ନ୍ୟୁଜ୍

ରାସ୍ତାର ଦୁଇ ପାର୍ଶ୍ଵରେ ମୃତ୍ୟୁ, ଏପଟେ ପାଣି ସେପଟେ ଟ୍ରେନ୍‌ ! ଦେଖନ୍ତୁ…

Berhampur News

ବ୍ରହ୍ମପୁର: ରାସ୍ତାର ଦୁଇ ପାର୍ଶ୍ଵରେ ମୃତ୍ୟୁ । ଏପଟେ ପାଣି ସେପଟେ ଟ୍ରେନ୍‌ । ଜୀବନ ଏବଂ ମୃତ୍ୟୁ ମଧ୍ୟରେ ବ୍ୟବଧାନ ଅତି କମ୍‌ । ତଥାପି ବିପଦ ସଙ୍କୁଳ ଅବସ୍ଥାରେ ନୀତିଦିନ ଯିବା ଆସିବା କରୁଛନ୍ତି ଆବାଳ ବୃଦ୍ଧ ବନିତା । ଆମେ କହୁଛୁ ଗଞ୍ଜାମ ଏବଂ ଛତ୍ରପୁର ମଧ୍ୟରେ ଥିବା ଟ୍ରେନ ଲାଇନର କଥା । ଗଞ୍ଜାମ ଏବଂ ଛତ୍ରପୁର ବ୍ଲକର କରପଡା, ଦାମଦୋରପୁର, ନୀଳାଦ୍ରିପୁର ପରି ପାଖାପାଖି ଛୋଟ ବଡ଼ 15 ଖଣ୍ଡ ଗାଁ ଲୋକଙ୍କୁ ନିତିଦିନିଆ ଏହି ରାସ୍ତା ଦେଇ ଯିବା ଆସିବା କରିବାକୁ ପଡିଥାଏ । ଟିକେ ଏପଟ ସେପଟ ହେଲେ ମୂଲ୍ୟବାନ ଜୀବନଟିଏ ଚାଲିଯିବ ବୋଲି ଜାଣି ମଧ୍ୟ ଲୋକେ ନିତିଦିନ ଏହି ରାସ୍ତା ଦେଇ ଯିବା ଆସିବା କରିବାକୁ ବାଧ୍ୟ ହେଉଛନ୍ତି ।

ମୃତ୍ୟୁର ରାସ୍ତା ଦେଇ ଲୋକଙ୍କୁ ପାଖାପାଖି 600 ରୁ 700 ମିଟର ଅତିକ୍ରମ କରିବାକୁ ପଡୁଛି । 2003 ମସିହାରେ ରୁସିକୁଲ୍ୟା ନଦୀ ଉପରେ ଥିବା ପୋଲଟିଏ ଭାଙ୍ଗିଯିବା ପରେ ଦୁଇଟି ସଡକ ପଥ ନିର୍ମାଣ ହୋଇଛି ସତ, କିନ୍ତୁ ସେହି ସଡକ ଦେଇ ଜାତୀୟ ରାଜପଥରେ ପହଞ୍ଚିବାକୁ ହେଲେ ସ୍ଥାନୀୟ ଲୋକଙ୍କୁ 15 ରୁ 20 କିଲୋମିଟର ଦୂର ଯିବାକୁ ପଡୁଛି । ହେଲେ ଏହି ବିପଦ ସଙ୍କୁଳ ରେଳ ଲାଇନ ଦେଇ ଗଲେ ମାତ୍ର 5 କିଲୋମିଟର ମଧ୍ୟରେ ମୁଖ୍ୟ ରାସ୍ତା ଆସିଯାଉଛି । ସେଥିପାଇଁ ଜୀବନକୁ ପାଣି ଫୋଟକା କରି ଲୋକେ ଏହି ରାସ୍ତାରେ ଯିବା ଆସିବା କରୁଛନ୍ତି ।

ଏହି ରାସ୍ତାରେ ଯାତାୟତ କରି ଅନେକ ଜୀବନ ଗଲାଣି । ତଥାପି ଲୋକଙ୍କ ସମସ୍ୟାକୁ ପ୍ରଶାସନ ଅଣଦେଖା କରୁଛି । ସେପଟେ ସଅଳ ଓ ସୁବିଧାରେ ଯାତାୟତ ପାଇଁ ବିପଦ ସଙ୍କୁଳ ରେଳପଥକୁ ଉଚିତ୍‌ ମଣୁଛନ୍ତି ସ୍ଥାନୀୟବାସିନ୍ଦା !

Click to comment

Leave a Reply

Your email address will not be published. Required fields are marked *

Most Popular

To Top