୁତ କମ ଦାମ ଦେଉଛନ୍ତି  । ଯାହାକୁ ନେଇ ମଧ୍ୟ ଚାଷୀ ଅସନ୍ତୋଷ ତେଜିବାରେ ଲାଗିଛି  । ଏବେ ମଣ୍ଡିରେ ଧାନ ପଡିରହିଥିବା ବିଜେପି ଅଭିଯୋଗ କରିଛି  ।

11 ତାରିଖରୁ ଧାନ କ୍ରୟ କରାଯିବ ବୋଲି ସରକାର ଘୋଷଣା କଲେ  । ମାତ୍ର ଆଜି ପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ ହୋଇପାରିଲା ନାହିଁ  । ଟୋକନ ବ୍ୟବସ୍ଥାକୁ ବିରୋଧ କରି ଚାଷୀମାନେ ରାଜ୍ୟର ବିଭିନ୍ନ ସ୍ଥାନରେ ଆନ୍ଦୋଳନ ଆରମ୍ଭ କରିଦେଇଛନ୍ତି  ।

ତେବେ ଖରିଫ ଧାନ କିଣା ଆରମ୍ଭରୁ ରାଜ୍ୟର ବିଭିନ୍ନ ମଣ୍ଡିରେ ଏପରି ଅବ୍ୟବସ୍ଥା ଆରମ୍ଭ ହୋଇଯାଇଥିବା ବେଳେ ବିଗତ ବର୍ଷଗୁଡିକ ପରି ଚଳିତ ବର୍ଷ ମଧ୍ୟ ଚାଷୀମାନେ ଧାନ ବିକ୍ରି କରିବାକୁ ବହୁ ଅସୁବିଧାର ସମ୍ମୁଖୀନ ହେବେ ବୋଲି ଜଳଜଳ ହୋଇ ଦିଶୁଛି  ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top