X
Breaking News
ଦେଶ

ଲୋକସଭା ଉପବାଚସ୍ପତି ହେବାକୁ YSRCP କଂଗ୍ରେସକୁ ବିଜେପିର ଅଫର୍ !

jagan mohan reddy and pm modi

ନୂଆଦିଲ୍ଲୀ: ଲୋକସଭା ଉପବାଚସ୍ପତି କିଏ ହେବେ ? ସେ ନେଇ ଲାଗି ରହିଛି କଳ୍ପନାଜଳ୍ପନା । ଏହି ରେସ୍‌ରେ ବିଜେଡ଼ି ପ୍ରାର୍ଥୀଙ୍କ ନାଁ ଥିବା ନେଇ ବେଶ କିଛି ଦିନ ଚର୍ଚ୍ଚା ହେବା ପରେ ଏବେ କିନ୍ତୁ ଅଲଗା ଖବର ଶୁଣିବାକୁ ମିଳିଛି । ଲୋକସଭା ଉପବାଚସ୍ପତି ପଦ ପାଇଁ ବିଜେପି ଆନ୍ଧ୍ର ପ୍ରଦେଶର ୱାଇଏସ୍‌ଆର୍‌ କଂଗ୍ରେସକୁ ଅଫର୍‌ ଦେଇଥିବା ସୂଚନା ମିଳିଛି ।

ଲୋକସଭା ଉପବାଚସ୍ପତି ପାଇଁ ବିଜେପି ସାଂସଦ ଜିଭିଏଲ ନରସିଂହ ରାଓ ଦଳର ମୁଖ୍ୟ ତଥା ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗମୋହନ ରେଡ୍ଡୀଙ୍କୁ ଭେଟି ଆଲୋଚନା କରିଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ଜଗନ ମୋହନ ଏଥିରେ ନିଷ୍ପତ୍ତି ନେବାକୁ ଅଧିକ ସମୟ ମାଗିଥିବା ମଧ୍ୟ ଖବର ପ୍ରକାଶ ପାଇଛି ।

ୱାଇଏସଆର କଂଗ୍ରେସର ସଂସଦରେ ୨୨ସାଂସଦ ରହିଛନ୍ତି । ସେମାନଙ୍କ ମଧ୍ୟରୁ ଜଣଙ୍କୁ ଉପବାଚସ୍ପତି କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି ଜିଭିଏଲ ନରସିଂହ ରାଓ  । ଜଗନ ଓ ନରସିଂହ ରାଓ ପ୍ରାୟ ଅଧ ଘଣ୍ଟା ଧରି ଆଲୋଚନା କରିଥିବା ସୂଚନା ରହିଛି । ପ୍ରଥମେ ଏହାକୁ ସୌଜନ୍ୟମୂଳକ ସାକ୍ଷାତ ବୋଲି କୁହାଯାଉଥିଲା । କିନ୍ତୁ ନରସିଂହ ରାଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହାଙ୍କ ପ୍ରତିନିଧି ଭାବେ ଜଗନଙ୍କୁ ଭେଟିଛନ୍ତି । ମାତ୍ର ଜଗନମାହନ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନେଇ ନାହାଁନ୍ତି । ସେ ବିଚାର ବିମର୍ଷ ପାଇଁ ଅଧିକ ସମୟ ମାଗିଥିବା ସୂତ୍ରରୁ ଜଣାପଡିଛି ।

ପୂର୍ବରୁ ବିଜେଡିର ଭର୍ତ୍ତୃହରି ମହାତାବଙ୍କୁ ଉପବାଚସ୍ପତି ପଦ ମିଳିବ ବୋଲି ଚର୍ଚ୍ଚା ଜୋର ଧରିଥିଲା । କିନ୍ତୁ ଶିବସେନା ଏହାକୁ ବିରୋଧ କରିଥିଲା । ବିଜେଡ଼ି ବିଜେପି ବିରୋଧରେ ନିର୍ବାଚନ ଲଢ଼ି ଥିବାରୁ ତାଙ୍କୁ ଏହି ପଦ ଦେବା ଉଚିତ ନୁହେଁ ବୋଲି ଶିବସେନା କହିଥିଲା । ସେପଟେ ବିଜେଡ଼ି ସାଂସଦମାନେ ମଧ୍ୟ ଏ ନେଇ କୌଣସି ମୁହଁ ଖୋଲି ନ ଥିଲେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top