ନ୍ୟୁଜ୍

କିଏ କହୁଛି ଦରଦ, କିଏ କହୁଛି ଫାର୍ସ: ଦେଖାଯାଉଛି ପିକନିକ୍

BJD Picnic

ଭୁବନେଶ୍ୱର: ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମ୍‌ଏସ୍‌ପି ବୃଦ୍ଧି ପ୍ରସଙ୍ଗ ନେଇ ଦିଲ୍ଲୀରେ ଡେରା ପକାଇଛି ବିଜେଡ଼ି । ଆଉ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ଖୋଦ୍‌ ଆନ୍ଦୋଳନର ମଙ୍ଗ ଧରିଛନ୍ତି । ତେବେ  ନିର୍ବାଚନ ପୂର୍ବରୁ ବିଜେଡ଼ିର ଚାଷୀ ପ୍ରେମକୁ ନେଇ ସୋସିଆଲ ମିଡ଼ିଆରେ ଆଉ ଏକ ଆନ୍ଦୋଳନ ଦେଖିବାକୁ ମିଳିଛି ।

କଥା କଣ କି… ଦିଲ୍ଲୀରେ ହେଉଥିବା ବିଜେଡ଼ି ଚାଷୀ ଆନ୍ଦୋଳନରେ ସାମିଲ ହେବାକୁ 5 ତାରିଖରେ ଭୁବନେଶ୍ୱରରୁ ଏକ ସ୍ୱତନ୍ତ୍ର ଟ୍ରେନ୍‌ରେ ବାହାରିଲେ ଦଳୀୟ ନେତା, କର୍ମୀ ଓ ଚାଷୀ ପ୍ରତିନିଧିମାନେ । କିନ୍ତୁ ସୋସିଆଲ୍‌ ମିଡ଼ିଆରେ ଭାଇରାଲ୍‌ ହେଉଥିବା କିଛି ଫୋଟୋରେ କୌଣସି ଚାଷୀ ପ୍ରତିନିଧି ଦେଖିବାକୁ ମିଳିନଥିଲା ବରଂ ଦେଖିବାକୁ ମିଳିଥିଲା ମଜା-ମସ୍ତିର ସେଲ୍ଫି ସେଶନ୍ । ଖାଇ ପିଇ, ଏସି ବଗିରେ ଖୁସି-ମଜା କରି ପିକନିକ୍ ଯିବା ଭଳି ଅବସ୍ଥାରେ ଏହି ସେଲ୍ଫିରେ ଦେଖିବାକୁ ମିଳିଛି ବିଜେଡ଼ି ନେତ୍ରୀ, ନେତା ଓ କିଛି ନିର୍ଦ୍ଧିଷ୍ଟ କଲେଜ୍ ଛାତ୍ରୀଙ୍କୁ । ତେବେ ସୋସିଆଲ ମିଡ଼ିଆରେ ଏହି ସେଲ୍ଫି ଭାଇରାଲ ହେବା ପରେ, ସାଧାରଣରେ ଏହାକୁ ନିନ୍ଦା କରାଯିବା ସହ ଟ୍ରୋଲ ମଧ୍ୟ କରାଯାଇଛି ।

