ନ୍ୟୁଜ୍

ବଢ଼ୁଛି ନିଶା କାରବାର, ଚାନ୍ଦବାଲି ଅବକାରୀ କାର୍ଯ୍ୟାଳୟରେ ଝୁଲୁଛି ତାଲା 

ଭଦ୍ରକ: ରାଜ୍ୟରେ ବଡି ଚାଲିଛି ନିଶା କାରବାର । ବାରମ୍ବାର ଅଭିଯୋଗ ପରେ ମଧ୍ୟ ସୁଧୁରୁନି ଅବସ୍ଥା । ଏନେଇ ବନ୍ଦର ନଗରୀ ଚାନ୍ଦବାଲିରେ ନିଶା କାରବାର ରୋକିବା ପାଇଁ ସରକାର ନିର୍ମାଣ କରିଛନ୍ତି ଅବକାରୀ ବିଭାଗ କାର୍ଯ୍ୟାଳୟ । ହେଲେ ନିର୍ମାଣର ୨ ବର୍ଷ ପରେ ବି ତାହା ଆଜି ଯାଏଁ କାର୍ଯ୍ୟକ୍ଷମ ହୋଇପାରିନାହିଁ । ଚାନ୍ଦବାଲି ଅବକାରୀ ବିଭାଗର କାର୍ଯ୍ୟାଳୟ ପାଇଁ କର୍ମଚାରୀ ମଧ୍ୟ ନିଯୁକ୍ତି ହୋଇଛନ୍ତି । ହେଲେ ଅଫିସରଙ୍କଠୁ ଆରମ୍ଭ କରି ଅଧିକାରୀ ଯାଏଁ ଜିଲ୍ଲା ହେଡ଼କ୍ୱାଟରରେ କାର୍ଯ୍ୟ କରୁଛନ୍ତି । ସେପଟେ ଚାନ୍ଦବାଲିର ଅଫିସ ଗୃହରେ ବର୍ଷସାରା ତାଲା ଝୁଲୁଥିବା ଦେଖିବାକୁ ମିଳିଛି  । ଏପଟେ ଦିନକୁ ଦିନ ବଢି ଚାଲିଛି ନିଶା କାରବାର ଓ ମଦମୃତ୍ୟୁ ସଂଖ୍ୟା। ସବୁ ଜାଣିଶୁଣି ଚୁପ ବସିଛି ପ୍ରଶାସନ । ଚୋରା ମଦର ଅବାଧ କାରବାର ରୋକିବା ପାଇଁ ବହୁବାର ମହିଳା ସଂଗଠନଠୁ ଆରମ୍ଭ କରି ଯୁବ ସଂଗଠନ ଯାଏଁ ମଦ ଗାଡ଼ି ଭାଙ୍ଗିବା ସହ ତହସିଲ ଅଫିସ ମଧ୍ୟ ଘୋରାଉ କରିଛନ୍ତି ହେଲେ ଅବକାରୀ ବିଭାଗ ଏନେଇ କୈଣସି କାର୍ଯ୍ୟନୁଷ୍ଠାନ ନେଉନାହାନ୍ତି ।

ଚାନ୍ଦବାଲି ବ୍ଳକରେ ୩୬ ପଞ୍ଚାୟତ ସହ (ଏନଏସି) ୧୫ଟି ୱାର୍ଡ଼ ମଧ୍ୟରୁ ମୁଖ୍ୟତଃ ଭାଟପଡ଼ା, ଆରଡ଼ି ମୁଆଁ, ଚରଦିଆ, ଧାମରା, ବିଜୟନଗର, ଓରାସାହି, ନୁଆଗାଁ, ବାଲିଗାଁ, ଯଶିପୁର, ମତୋ ,ଘଟେଶ୍ୱର, ଖେରଙ୍ଗ, ଗଦୀ ଓ ପିରାହାଟ ଆଦି ସ୍ଥାନ ମାନଙ୍କରେ ପ୍ରତିଦିନ ଚୋରା ମଦ କାରବାର ହେଉଥିବା ସୂଚନା ମିଳିଛି । ତେବେ ବହୁଳ ପରିମାଣରେ ମଦ ବିକ୍ରି ହେବା ସହ ଦିନ ଦିପହରରେ ଖୋଲାରେ (ଚାନ୍ଦବାଲି ହାଟ ) ମଧ୍ୟ ଚୋରା ମଦ ବିକ୍ରି ହେଉଛି ।  ଏକଥା ଯେ ଅବକାରୀ ବିଭାଗ ଓ ପୋଲିସ ବିଭାଗ ପାଖରେ ଖବର ନାହିଁ ତାହା କହିବା ବୃଥା । ପୂଜା ପାର୍ବଣ ପୂର୍ବରୁ ଜଣେ ଦୁଇଜଣ ମଦ ମାଫିଆଙ୍କୁ ଧରି ସେମାନଙ୍କ ନାଁରେ ମାମଲା ରୁଜୁ କରାଯାଏ । ଏମତିକି ଏବେ ପାନ ଦୋକାନଠୁ ଆରମ୍ଭ କରି ଛୋଟ ଛୋଟ ରାସନ ଦୋକାନରେ ମଧ୍ୟ ଚୋରା ମଦ କାରବାର ବିଶେଷ ମାତ୍ରରେ ଦେଖିବାକୁ ମିଳୁଛି ।

ଏବେ ଚାଲିଛି ନିର୍ବାଚନୀ ମାହୋଲ । ପ୍ରତିଦିନ ନିଶାପାନ କରି ଯୁବକ ମାନେ ସହର ଠାରୁ ଆରମ୍ଭ କରି ଗାଁ ଯାଏଁ ଦୃତ ଗତିରେ ଗାଡ଼ି ଚାଳନା କରୁଛନ୍ତି । ଏନେଇ ଅନେକ ଥର ଛୋଟ ବଡ଼ ଦୁର୍ଘଟଣା ମଧ୍ୟ ଘଟିଚାଲିଛି । ଅନ୍ୟପଟେ ଚାନ୍ଦବାଲିରେ ଅବକାରୀ ବିଭାଗର ଅଫିସ ଥାଇ ବି କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ଯେମିତି ବହୁଳ ପରିମାଣରେ ଗାଁ ଛକରୁ ସହର ଯାଏଁ ନିଶା କାରବାରର ପସରା ଦିନକୁ ଦିନ ବ୍ୟାପିବାରେ ଲାଗିଛି, ତାହା ଆଗମୀ ଦିନରେ କେଉଁ ରୂପ ନେବ ତାହା କହିହେବ ନାହିଁ ।

 

 

Click to comment

Leave a Reply

Your email address will not be published. Required fields are marked *

Most Popular

To Top