ନ୍ୟୁଜ୍

‘ଅନୁଭବ କେବଳ ଜଣେ ସୁପରଷ୍ଟାର, ରାଜନୀତିରେ ଆହୁରି ବହୁତ ଶିଖିବାକୁ ପଡ଼ିବ’

anubhab card_00000

କଟକ: ଅନୁଭବ ଏବଂ ମଂଜିତଙ୍କ କଳି ଉଗ୍ରରୂପ ନେବାରେ ଲାଗିଛି । ବିଜେଡି ନେତା ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବଙ୍କ ସହିତ ଝଗଡ଼ା ମାମଲାରେ ଛାତ୍ର ବିଜେଡି ରାଜ୍ୟ ଉପସଭାପତି ମଂଜିତ ଦାସଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଗତକାଲି ରାତିରେ ସାଂସଦ ଅନୁଭବ ମହାନ୍ତିଙ୍କ ପିଏସଓ କଟକ ପୁରୀଘାଟ ଥାନାରେ ଏନେଇ ଅଭିଯୋଗ ଦାଏର କରିଥିଲେ ।  ଆଜି ଏହି ଅଭିଯୋଗକୁ ଆଧାର କରି ମଂଜିତଙ୍କ ନାଁରେ ଆଇପିସିର ଦଫା ୩୪୧, ୩୨୩, ୨୯୪, ୩୦୭, ୩୭୯ରେ ମାମଲା ରୁଜୁ କରିଛି ପୋଲିସ । ତେବେ ମଂଜିତଙ୍କ ନାଁରେ ମାମଲା ରୁଜୁ ପରେ ଉଭୟଙ୍କ ମଧ୍ୟରେ କଳି ବଢ଼ିଛି । ପୁରୀଘାଟ ଥାନାକୁ ଆସି ଅନୁଭବଙ୍କ ନାଁରେ ଖୁବ୍‌ ବର୍ଷିଛନ୍ତି ମଂଜିତ । ଅନୁଭବଙ୍କୁ ରାଜନୀତିରେ ଆହୁରି ବହୁତ ଶିଖିବାକୁ ପଡ଼ିବ, ସେ କେବଳ ଜଣେ ସୁପରଷ୍ଟାର, ତାଙ୍କୁ ରାଜନୀତି ମାଲୁମ ନାହିଁ, ମୋତେ ଧମକ ଦେଇ କହିଲେ ତୋତେ ମାମୁଘର ପଠାଇ ଦେବି ବୋଲି ମଂଜିତ କହିଛନ୍ତି ।

ଏହାସହ ଅନୁଭବଙ୍କ ସହ କୌଣସି ପ୍ରକାର ଝଗଡ଼ା ନଥିଲା । ଟ୍ୱିଟ୍‌ ମାଧ୍ୟମରେ ଅନୁଭବ ଆଣିଥିବା ସମସ୍ତ ଅଭିଯୋଗ ମିଛ । ଅସୁବିଧା ହେବା ଯୋଗୁଁ ଗାଡ଼ି ବାହାର କରିବାକୁ କହିବାରୁ ରାଜନୀତିରୁ ସଫା କରିଦେବେ ବୋଲି ଅନୁଭବ କହିଥିଲେ । ଯଦି ଅନୁଭବ ଠିକ୍‌ ଥିଲେ ତେବେ ସେ ପ୍ରଥମ ଟ୍ୱିଟ୍‌କୁ କଣ ପାଇଁ ଡିଲିଟ କଲେ ବୋଲି ପ୍ରଶ୍ନ କରିଛନ୍ତି ମଂଜିତ । ଅନୁଭବ ନିଜକୁ ବହୁତ ସୁପରିୟର ଭାବୁଛନ୍ତି ଏବଂ ଆମକୁ ବହୁତ ତଳ ଭାବୁଛନ୍ତି ସେଥିପାଇଁ ଏମିତି ହେଉଛି ବୋଲି କହିଛନ୍ତି ମଂଜିତ ।

ତେବେ ଅନୁଭବ କରିଥିବା ପ୍ରଥମ ଟ୍ୱିଟ୍‌ରେ ପ୍ରକୃତ ଭିଡିଓ ଥିଲା  । ତେଣୁ ତାହାକୁ ଡିଲିଟ କରି ନିଜେ ରେକର୍ଡିଂ କରିଥିବା ଭିଡିଓକୁ ପୁଣିଥରେ ଟ୍ୱିଟ୍‌ କରିଛନ୍ତି ବୋଲି ଅଭିଯୋଗ ମଧ୍ୟ କରିଛନ୍ତି ମଂଜିତ ।

କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଏବଂ ଛାତ୍ର ବିଜେଡି ରାଜ୍ୟ ଉପସଭାପତି ମଂଜିତ ଦାସ ଦୁହେଁ ପଡ଼ୋଶୀ ହୋଇଥିବା ବେଳେ ସେମାନଙ୍କ ମାମଲା ଏବେ ଥାନାରେ । ଯଦିଓ ତଦନ୍ତ ପରେ ସତ କଣ ପଦାକୁ ଆସିବ କିନ୍ତୁ ଜଣେ ସାଂସଦ ଏବଂ ଜଣେ ଛାତ୍ର ନେତାଙ୍କ କଳି ଏବେ ଦାଣ୍ଡରୁ ଯାଇ ହାଟରେ ଗଡ଼ିଲାଣି ।

ସୂଚନାଯୋଗ୍ୟ, ଦୀର୍ଘ ବର୍ଷ ଧରି ମଂଜିତଙ୍କ ଘର ଭିତରେ ଅନୁଭବଙ୍କ ପରିବାର ଗାଡ଼ି ରଖୁଥିଲେ । ଭିଡ଼ ବଢ଼ିବାରୁ ଏନେଇ ଗତ କିଛି ଦିନ ତଳେ ମଂଜିତ ଅନୁଭବଙ୍କ ସହ କଥା ହୋଇଥିଲେ । ହେଲେ ଅନୁଭବ ତାଙ୍କୁ ଅଭଦ୍ର ଭାଷାରେ ଗାଳି ଗୁଳଜ କରିଥିଲେ । ତେବେ ଦୁଇ ଦିନ ତଳେ ମଂଜିତଙ୍କ ସହିତ ସାହିର ଦୁଇ ଜଣ ପିଲାଙ୍କର ଝଗଡ଼ା ହୋଇଥିଲା । ସାଂସଦ ଅନୁଭବ ଅଯଥାରେ ଏଥିରେ ହସ୍ତକ୍ଷେପ କରିବା ସହ ମଂଜିତଙ୍କୁ ଦୁର୍ବ୍ୟବହାର କରିଥିବା ସେ ଅଭିଯୋଗ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top