BJD Delhi

ସେଲ୍ଫି ନେବା କୌଣସି ଅପରାଧ ନୁହେଁ, କିନ୍ତୁ କେଉଁ ପରିସ୍ଥିତିରେ, କେଉଁ ସମୟରେ ଏବଂ କିଏ ସେଲ୍ଫି ନେଇଛି ତାହା ଏଠାରେ ଚିନ୍ତାର ବିଷୟ । ଚାଷୀ ପ୍ରସଙ୍ଗ ନିହାତି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଆଉ ସମସ୍ୟା ମଧ୍ୟ । ଆପଣଙ୍କ ମନେଥିବ ନିଶ୍ଚୟ, ନଭେମ୍ୱର 5ରେ ଭୁବନେଶ୍ୱରରେ ହେବାକୁ ଥିବା ଚାଷୀ ମହାସମାବେଶକୁ ବିଜେଡ଼ି ସରକାର କିଭଳି ଭଣ୍ଡୁର କରିଥିଲା । ସାରା ରାଜ୍ୟରୁ ଗରିବ ଚାଷୀ ଭାଇମାନେ ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନସନ ଦାବି ନେଇ ଶାନ୍ତିପୂର୍ଣ୍ଣ ଉପାୟରେ ରାଜ୍ୟ ସରକାରଙ୍କ ନିକଟରେ ପହଁଞ୍ଚିବାକୁ ଖରା-ଶୀତ ନମାନି ପାଦରେ ଚାଲିଚାଲି ଅଖିଆ ଅପିଆ ଆସୁଥିବା ବେଳେ ତାଙ୍କୁ କିଭଳି ରୋକା ଯାଇଥିଲା । ତାଙ୍କ ମୁହଁରୁ ଖାଇବା ଛଡାଇ ମାଡ଼ ମରାଯାଇଥିଲା । 144 ଧାରା ଲଗାଇ ରାଜଧାନୀରେ ପଶିବାକୁ ଦେଇନଥିଲା ପ୍ରଶାସନ । ଆଉ ଆଜି କେନ୍ଦ୍ରକୁ ଦାୟୀ କରି ଚାଷୀଙ୍କ ନାଁ ନେଇ ବିଜେଡ଼ି ଦିଲ୍ଲୀ ଯାଇଛି ।

 

BJD Netri 1

ଦିଲ୍ଲୀ ଯାଇ ଆନ୍ଦୋଳନ କରିବା ମୁଖ୍ୟ ପ୍ରସଙ୍ଗ ନୁହେଁ । ତେବେ ପ୍ରକୃତରେ କଣ ବିଜେଡି ସରକାରର ଚାଷୀଙ୍କ ପ୍ରତି ଦରଦ ଅଛି ? ଯଦି ଅଛି ଏ କି ଦୃଶ୍ୟ….! ହାତରେ ଫଳ ଧରି ଫଟୋ ଉଠାଇ ଚାଷୀ ଦରଦ କଥା ବୁଝିବାକୁ ଯାଉଛନ୍ତି ବିଜେଡ଼ି ନେତ୍ରୀବୃନ୍ଦ । ସେପଟେ ମଜା-ମସ୍ତି କରି ଛାତ୍ରୀଙ୍କ ଗହଣରେ ଫଟୋ ଉଠାଇ ଚାଷୀଙ୍କ ସମସ୍ୟା ନେଇ କେନ୍ଦ୍ର ସରକାରଙ୍କୁ ଘେରିବେ ଖୋଦ ବିଜୁ କୃଷକ ଜନତା ଦଳର ସାଧାରଣ ସମ୍ପାଦକ ପ୍ରତାପ ଜେନା ।

BJD Pratap jena

ରାଜ୍ୟରେ ଦୁଃଖରେ ଦିନ କାଟୁଥିବା, ସମାବେଶ କଲେ ମାଡ ଖାଉଥିବା, ଋଣ ଭାରରେ ଆତ୍ମହତ୍ୟା କରୁଥିବା ଗରିବ ଚାଷୀଙ୍କ ପାଇଁ ଏମାନେ କଣ ପ୍ରକୃତରେ ଚିନ୍ତିତ ? କେଉଁଠି ଅଛନ୍ତି ଚାଷୀ ପ୍ରତିନିଧୀ ? କେଉଁଠି ଅଛନ୍ତି ଗରିବ ଚାଷୀ ? ଏଭଳି ମସ୍ତି-ମଜା କରି କୁଆଡ଼େ ଯାଉଛନ୍ତି ଚାଷୀ ପାଇଁ ଲଢ଼ୁଥିବା ଦରଦୀ ନେତାମାନେ ? ଏଭଳି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ସୋସିଆଲ ମିଡ଼ିଆ ଆନ୍ଦୋଳନରେ ।

