ଦେଶ

ବ୍ରିଟିଶ୍ ଅମଳରୁ ଚାଲୁଥିବା ବ୍ରିଫ୍‌କେସ୍ ପରମ୍ପରା ଭାଙ୍ଗି ‘ବହି-ଖାତା’ ଧରି ସଂସଦ ପହଞ୍ଚିଲେ ସୀତାରମଣ

Budget

ଅର୍ଗସ୍ ବ୍ୟୁରୋ: ପ୍ରତିବର୍ଷ ସଂସଦରେ ଉପସ୍ଥାପନ ହୋଇଥାଏ ବଜେଟ୍ । ଅର୍ଥମନ୍ତ୍ରୀ ଚିରାଚରିତ ଭାବେ ହାତରେ ବ୍ରିଫ୍‌କେସ୍ ନେଇ ସଂସଦରେ ପହଞ୍ଚିଥାନ୍ତି ଓ ବଜେଟ୍ ଉପସ୍ଥାପନ କରିଥାନ୍ତି । ଯାହାକୁ ଜାଣିବା ପାଇଁ ସାରା ଦେଶ ଅନେଇ ବସିଥାଏ । ଅର୍ଥମନ୍ତ୍ରୀଙ୍କ ବଜେଟ୍ ଅଭିଭାଷଣ ବ୍ରିଫ୍‌କେସ୍‌ରେ ସୁରକ୍ଷିତ ହୋଇ ରହିଥାଏ । କହିବାକୁ ଗଲେ ସ୍ୱାଧୀନତା ପରେ ମାନି ନିଆଯାଇଥିବା ଅନେକ ଅଭ୍ୟାସ ଓ ଅନୁକରଣ ମଧ୍ୟରୁ ଏହା ହେଉଛି ଅନ୍ୟତମ । ଦୀର୍ଘ ବର୍ଷ ହେଲା ଅର୍ଥମନ୍ତ୍ରୀ ହାତରେ ବ୍ରିଫ୍‌କେସ୍ ନେଇ ସଂସଦରେ ପହଞ୍ଚିବା ନୀତି ଚାଲିଆସିଛି । ଏଣିକି ଏଭଳି ବ୍ରିଟିଶ୍ ପରମ୍ପରାକୁ ଭାଙ୍ଗିଛନ୍ତି ମୋଦି 2.0ର ଅର୍ଥମନ୍ତ୍ରୀ ସୀତାରମଣ ।

ସୂଚନା ଯେ, 1860 ମସିହାରୁ ଏହି  ବ୍ରିଟିଶ୍ ପରମ୍ପରା ଆରମ୍ଭ ହୋଇଥିଲା । ରାଣୀ ଭିକ୍ଟୋରିଆଙ୍କ ସମୟରେ ତାଙ୍କ ବଜେଟ୍ ଚିଫ୍ ଓ୍ୱିଲିୟମ ଗ୍ଲାଡଷ୍ଟୋନ୍ ଘଣ୍ଟା ଘଣ୍ଟା ଯାଏଁ ବଜେଟ୍ ଅଭିଭାଷଣ ଦେଉଥିଲେ ବୋଲି କୁହାଯାଉଥିଲା । ସେ ଏହି ଭାଷଣ ବା ବଜେଟ୍ ଦସ୍ତାବିଜ୍‌କୁ ହାତରେ ଧରିଥିବା ଛୋଟ୍ ବ୍ରିଫ୍‌କେସ୍‌ରେ ରଖୁଥିଲେ ।

ଅନ୍ୟପଟେ ବଜେଟ୍ BUDGET ଶବ୍ଦ ପୁରାତନ ଫ୍ରେଞ୍ଚ୍ BOUGETTEରୁ ଆସିଛି । ଯାହାର ଅର୍ଥ ଛୋଟ ବ୍ୟାଗ୍ । ତେବେ ଗ୍ଲାଡ୍‌ଷ୍ଟୋନଙ୍କ ବଜେଟ୍ ବକ୍ସଟି କାଠରେ ତିଆରି ଏବଂ ଏକ ନିର୍ଦ୍ଧିଷ୍ଟ ପ୍ରକାର ଷ୍କାରଲେଟ୍ ଲେଦର କଭର ଏହା ଉପରେ ଆଚ୍ଛାଦିତ ହୋଇଥାଏ ।

ତେବେ ଭାରତରେ, ଏହା 1947ରେ ଅନୁକରଣ ହୋଇ ପରମ୍ପରା ଭାବେ ପ୍ରଚଳିତ ହେଲା । ଦେଶର ପ୍ରଥମ ଅର୍ଥମନ୍ତ୍ରୀ ଆର୍.କେ ଶାନମୁଖମ୍ ଚେଟ୍ଟି 1947 ମସିହା ନଭେମ୍ୱରରେ ହାତରେ ବ୍ରିଫ୍‌କେସ୍ ଧରି ବଜେଟ୍ ଉପସ୍ଥାପନ କରିଥିଲେ । ଏହାପରଠାରୁ କ୍ରମାଗତ ଚାଲିଲା ବଜେଟ୍ ବ୍ରିଫ୍‌କେସ୍ ପରମ୍ପରା । କିନ୍ତୁ ଚଳିତ ବଜେଟ୍ 2019-20ରେ ଏହି ପରମ୍ପରା ଭାଙ୍ଗିଛି । ଏଣିକି ବ୍ରିଟିଶ୍ ପରମ୍ପରାନୁଯାୟୀ ବଜେଟ୍ ବ୍ରିଫ୍‌କେସ୍‌ରେ ନୁହେଁ ଆସିବ ଭାରତୀୟ ପରମ୍ପରା ଦସ୍ତାବିଜ୍‌ରେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top