ନ୍ୟୁଜ୍

ସୁଚନା ଅଧିକାର ଆଇନ୍‌ ବଳରେ ମନ୍ତ୍ରୀଙ୍କ ପୋଲ୍‌ ଖୋଲିଲା କଂଗ୍ରେସ

Satyaprakash nayak

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବହୁ ଚର୍ଚ୍ଚିତ ଏବଂ ଆରମ୍ଭରୁ ବିବାଦ ଘେରରେ ଫିସିଥିବା କାଳିଆ ଯୋଜନାକୁ ନେଇ ପୁଣି ସରକାରଙ୍କୁ କାଠଗଡ଼ାକୁ ଟାଣିଛି କଂଗ୍ରେସ । କଂଗ୍ରେସ ପକ୍ଷରୁ ମୁଖପାତ୍ର ସତ୍ୟପ୍ରକାଶ ନାୟକ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି । କଂଗ୍ରେସ ସିଧାସଳଖ ବିଭାଗୀୟ ମନ୍ତ୍ରୀ ଅରୁଣ ସାହୁଙ୍କୁ ଟାର୍ଗେଟ କରିଛି ଏବଂ କାଳିଆ ଯୋଜନାରେ ହୋଇଥିବା ବିଭିନ୍ନ ଅନିୟମିତତା ନେଇ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି କରିଛି । କଂଗ୍ରେସ ଆହୁରି ମଧ୍ୟ କହିଛି ଯେ, ବିଧାନସଭାରେ ମନ୍ତ୍ରୀ ଅରୁଣ ସାହୁ କାଳିଆ ଯୋଜନାକୁ ନେଇ ଦେଇଥିବା ତଥ୍ୟ ସମ୍ପୂର୍ଣ୍ଣ ଭୁଲ୍‌ । ସେ ବିଧାନସଭା ଭଳି ପବିତ୍ର ଗୃହରେ ମିଥ୍ୟା ତଥ୍ୟ ଦେଇଛନ୍ତି । ତେଣୁ ସେ ଇସ୍ତଫା ଦିଅନ୍ତୁ ।

ସୂଚନା ଅଧିକାର ଆଇନ ବଳରେ କାଳିଆର ଅସଲି ଚିଠା ଲାଗିଛି କଂଗ୍ରେସ ହାତରେ । ଉକ୍ତ ଆର୍‌ଟିଆଇ ରିପୋର୍ଟକୁ ନେଇ ସିଧାସଳଖ ମନ୍ତ୍ରୀ ଅରୁଣ ସାହୁଙ୍କୁ କାଠଗଡ଼ାକୁ ଟାଣିଛି କଂଗ୍ରେସ । ବିଧାନସଭାରେ ମନ୍ତ୍ରୀ ଅଯୋଗ୍ୟ ହିତାଧିକାରୀଙ୍କ ମିଥ୍ୟା ତଥ୍ୟ ଦେଇଛନ୍ତି ବୋଲି ଦର୍ଶାଇଛି କଂଗ୍ରେସ ।

ଚଳିତ ବିଧାନସଭା ଅଧିବେଶନରେ, ଗତ 13 ନଭେମ୍ବରରେ କାଳିଆ ଯୋଜନରେ ସାମିଲ ଥିବା ଅଯୋଗ୍ୟ ହିତାଧିକାରୀଙ୍କ ସଂଖ୍ୟା କେତେ ବୋଲି ବିଧାୟକ ଅଶ୍ୱିନୀ ପାତ୍ର ପ୍ରଶ୍ନ କରିଥିଲେ । ଏହାର ଉତ୍ତର ରଖିଥିଲେ ମନ୍ତ୍ରୀ ଅରୁଣ ସାହୁ । ଉତ୍ତରରେ ମନ୍ତ୍ରୀ ଯେଉଁ ତଥ୍ୟ ଦେଇଥିଲେ ତାହା ବାସ୍ତବ ଚିତ୍ର ଠାରୁ ସମ୍ପୂର୍ଣ୍ଣ ଅଲଗା ବୋଲି କଂଗ୍ରେସ ଅଭିଯୋଗ କରିଛି ।

ମନ୍ତ୍ରୀ ଅରୁଣ ସାହୁ ନିଜ ଉତ୍ତରରେ କହିଥିଲେ 45 ହଜାର 965 ଜଣ ହେଉଛନ୍ତି କାଳିଆ ଯୋଜନାରେ ସାମିଲ ଥିବା ଅଯୋଗ୍ୟ ହିତାଧିକାରୀ । ହେଲେ ସୂଚନା ଅଧିକାର ଆଇନ୍‌ ବଳରେ କଂଗ୍ରେସ ହାତରେ ଯେଉଁ ତଥ୍ୟ ଲାଗିଛି ସେଥିରେ ଭିନ୍ନ ତଥ୍ୟ ରହିଛି । 10ଟି ଜିଲ୍ଲାର ଜିଲ୍ଲା ମୁଖ୍ୟ କୃଷି ଅଧିକାରୀମାନେ ସରକାରଙ୍କୁ ଦେଇଥିବା ରିପୋର୍ଟରୁ ଜଣାପଡ଼ିଛି ଯେ, 1 ଲକ୍ଷ 72 ହଜାର 908 ଜଣ ଅଯୋଗ୍ୟ ହିତାଧିକାରୀ ରହିଛନ୍ତି କାଳିଆ ତାଲିକାରେ ।

ତେଣୁ ମନ୍ତ୍ରୀଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ କରାଯାଉ ବୋଲି ଦାବି କରିଛି କଂଗ୍ରେସ । ଏହାସହ ମିଥ୍ୟ ତଥ୍ୟ ଉପସ୍ଥାପନା କରିଥିବାରୁ ଗୃହର ଗାରିମା କ୍ଷୁର୍ଣ୍ଣ ହୋଇଛି । ତେଣୁ ତୁରନ୍ତ ମନ୍ତ୍ରୀଙ୍କୁ ବହିଷ୍କାର କରାଯାଉ ଏବଂ ଗୃହରେ ମଧ୍ୟ 5ଟି ଲାଗୁ କରାଯାଉ ବୋଲି ଦାବି କରିଛି କଂଗ୍ରେସ  ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top