ନ୍ୟୁଜ୍

ଅବିବାହିତ ରହିଲେ, ଉତ୍ସର୍ଗୀକୃତ ଜୀବନ ବିତାଇଲେ ଆଉ ସମସ୍ତଙ୍କ ପାଇଁ ପ୍ରେରଣା ସାଜିଲେ ବାସନ୍ତୀ

Basanti Rajmystrey

ଅର୍ଗସ ବ୍ୟୁରୋ/ ଅନୁଗୋଳ: ମହିଳା ଏବେ ପୁରୁଷଙ୍କ ଠାରୁ କୌଣସି ଗୁଣରେ କମ୍‌ ନୁହଁନ୍ତି । ଏହା ବାରମ୍ବାର ବିଭିନ୍ନ କ୍ଷେତ୍ରରେ ପ୍ରମାଣିତ ହୋଇସାରିଛି । ନିଜର କର୍ମ ପାଇଁ ଅନେକ ମହିଳା ଏବେ ସମାଜରେ ପୁରୁଷଙ୍କଠୁ ଢେର ଆଗରେ । ଏଭଳି ଜଣେ ସଫଳ ମହିଳା ରାଜମିସ୍ତ୍ରୀଙ୍କ ସଙ୍ଘର୍ଷ ପୂର୍ଣ୍ଣ କାହାଣୀ ଆମେ କହିବାକୁ ଯାଉଛୁ । ଯିଏ ନିଜେ ସ୍ୱାବଲମ୍ବୀ ହେବା ସହ ଅନ୍ୟ ମାନଙ୍କୁ ଯୋଗାଇଛନ୍ତି ରୋଜଗାର ପନ୍ଥା । ପରିବାର ପ୍ରତିପୋଷଣ ପାଇଁ ନିଜେ ଅବିବାହିତ ହୋଇ ସମର୍ପଣ ଓ ତ୍ୟାଗର ଏକ ମାଇଲଖୁଣ୍ଟ ସାଜିଛନ୍ତି ସେ ।

ଅନୁଗୁଳର ମହିଳା ରାଜମିସ୍ତ୍ରୀ ବାସନ୍ତି ବେହେରା । ସଦରମହକୁମା ଅନ୍ତର୍ଗତ ଲିଙ୍ଗରାଯୋଡି ଗାଁର ନୂଆ କନ୍ଧସାହିରେ ତାଙ୍କ ଘର । ଘରର ଆର୍ଥିକସ୍ଥିତି ଅତ୍ୟନ୍ତ ଦୁର୍ବିଶହ ହେବା ପରେ ପ୍ରାୟ 15-16 ବର୍ଷ ବୟସରେ ବାସନ୍ତି ବାହାରକୁ ପାଦ କାଢିଥିଲେ ମୂଲ ଲାଗିବାକୁ । ବିଭିନ୍ନ କୋଠାବାଡି ନିର୍ମାଣ କାମରେ ମୂଲ ଲାଗୁ ଲାଗୁ ମିସ୍ତ୍ରୀ କାମ ବି ଶିଖିଲେ । ଜୀବନରେ ଅନେକ ଝଡଝଞ୍ଜା ଦେଇ ଗତି କରିଛନ୍ତି ବାସନ୍ତୀ । ସାଧାରଣ ଭାବେ ପୁରୁଷ ମାନଙ୍କୁ ହିଁ ଦେଖିବାକୁ ମିଳେ ରାଜମିସ୍ତ୍ରୀ ଭାବେ । ହେଲେ ବାସନ୍ତୀଙ୍କ କ୍ଷେତ୍ରରେ ଟିକେ ନିଆରା । ପରିବାରର ବଡ଼ ଝିଅ ଥିଲେ ବାସନ୍ତୀ, ହେଲେ ଏବେ ତାଂକ ପରିବାର କହିଲେ କେବଳ ତିନିପ୍ରାଣୀ ଆଉ ତାଂକ ସାନଭାଇର ପିଲାଙ୍କୁ ନେଇ ସୀମିତ ।

