X
Breaking News
ନ୍ୟୁଜ୍

ଅତିରିକ୍ତ ବ୍ୟୟ ବରାଦକୁ ମନ୍ତ୍ରୀ ପରିଷଦର ମୋହର

Budget

ଭୁବନେଶ୍ୱର: ୨୦୧୮-୧୯ ଆର୍ଥିକ ବର୍ଷ ଲାଗି ଅତିରିକ୍ତ ବଜେଟକୁ ମନ୍ତ୍ରୀ ପରିଷଦର ମୋହର ଲାଗିଛି। ସୂଚନା ମିଳୁଛି ଯେ ୧୨ହଜାର ୭୬୮କୋଟି ଟଙ୍କାର ଅତିରିକ୍ତ ବ୍ୟୟବରାଦକୁ ଆଜିର(ଗୁରୁବାର) ମନ୍ତ୍ରୀ ପରିଷଦ ବୈଠକରେ ଅନୁମୋଦନ ମିଳିଛି । ବିଧାନସଭାର ଆଗାମୀ ମୌସୁମୀ ଅଧିବେଶନର ପ୍ରଥମ ଦିନରେ ଅର୍ଥାତ ସେପ୍ଟମ୍ବର ୪ରେ ଅତିରିକ୍ତ ବଜେଟ ଉପସ୍ଥାପନ ହେବ ବୋଲି ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ମନ୍ତ୍ରୀ ପରିଷଦ ବୈଠକ ପରେ ଅର୍ଥମନ୍ତ୍ରୀ କହିଛନ୍ତି ଯେ ଘୋଷଣା ହୋଇଥିବା ନୂଆ ଯୋଜନା ଲାଗି ବ୍ୟୟ ବରାଦ ହୋଇଛି । ୧୫ ଅଗଷ୍ଟରୁ ଆରମ୍ଭ ହୋଇଥିବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା ଓ ଆଶା ଦିଦିଙ୍କୁ ଆନୁଷଙ୍ଗିକ ସହାୟତା ରାଶି ଲାଗି ବ୍ୟୟ ବରାଦ ହୋଇଛି ।

ବଜେଟ୍ ବଢୁଛି-ଖର୍ଚ୍ଚ ନାହିଁ
ତେବେ ଗତ ୨୩ମେ’ରେ ୨୦୧୮-୧୯ ଆର୍ଥିକ ବର୍ଷ ଲାଗି ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ୧ଲକ୍ଷ ୨୦ହଜାର ୨୮କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରିଥିଲେ । ଯାହାକି ଗତ ବର୍ଷ ବଜେଟ୍ ଅପେକ୍ଷା ପ୍ରାୟ ୧୩ହଜାର କୋଟି ଟଙ୍କାର ବ୍ୟୟ ବରାଦ ଅଧିକ ଥିଲା । ଆଉ ୧୨ହଜାର ୭୬୮କୋଟି ଟଙ୍କାର ଅତିରିକ୍ତ ବ୍ୟୟବରାଦ ହେବା ଫଳରେ ଓଡ଼ିଶା ଇତିହାସରେ ବଜେଟ୍ ଆକାର ପ୍ରଥମ ଥର ଲାଗି ୧ଲକ୍ଷ ୩୨ ହଜାର କୋଟିକୁ ପାର କରିବାକୁ ଯାଉଛି । ଅପରପକ୍ଷରେ ବଜେଟର ଆକାର ବଢୁଛି, ହେଲେ ବଜେଟ୍ ଅନୁଦାନ ଖର୍ଚ୍ଚ କରିବାରେ ବିଫଳ ହେଉଛନ୍ତି ବିଭିନ୍ନ ବିଭାଗ । ଏପରିକି କେନ୍ଦ୍ରୀୟ ଅବହେଳା କଥା କହୁଥିବା ଓଡ଼ିଶା ସରକାର କେନ୍ଦ୍ରୀୟ ଅନୁଦାନକୁ ଖର୍ଚ୍ଚ କରିବାରେ ନିଜର ଅସାମର୍ଥ୍ୟ ଦେଖାଉଛନ୍ତି  । କେନ୍ଦ୍ରୀୟ ଯୋଜନାରେ ଆସୁଥିବା ଅର୍ଥ ଲାଗି ବିନିଯୋଗ ପ୍ରମାଣ ପତ୍ର ଅସୁବିଧା ସୃଷ୍ଚି କରିଛି । ବିଭିନ୍ନ ବିଭାଗ ସଠିକ୍ ସମୟରେ ବିନିଯୋଗ ପ୍ରମାଣ ପତ୍ର(ୟୁସି) ଦେବାରେ ବିଳମ୍ବ କରୁଥିବାରୁ କେନ୍ଦ୍ରୀୟ ଅନୁଦାନ ମିଳି ପାରୁନାହିଁ । ସେଥିପାଇଁ ନିର୍ଦ୍ଧାରିତ ସମୟରେ ଆବଣ୍ଟିତ ଅନୁଦାନକୁ ଖର୍ଚ୍ଚ କରି, ପ୍ରମାଣ ପତ୍ର  ଦେବା ଲାଗି ବିଭିନ୍ନ ବିଭାଗକୁ ଅର୍ଥବିଭାଗ ପକ୍ଷରୁ ତାଗିଦ କରାଯାଇଛି ।


