X
Breaking News
ନ୍ୟୁଜ୍

ଡାକ୍ତରଙ୍କୁ ବିଦାୟ ବେଳେ କାନ୍ଦିଲା ନବରଙ୍ଗପୁର

doctor

ନବରଙ୍ଗପୁର: ପେଶା ହେଉଛି ରୋଗୀ ସେବା । ରୋଗୀଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇବା ଆଉ ତାର କଷ୍ଟ ଦୂର କରିବା ଥିଲା ତାଙ୍କ ନିଶା । କୋରାପୁଟ ଓ କଳାହାଣ୍ଡିରେ ରୋଗୀ ସେବା କରି ସେ ସୃଷ୍ଟି କରିପାରିଛନ୍ତି ନିଜର ସ୍ୱତନ୍ତ୍ର ପରିଚୟ । ନିଜର ୫ବର୍ଷର ଚାକିରି କାଳରେ ସେ ଜିତି ପାରିଛନ୍ତି ହଜାର ହଜାର ରୋଗୀ ଓ ତାଙ୍କ ପରିବାରବର୍ଗଙ୍କ ହୃଦୟ । ଆଉ ଆଜି କାର୍ଯ୍ୟରୁ ତାଙ୍କ ବିଦାୟୀ ସମୟରେ ରୋଗୀଙ୍କ ଆଖିରୁ ଝରିପଡିଛି ଲୁହ । ଉଚ୍ଚଶିକ୍ଷା ପାଇଁ ସେ କର୍ମସ୍ଥଳୀରୁ ଆସିଛନ୍ତି ଭୁବନେଶ୍ୱର । ଆଉ ତାଙ୍କର ଏହି ବିଦାୟ ତେନ୍ତଳିଖୁଣ୍ଟିବାସୀଙ୍କ ଆଖିରେ ଲୁହ ଦେଇଛି । କେବଳ ଏତିକି ନୁହେଁ, ଏହି ବିଦାୟୀର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଘୁରିବୁଲୁଛି ।

ଡାକ୍ତର କିଶୋର ଚନ୍ଦ୍ର ଦାସ । ସେ ନବରଙ୍ଗପୁର ତେନ୍ତୁଳିଖୁଣ୍ଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟ କରୁଥିଲେ । ୨୦୧୦ରେ ସେ ଏଠାରେ କାର୍ଯ୍ୟରେ ଯୋଗ ଦେଇଥିଲେ । ୨୦୧୧ରେ ଡେପୁଟେସନରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଯୋଗ ଦେଇଥିଲେ । ଏହାପରେ ୨୦୧୩ ମସିହାରେ ପୁଣି ଥରେ ମେଡିକାଲ ଇନଚାର୍ଜ ଭାବେ ଯୋଗ ଦେଇଥିଲେ । ଏହି ୫ବର୍ଷର ଚାକିରି କାଳରେ ଜାରି ରଖିଥିଲେ ନିରବଚ୍ଛିନ୍ନ ରୋଗୀ ସେବା । ଆଉଟଡୋର ବୋଲି କୌଣସି ସେବା ନଥିଲା । ରୋଗୀ ଯେଉଁ ମୁହୁର୍ତ୍ତରେ ପହଞ୍ଚୁଥିଲା, ସେ ସେବା ଯୋଗାଉଥିଲେ । ପ୍ରାଇଭେଟ ମେଡିକାଲ ପରି ଦୈନିକ ଖଟର ଚାଦର, ତକିଆ, ମଶାରିକୁ ପରିବର୍ତ୍ତନ କରାଯାଉଥିଲା । ଏହା ରାଜ୍ୟର ଏକମାତ୍ର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଯେଉଁଠାରେ ସିସିଟିଭି କ୍ୟାମେରା ବ୍ୟବସ୍ଥା କରାଯାଇଥିଲା । ସେହିପରି ଗର୍ଭବତୀଙ୍କ ପାଇଁ ଶୀତତାପ ନିୟନ୍ତ୍ରଣ କୋଠରୀର ବ୍ୟବସ୍ଥା କରାଯାଇଥିଲା ।

କେବଳ ରୋଗୀ ସେବା ନୁହେଁ, ସ୍ୱାସ୍ଥ୍ୟକେନ୍ଦ୍ର ପରିସର ଉପରେ ଗୁରୁତ୍ୱ ଦେଉଥିଲେ ଏହି ଡାକ୍ତର । ପୁରା ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଔଷଧୀୟ ବୃକ୍ଷରୋପଣ କରାଯାଇଛି ।  ବିଦାୟ ପୂର୍ବଦିନ କିଶୋର ହସ୍ପିଟାଲ ପରିସରରେ 5ଶହ ବୃକ୍ଷ ରୋପଣ କରିଥିଲେ । ତାଙ୍କର କର୍ତ୍ତବ୍ୟନିଷ୍ଠା ପାଇଁ ତାଙ୍କୁ ୨୦୧୭-୧୮ ମସିହାରେ କାୟାକଳ୍ପ ପୁରସ୍କାରରେ ସମ୍ମାନିତ ମଧ୍ୟ କରାଯାଇଛି । ତେବେ ଉଚ୍ଚଶିକ୍ଷା ପାଇଁ ତାଙ୍କୁ ଭୁବନେଶ୍ୱର ଆସିବାକୁ ପଡିଛି । ତେଣୁ ଗତ ମେ ମାସ ୩୧ ତାରିଖରେ ସେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ବିଦାୟ ନେଇଛନ୍ତି । ଆଖପାଖ ଅଞ୍ଚଳରୁ 5ଶହ ଲୋକ ଏଠାରେ ପହଞ୍ଚି ତାଙ୍କୁ ଅଶ୍ରୁଳ ବିଦାୟ ଦେଇଥିଲେ ।

ତେବେ ଡାକ୍ତରଙ୍କ ଏହି ସେବା ଲୋକଙ୍କ ମନରେ ସବୁଦିନ ମନେରହିବ ।

Most Popular

To Top