X
Breaking News
ନ୍ୟୁଜ୍

ମନରେଗା ଯୋଜନାରେ ବାତ୍ୟା ପ୍ରଭାବିତଙ୍କୁ ସ୍ୱତନ୍ତ୍ର ସହାୟତା ଯୋଗାଇଦିଆଯିବ: କେନ୍ଦ୍ରୀୟ ଟିମ୍

ଭୁବନେଶ୍ୱର: ବାତ୍ୟା କ୍ଷୟକ୍ଷତି ନେଇ ରାଜ୍ୟ ସରକାର ଓ କେନ୍ଦ୍ରୀୟ ଟିମ୍‌ର ମିଳିତ ବୈଠକ ଅନୁଷ୍ଠିତ ହୋଇଯାଇଛି । ଅଢ଼େଇ ଦିନର ସମୀକ୍ଷା ପରେ ଆଜି କ୍ଷୟକ୍ଷତି ଆକଳନ କରାଯାଇଛି । ବାତ୍ୟାରେ ବାତ୍ୟାରେ ରାଜ୍ୟର ୧୨ ହଜାର କୋଟିର କ୍ଷୟକ୍ଷତି ହୋଇଥିବା ପ୍ରାଥିମିକ ରିପୋର୍ଟରୁ ଜଣାପଡ଼ିଛି । ତେବେ ସମ୍ପୂର୍ଣ୍ଣ ସର୍ଭେ ପରେ କ୍ଷତିର ପରିମାଣ ଆହୁରି ବଢ଼ିପାରେ ବୋଲି ଆଶା କରାଯାଉଛି । ଏନେଇ ଚଳିତ ମାସ ଶେଷ ସୁଦ୍ଧା ବିସ୍ତୃତ ରିପୋର୍ଟ ପ୍ରଦାନ କରାଯିବ ବୋଲି ବୈଠକ ପରେ ରାଜ୍ୟ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ସୂଚନା ଦେଇଛନ୍ତି ।

ଆଜି କେନ୍ଦ୍ରୀୟ ଟିମ୍‌ ସହିତ ବାତ୍ୟା କ୍ଷୟକ୍ଷତି ନେଇ ବିସ୍ତୃତ ଆଲୋଚନା କରିଛନ୍ତି ରାଜ୍ୟ ସରକାର । ସମୀକ୍ଷାରେ ପୁରୀରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଟିମ୍‌ର ନେତୃତ୍ୱ ନେଇଥିବା କେନ୍ଦ୍ର ସରକାର ଅତିରିକ୍ତ ସଚିବ ବିବେକ ଭରଦ୍ୱାଜ କହିଛନ୍ତି । କଟକ ଓ ଅନ୍ୟାନ୍ୟ ଅଞ୍ଚଳରେ ବି କ୍ଷତି ହୋଇଛି । ଘର ଭାଙ୍ଗିଛି, ନଡ଼ିଆ ଗଛ ଭାଙ୍ଗିଛି ଓ ପାନ ବରଜ ନଷ୍ଟ ହୋଇଛି । ଏଥିପାଇଁ କ୍ଷତିପୂରଣ ମିଳିବ । ପାୱାର, ନେଟ୍‌ୱାର୍କ ଓ ଜୀବିକା ପାଇଁ ମନରେଗାରେ ବ୍ୟବସ୍ଥା କରାଯିବ । ରାଜ୍ୟ ସରକାରଙ୍କୁ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି ସଚିବ କହିଛନ୍ତି । ସେହିପରି ବାତ୍ୟା ପରେ ରାଜ୍ୟର ପଦକ୍ଷେପକୁ କେନ୍ଦ୍ରୀୟ ଟିମ୍‌ ପ୍ରଶଂସା କରିଛି । ବିପନ୍ନଙ୍କୁ ରିଲିଫ୍‌, ପଲିଥିନ୍‌, ଖାଦ୍ୟ, ଓ ଟଙ୍କା ଆଦି ଯୋଗାଇ ଦେଇଥିବା ଶ୍ରୀ ଭରଦ୍ୱାଜ କହିଛନ୍ତି ।

ସେହିପରି ମୁଖ୍ୟ ଶାସନ ସଚିବ ଶ୍ରୀ ପାଢ଼ୀ କହିଛନ୍ତି ଯେ ବାତ୍ୟାରେ ରାଜ୍ୟର ୧୨ ହଜାର କୋଟିର କ୍ଷୟକ୍ଷତି ହୋଇଥିବା ପ୍ରାଥିମିକ ରିପୋର୍ଟ ଆଧାରରେ ଆକଳନ କରାଯାଇଛି । ଯାହାର ବିସ୍ତୃତ ରିପୋର୍ଟ ପରବର୍ତ୍ତୀ ସମୟରେ ଦିଆଯିବ । ମାତ୍ର ଏନ୍‌ଡିଆର୍‌ଏଫ୍‌ ଓ ଏସ୍‌ଡିଆର୍‌ଏଫ୍‌ ବ୍ୟବସ୍ଥାରେ କୋହଳ ପାଇଁ ପ୍ରସ୍ତାବ ଦିଆଯାଇଛି । ବିଦ୍ୟୁତ ଏସ୍‌ଡିଆର୍‌ଏଫ୍‌ର ନିୟମାବଳୀରେ ନାହିଁ । କିନ୍ତୁ ବାତ୍ୟାରେ ବିଦ୍ୟୁତ ବିଭାଗର ଅଧିକ କ୍ଷତି ହୋଇଛି । ତେଣୁ ଇଲେକ୍‌ଟ୍ରିସିଟି କ୍ଷେତ୍ରରେ ଏସ୍‌ଡିଆର୍‌ଏଫ୍‌ କୋହଳ ପାଇଁ କୁହାଯାଇଥିବା ଶ୍ରୀ ପାଢ଼ୀ ସୂଚନା ଦେଇଛନ୍ତି ।

ଆଜିଠାରୁ ଘରକୁ ଘର ବୁଲି ସର୍ଭେ ଆରମ୍ଭ ହୋଇଛି । କାମକୁ ତ୍ୱରାନ୍ୱିତ କରିବା ପାଇଁ ସରକାରୀ କର୍ମଚାରୀ ଓ ବେସରକାରୀ ସଂସ୍ଥା ନିୟୋଜିତ ହୋଇଛନ୍ତି । ସର୍ଭେ ପରେ କ୍ଷତିର ପରିମାଣ ବଢ଼ିପାରେ । ଚଳିତ ମାସ ଶେଷ ସୁଦ୍ଧା କ୍ଷୟକ୍ଷତିର ରିପୋର୍ଟ ପ୍ରଦାନ କରାଯିବ । କୁକୁଡ଼ା କ୍ଷୟକ୍ଷତି ବାବଦରେ ଅର୍ଥ ରାଶି ବଢ଼ାଇବା ନେଇ କହିଛୁ । ସେହିପରି ବାତ୍ୟା ସମୟରେ ଜିଲ୍ଲାପାଳମାନେ ଭଲ କରିଥିବା ଏସ୍‌ଆର୍‌ସି ବିଷ୍ଣୁପଦ ସେଠୀ କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top