ଅନ୍ୟପଟେ ପ୍ରତାପ ବାବୁ ଏବଂ ନାରୀନେତ୍ରୀଙ୍କ ଭାଇରାଲ ଏହି ସେଲ୍ଫି ଉପରେ ପିସିସି ସଭାପତି କଡ଼ା ସମାଲୋଚନା କରିଛନ୍ତି । ସେ କହିଛନ୍ତି ଯେ, 52 ଲକ୍ଷ ଖର୍ଚ୍ଚ କରି ନବୀନ ପଟ୍ଟନାୟକ ଓ ତାଙ୍କ ଟିମ୍ ଆଜି ପିକନିକ୍ କରିବାକୁ ଦିଲ୍ଲୀ ଯାଇଛନ୍ତି । ଯଦି ଏହି ଟଙ୍କାକୁ ନବୀନ ସରକାର ଋଣଗ୍ରସ୍ତ ଚାଷୀଙ୍କୁ ଦେଇଥାନ୍ତେ, ତେବେ ଆମ ଅନ୍ନଦାତାଙ୍କ ଜୀବନ ବଞ୍ଚିଯାଇଥାନ୍ତା । ସେ ପୁଣି କହିଛନ୍ତି, ଯଦି କୃଷକ ପାଇଁ ଏତେ ଚିନ୍ତିତ, ତେବେ ଛତିଶଗଡ, ରାଜସ୍ଥାନ ଓ ମଧ୍ୟପ୍ରଦେଶ ସରକାର ଭଳି କୃଷକଙ୍କ ଋଣ ଛାଡ଼ କରନ୍ତୁ ସରକାର । ଏହାସହ ଏମ୍‌ଏସ୍‌ପି ଉପରେ ବୋନସ୍ ଘୋଷଣା କରନ୍ତୁ ବୋଲି ନିରଞ୍ଜନ କହିଛନ୍ତି । ନୀରଞ୍ଜନ ଆହୁରି କହିଛନ୍ତି ଯେ, ଚାଷୀଙ୍କ ନାଁରେ ବିଜେଡ଼ି କୁମ୍ଭୀରକାନ୍ଦଣା କାନ୍ଦୁଛି । ଚାଷୀ ସମାବେଶ ବିଜେଡ଼ିର ଏକ ଫାର୍ସ ବୋଲି କହିଛନ୍ତି ପିସିସି ସଭାପତି ।

ପ୍ରକାଶ ଥାଉ କି, କୃଷକଙ୍କ ପାଇଁ ଲଢ଼ୁଥିବା ସଂଗଠନ ନବ ନିର୍ମାଣ କୃଷକ ସଂଘ ଆଜି ଭୁବନେଶ୍ୱରରେ ଚାଷୀ ସମାବେଶ କରି ରାଜଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ବିଜେଡ଼ି ଚାଷୀଙ୍କ ପାଇଁ ଯାଇଛି ଦିଲ୍ଲୀ । ଅନ୍ୟପଟେ କିଷାନ କଂଗ୍ରେସ ସାରା ରାଜ୍ୟରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ବିଜେପି କୃଷକ ମୋର୍ଚ୍ଚା ସଚିବାଳୟ ଘେରାଉ କରିଛି । ସେ ରାଜନୀତି ହେଉ ପଛେ, ଏସବୁ ଭିତରେ ଚାଷୀକୁ ତା ହକ୍ ମିଳିବ କି ନାହିଁ, ତାହା ଦେଖିବାକୁ ବାକି ରହିଲା ।

Story Written by Pragyan Bharati
Edited by Mukul

Click to comment

Leave a Reply

Your email address will not be published. Required fields are marked *

Most Popular

To Top