ଓଡ଼ିଶା ସରକାର ଆୟୁଷ୍ମାନ ଭାରତ ଯୋଜନାକୁ ପ୍ରତ୍ୟାଖାନ କରି ନିଜ ଅର୍ଥରେ ଲୋକଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆରମ୍ଭ କରିଛନ୍ତି । ଗତ ସ୍ୱାଧୀନତା ଦିବସରୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଫଳରେ ୬୯ଲକ୍ଷ ୬୯ହଜାର ୬୭୨ ହିତାଧିକାରୀଙ୍କ ଚିକିତ୍ସା ଖର୍ଚ୍ଚ ବହନ କରିବେ ସରକାର । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ପ୍ରତି ପରିବାରକୁ ବାର୍ଷିକ ୫ଲକ୍ଷ ଟଙ୍କା ଦେୟମୁକ୍ତ ସ୍ସାସ୍ଥ୍ୟ ସୁରକ୍ଷା ମିଳିବ । କିନ୍ତୁ ମହିଳାଙ୍କ କ୍ଷେତ୍ରରେ ୭ଲକ୍ଷ ଟଙ୍କା ଦେୟମୁକ୍ତ ସ୍ସାସ୍ଥ୍ୟ ସୁରକ୍ଷା ମିଳିବ। ଅନ୍ୟପଟେ ବିନା ବ୍ୟୟ ବରାଦରେ ଗତ ୧୦ତାରିଖରେ ଆଶା ଦିଦିଙ୍କ ଲାଗି ୧୦ହଜାର ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି ଓଡ଼ିଶା ସରକାର । ରାଜ୍ୟର କାର୍ଯ୍ୟରତ ୪୭ହଜାର ଆଶାଦିଦିଙ୍କ ଲାଗି ଆନୁଷଙ୍ଗିକ ସହାୟତା ରାଶି ଘୋଷଣା ପାଇଁ ଅତିରିକ୍ତ ବଜେଟରେ ବ୍ୟବସ୍ଥା ହୋଇଛି ।

ଟଙ୍କିକିଆ ଚାଉଳ ବୋଝ
FOOD
ସେହିପରି ଆଗାମୀ ଗାନ୍ଧୀ ଜୟନ୍ତୀ( ୨ଅକ୍ଟୋବର)ରୁ ଓଡ଼ିଶା ସରକାର ନିଜସ୍ୱ ଖାଦ୍ୟ ଯୋଜନା କରୁଛନ୍ତି । ୨୦୧୧ ପରେ ଓଡ଼ିଶାରେ ଜନ୍ମ ହୋଇଥିବା ୪୨ଲକ୍ଷ ୮୯ହଜାର ୭୬୫ ଜଣଙ୍କ ମଧ୍ୟରୁ ପ୍ରାୟ ୮୦ ପ୍ରତିଶତ ଅର୍ଥାତ ୩୪ଲକ୍ଷ ୪୪ହଜାର ଲୋକ ଗରିବ । ଗତ ୭ବର୍ଷ ମଧ୍ୟରେ ବୃଦ୍ଧି ପାଇଥିବା ଜନସଂଖ୍ୟାର ୮୦ଭାଗ ଲୋକଙ୍କୁ ନିଜସ୍ୱ ଖାଦ୍ୟ ସୁରକ୍ଷା ମିଶନରେ ସାମିଲ କରିବାକୁ ଯାଉଛନ୍ତି ଓଡ଼ିଶା ସରକାର । କିନ୍ତୁ ପ୍ରଥମ ପର୍ଯ୍ୟାୟରେ ୨୫ଲକ୍ଷ ହିତାଧିକାରୀଙ୍କୁ ନିଜସ୍ୱ ଖାଦ୍ୟ ଯୋଜନାରେ ଟଙ୍କିକିଆ ଚାଉଳ ଦେବେ ରାଜ୍ୟ ସରକାର । ଯେଉଁଥିପାଇଁ ସରକାରଙ୍କ ଉପରେ ମାସିକ ପ୍ରାୟ ସାଢେ ୩୭କୋଟି ଟଙ୍କାର ଅତିରିକ୍ତ ବୋଝ ପଡିବ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top