ବାସନ୍ତୀ ତାଙ୍କ ବାପା ମା’ଙ୍କର ବଡ଼ଝିଅ । ଗରିବ ଘରେ ଜନ୍ମ ହୋଇ ଆର୍ଥିକ ଅନଟନ ଦେଇ ଗତି କରିଛନ୍ତି । ନିଜର ଦୁଇଭାଇଙ୍କ ଅକାଳ ମୃତ୍ୟୁର କରାଳ ଦୃଶ୍ୟକୁ ଦେଖି ମଧ୍ୟ ତାଂକର ଜୀବନର ସ୍ରୋତକୁ ଆହୁରି ଶାଣିତ କରିଛନ୍ତି । ପରିବାରର ବୋଝ ମୁଣ୍ଡାଇ, ସେ ନିଜେ ଅବିବାହିତ ରହିଗଲେ । ସୁନାର ଗୁଣମାନ ପରଖି ହୁଏ, କଷଟି ପଥରରେ । ଆଉ ବାସନ୍ତୀ ସଂଘର୍ଷର କଷଟି ପଥରରେ ପାରି ହୋଇ, ଗୋଟିଏ ଉତ୍ସର୍ଗୀକୃତ ମହିଳା ଭାବେ ଆଜି ଅନ୍ୟମାନଂକ ପାଇଁ ଉଦାହରଣ ପାଲଟିଛନ୍ତି ।

ସେ ଯେପରି ରାଜମିସ୍ତ୍ରୀ କାମ ଶିଖି ଆଜି ଜଣେ କୁଶଳୀ ଭାବେ ସଫଳ ହୋଇଛନ୍ତି, ଠିକ୍ ସେପରି ତାଂକର ପନ୍ଦର ବର୍ଷ ରାଜମିସ୍ତ୍ରୀ ଜୀବନରେ 5 ରୁ 6 ଜଣଙ୍କୁ ସେ ରାଜମିସ୍ତ୍ରୀ ପ୍ରଶିକ୍ଷଣ ଦେଇଛନ୍ତି, ଆଉ ସେମାନେ ମଧ୍ୟ ବର୍ତ୍ତମାନ ଅଧିକ ରୋଜଗାର କରିପାରୁଛନ୍ତି ।

ଖାଲି ସେତିକି ନୁହଁ, ଦିନ ସାରା କାମ କରି ଫେରିଲା ପରେ ଘରେ ବସି ନଥାନ୍ତି ବାସନ୍ତୀ । ସେଥିପାଇଁ ଖୋଜିଛନ୍ତି ଆଉ କିଛି ଅଧିକ ଉପାୟ । ନିଜେ କରିଛନ୍ତି ବରା, ପିଆଜି, ପକୁଡିର ଛୋଟିଆ ଦୋକାନ ଟିଏ । ସେଥିରୁ ମଧ୍ୟ ରୋଜଗାର କରି ପରିବାରକୁ ଆହାର ଯୋଗାଉଛନ୍ତି । ଆଉ ଏଥିରେ ତାଂକୁ ସହଯୋଗ କରୁଛନ୍ତି ତାଂକର ଭାଉଜ ।

ଏସବୁ ଭିତରେ ମଧ୍ୟ ବାସନ୍ତୀ ଖୁସି । ଆର୍ଥିକ ସମସ୍ୟା ଅନେକାଂଶରେ ଦୂର ହୋଇଛି । ନିଜେ କିଣିଥିବା ଗାଡିରେ ଯିବାଆସିବା କରୁଛନ୍ତି । ହେଲେ ତାଂକର ଜୀବନ ଯେ, କେତେ ମହନୀୟ ଆଉ ପ୍ରେରଣାଦାୟୀ ତାହା ଆପଣମାନେ ଏଥିରୁ ଅନୁଭବ କରୁଥିବେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top