ନ୍ୟୁଜ୍

ମହିଳାଙ୍କ ସୁରକ୍ଷା ପାଇଁ ଅନେକ ଯୋଜନା, କିନ୍ତୁ ବାସ୍ତବ ସ୍ଥିତି ଓଲଟା !

WOMEN PCR

ଭୁବନେଶ୍ୱର: ଯୋଜନା ମାଳମାଳ, ହେଲେ କ୍ରିୟାନ୍ୱୟନ ଦୁର୍ବଳ । ଆମେ କହୁଛୁ ମୁଖ୍ୟମନ୍ତ୍ରୀଙ୍କ ହାତରେ ଥିବା ଗୃହ ବିଭାଗର କଥା । ମହିଳାଙ୍କ ସୁରକ୍ଷା ପାଇଁ ପୋଲିସ ଗୋଟିଏ ପରେ ଗୋଟିଏ ଯୋଜନା କରୁଥିବା ବେଳେ ଏବେ ସରକାରଙ୍କ ସବୁ ଯୋଜନା ଅଟକିଛି ନାଲିଫିତା ତଲେ । ସେ ପିଙ୍କ୍ ଅଟୋ ହେଉ ଅବା ମହିଳା ପିସିଆର୍, ସବୁ କେବଳ ଘୋଷଣାରେ ଅଟକିଛି ।

ଯୋଜନା ଅନ୍ତର୍ଦ୍ଦାନ । ବିତିଲା 2 ବର୍ଷ, ମିଳୁନି ସନ୍ଧାନ । ମାର୍ଚ୍ଚ 8 2017, ମହିଳା ଦିବସ ଅବସରରେ ମହିଳାଙ୍କ ପାଇଁ ଘୋଷଣା ହୋଇଥିଲା ନୂଆ ଯୋଜନା । ଟ୍ୱିନ ସିଟିରେ ଚାଲିବ ଓମେନ ପିସିଆର । ଏନେଇ ଗଣମାଧ୍ୟମରେ ପ୍ରକାଶ ପାଇଥିଲା ଖବର । ସୁରକ୍ଷା ପାଇଁ ଲାଗିବ 3000 ସିସିଟିଭି । ତତ୍‌କାଳିନ ପୋଲିସ କମିଶନର ଯୋଗେସ ବାହାଦୁର ଖୁରାନିଆ ଭିଜନ ଟ୍ୱେଣ୍ଟି-20କୁ ଦୃଷ୍ଟିରେ ରଖି ଏଭଳି ଘୋଷଣା କରିଥିଲେ । ମହିଳାଙ୍କ ସୁରକ୍ଷା ପାଇଁ ଟ୍ୱିନସିଟିରେ 135 କୋଟି 35 ଲକ୍ଷ ଟଙ୍କା ଖର୍ଚ୍ଚ କରିବା ପାଇଁ ଲକ୍ଷ୍ୟ ରଖିଥିଲା କମିଶନରେଟ ପୋଲିସ । ବିତିଗଲା ଦୁଇବର୍ଷ, ହେଲେ ଶୀତଳଭଣ୍ଡାରରେ ରହିଗଲା ଯୋଜନା । ବଦଳିଗଲେ ସେତେବେଳର ପୋଲିସ କମିଶନର । ଆଉ ନାଲିଫିତା ତଳେ ଅଟକି ଗଲା ଫାଇଲ୍ । ତେବେ ସବୁବେଳେ ମହିଳାଙ୍କ କଥାକୁ ପ୍ରାଧାନ୍ୟ ଦେଉଥିବା ମୁଖ୍ୟମନ୍ତ୍ରୀଙ୍କ ନୀରବତାକୁ ନେଇ ଏବେ ଉଠିଛି ପ୍ରଶ୍ନ । ଫାଇଲ୍ କ୍ଷୀପ୍ର ବେଗରେ ଦୌଡିବା କଥା କହୁଥିବା ଅଧିକାରୀ ଚୁପ୍ କାହିଁକି ?

କମିଶନରେଟ ପୋଲିସ ପକ୍ଷରୁ ପୂର୍ବରୁ ମହିଳାଙ୍କ ସୁରକ୍ଷା ପାଇଁ ଘୋଷଣା କରାଯାଇଥିବା ପିଙ୍କ୍‌ ଅଟୋ କଥା ନକହିବା ଭଲ । ମହିଳା ଓ ଶିଶୁ ଡେକ୍ସ କାର୍ଯ୍ୟକରୁନି । ମହିଳା ସୁରକ୍ଷା ଭଳି ଗରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ପୋଲିସର ଏଭଳି ଖାମଖିଆଲି ମନୋଭାବକୁ ନେଇ ଅସନ୍ତୋଷ ପ୍ରକାଶ କରୁଛନ୍ତି ସାଧାରଣ ଲୋକ । ଅପରପକ୍ଷରେ ପୂର୍ବତନ ପୋଲିସ ଡିଜି ବିପିନି ବିହାରି ମିଶ୍ର କହିଛନ୍ତି ଯୋଜନା ବନ୍ଦ ହୁଏନି ବରଂ ଧିମେଇ ଯାଏ, ଯୋଜନା କାର୍ଯ୍ୟକାରୀ ନହେବା ପଛରେ ବିଭିନ୍ନ କାରଣ ଥାଏ ।

ମହିଳାଙ୍କ ସୁରକ୍ଷା କ୍ଷେତ୍ରରେ ପୋଲିସ ତତ୍ପରତା ପ୍ରକାଶ କରୁଥିବା କଥା କହୁଥିବା ବେଳେ ମହିଳାଙ୍କ ପାଇଁ କରାଯାଇଥିବା ବିଭିନ୍ନ ଯୋଜନା କାର୍ଯ୍ୟକାରୀ ନହେବା ଏବେ ପୋଲିସ ବିଭାଗର ପାରିବାପଣିଆକୁ ପଦାରେ ପକାଇଦେଇଛି । ସେପଟେ ଗୃହ ବିଭାଗର ମୁଖିଆ ଖୋଦ୍ ମୁଖ୍ୟମନ୍ତ୍ରୀ ହୋଇଥିବା ବେଳେ ଏହି ଘଟଣାର ସମୀକ୍ଷା କେବେ କରିବେ ତାହା ଏବେ ଦେଖିବାକୁ ବାକି ରହିଲା ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top