ନ୍ୟୁଜ୍

ତିନି ବର୍ଷ ହେଲା ଶଯ୍ୟାଶାୟୀ ପରିବାର ମୁଖ୍ୟ, ଦୁଃଖ କଷ୍ଟରେ ଚାଲୁଛି ଘର !

Berhampur

ବ୍ରହ୍ମପୁର: ତିନି ବର୍ଷ ହେଲା ଶଯ୍ୟାଶାୟୀ ଅଛନ୍ତି ପରିବାର ମୁଖ୍ୟ । ପତ୍ନୀଙ୍କ ସ୍ୱଳ୍ପ ରୋଜଗାରରେ ଜଳୁଛି ଚୁଲି । ଇତିମଧ୍ୟରେ ଚିକିତ୍ସା ପାଇଁ ଯୋଗାଡ ହୋଇପାରୁନି ଆବଶ୍ୟକ ଅର୍ଥ । ସରକାର ମାଗଣା ଚିକିତ୍ସା କଥା କହୁଥିବା ବେଳେ ଏମାନଙ୍କ ପାଖରେ ନାହିଁ ସ୍ୱାସ୍ଥ୍ୟ ବୀମା କାର୍ଡ । ଫଳରେ କୌଣସି ସରକାରୀ ସହାୟତା ମିଳିପାରୁ ନାହିଁ ।

ଏ ହେଉଛନ୍ତି ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଳକ ପାଟରାପଲ୍ଲୀ ଗ୍ରାମର ଗିରିଧାରୀ ନାୟକ । ବେଙ୍ଗାଲୁରୁରେ ରାଜ ମିସ୍ତ୍ରୀ ଭାବେ କାର୍ଯ୍ୟ କରି ପରିବାର ପ୍ରତିପୋଷଣ କରୁଥିଲେ । ହେଲେ ପକ୍ଷାଘାତ ସହ ହୃଦରୋଗ ହେବାରୁ ଅକାମୀ ହୋଇପଡିଛନ୍ତି  ଗିରିଧାରୀ । ଚିକିତ୍ସା ପାଇଁ ଏବେ ଅର୍ଥ ସାଜିଛି ବାଧକ । ଆବଶ୍ୟକ ଅର୍ଥ ଯୋଗାଡ଼ କରିପାରୁ ନଥିବାରୁ ଗତ ତିନି ବର୍ଷ ହେଲା ସେ ଶଯ୍ୟାଶାୟୀ ଅଛନ୍ତି ।

ଗିରିଧାରୀଙ୍କ ପରିବାର କହିଲେ ସ୍ତ୍ରୀ ସବିତା ଝିଅ ଆଶାଲତା ଓ ପୁଅ ରବିନ୍ଦ୍ରଙ୍କୁ ନେଇ ତାଙ୍କ ସଂସାର । ପିଲା ଦୁହେଁ ପାଠ ପଢୁଥିବା ବେଳେ ଏବେ ପରିବାରର ବୋଝ ସମ୍ଭାଳୁଛନ୍ତି ପତ୍ନୀ ସବିତା । ଅନ୍ୟ ଘରେ କାମ କରି ପରିବାର ପ୍ରତିପୋଷଣ କରିବା ତାଙ୍କ ପକ୍ଷେ କଷ୍ଟକର ହୋଇପଡିଛି । ଏତେ ଅଭାବ ଅନଟନ ଭିତରେ ଚିକିତ୍ସା ପାଇଁ ଅର୍ଥ ଯୋଗାଡ କରିବା ଅସମ୍ଭବ ହୋଇପଡିଛି ସବିତାଙ୍କ ପାଇଁ । ପରିବାରର ମୁଖ୍ୟ ରୋଗାକ୍ରାନ୍ତ ହୋଇ ଶଯ୍ୟାଶାୟୀ ହୋଇଯାଇଥିବା ବେଳେ ପରିବାରର ମେରୁଦଣ୍ଡ ଭିଙ୍ଗିଯାଇଛି । ସରକାରୀ, ବେସରକାରୀ କିମ୍ବା କୌଣସି ବଦାନ୍ୟ ବ୍ୟକ୍ତି ସହାୟତାର ହାତ ବଢ଼ାଇଲେ ଗିରିଧାରୀ ଚିକିତ୍ସା ପାଇପାରିବେ ବୋଲି ଆଶା କରିଛନ୍ତି ସବିତା । ତେବେ ଦେଖିବାକୁ ବାକି ରହିଲା କେବେ ସରକାର ଏହି ଅସହାୟ ପରିବାରକୁ ସହାୟତାର ହାତ ବଢ଼ାଉଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top