X
Breaking News
ଅପରାଧ

ଥାନାରେ ପଶି ପୋଲିସଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କୁ ମାସକରେ ବେଲ୍‌ !

Prakash

ଭୁବନେଶ୍ୱର: ମାସକ ଭିତରେ ମିଳିଲା ବେଲ । ପୁଣି ପୋଲିସକୁ ମାଡ ମାରିଥିବା ଅଭିଯୁକ୍ତ ଅପରାଧିକୁ । ସବୁ ପ୍ରମାଣ ଥାଇ ବି ପୋଲିସ ଆଗରେ କାନୁନ ମାରିଲା ଫେଲ । ଅପରାଧିକୁ ସଜ୍ଜା ବଦଳରେ ସସମ୍ମାନେ ଛାଡ ମିଳିଲା । ଆଉ ଏବେ ନିର୍ବାଚନ ବେଳେ ପ୍ରଚାର କାର୍ଯ୍ୟରେ ମାତିଯାଇଛନ୍ତି ଅଭିଯୁକ୍ତ ଅପରାଧି । ତେବେ ଏହା କିଭଳି ସମ୍ଭବ ହେଲା । କାହା ଚାପରେ ଅପରାଧିକୁ ବେଲ ମିଳିଲା, କାହା ପାଇଁ କାନୁନ ପୁଣି ଅନ୍ଧା କାନୁନ ହେଲା ତାକୁ ନେଇ ଏବେ ସାଧାରଣଣେ ପ୍ରଶ୍ନବାଚୀ ।

 ସହିଦ ନଗର ଥାନାରେ ପଶି ପୋଲିସଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଶାସକ ଦଳର କର୍ମୀଙ୍କୁ ମିଳିଯାଇଛି ବେଲ । ଯେଉଁ ଆକ୍ରମଣକୁ ନେଇ ରାଜ୍ୟରେ  ବହୁ ହଟ ଚମଟ ହୋଇଥିଲା । ସେହି ଘଟଣାର ମୁଖ୍ୟ କାର୍ପଟଦାରକୁ ଆଇନର ଫନ୍ଦା ବାନ୍ଧିରଖିପାରିଲା ନାହିଁ । ଉକ୍ତ ଘଟଣାରେ ମୁଖ୍ୟ ଅଭିଯୁକ୍ତ ପ୍ରକାଶ ତ୍ରୀପାଠୀଙ୍କ ସମେତ ଅନ୍ୟମାନଙ୍କୁ ପୋଲିସ ଗିରଫ କଲା ସତ । ହେଲେ ସବୁ ଫୁସ ମାରିଲା । ମାମଲାର ମୁଖ୍ୟ ଅଭିଯୁକ୍ତ ବିଜୁ ଯୁବ ଜନତା ଦଳର ଉପ ସଭାପତି ପ୍ରକାଶ ତ୍ରୀପାଠୀଙ୍କୁ ଗିରଫ କରିବା ପୂର୍ବରୁ ବହୁ ପଲିଟିକାଲ ପ୍ରେସରର ସାମ୍ନା କରିଥିଲା ପୋଲିସ ।

ପ୍ରତିଦିନ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବାର ଦାବି ହେଉଥିବା ସତ୍ତ୍ୱେ ପୋଲିସ ବହୁ ବିଳମ୍ବରେ ପ୍ରକାଶଙ୍କୁ ଗିରଫ କରିଥିଲା । ସହିଦ ନଗର ଥାନାରେ ପ୍ରକାଶଙ୍କୁ ସିଲଟ ଧରାଇ ପୋଲିସ ଲଗାଇଲା 307, 333, 451, 294 ଭଳି 9ଟି ଦଫା । ତେବେ ଆପଣ ଭାବୁଥିବେ ଅସୁବିଧା କେଉଁଟି ରହିଲ।, ମୁଖ୍ୟ ଅଭିଯୁକ୍ତ ତ ଗିରଫ ହେଲା । ହଁ ଆଜ୍ଞା ଅସଲ ପ୍ରୋବ୍ଲେମ ତ ଏବେ । 307 ଭଳି ଦଫା ଲାଗିଥିବା ଅଭିଯୁକ୍ତ ଗିରଫ ହେବାର ମାସେ ନପୂରୁଣୁ ଜାମିନ ପାଇଲା କେମିତି ? କେବଳ ମୁଖ୍ୟ ଅଭିଯୁକ୍ତ କାହିଁକି ତାଙ୍କ ପୂର୍ବରୁ ଏବଂ ପରେ ଗିରଫ ହୋଇଥିବା କେତେକଙ୍କୁ ମଧ୍ୟ ବେଲ୍‌ ମିଳିସାରିଛି । କେବଳ ସେତିକି ନୁହେଁ ସେମାନେ ଫେରିବା ପରେ ସୋସିଆଲ ମିଡିଆରେ ବିଜେଡି ପାଇଁ ଚର୍ଚ୍ଚା ଆରମ୍ଭ ମଧ୍ୟ କରିଛନ୍ତି ।  9 ମାର୍ଚ୍ଚରେ ଗିରଫ ହୋଇଥିବା ପ୍ରକାଶ 10 ଏପ୍ରିଲରେ ବେଲ୍‌ ପାଇଛନ୍ତି ।

ସେ ଯାହା ହେଉ ଏମାନଙ୍କ ବେଲ୍‌ ପାଇବା ପଛର ବହୁ ବିଧାୟକ ଏବଂ ଆଶାୟୀଙ୍କ ହାତ ଥିବା କଥା କୁହାଯାଉଛି । ବର୍ତ୍ତମାନ ଭୁବନେଶ୍ୱର ଉତ୍ତରର ବିଧାୟକ ପ୍ରିୟଦର୍ଶୀ ମିଶ୍ରଙ୍କ ସବୁ କଥାକୁ ବୁଝି ଅତି ନିଖୁଣ ଭାବେ କରନ୍ତି ପ୍ରକାଶ ତ୍ରିପାଠୀ । ଯଦିଓ ପ୍ରକାଶଙ୍କ ପାଇଁ ପ୍ରିୟଦର୍ଶୀଙ୍କ ମନରେ ଦରଦ ରହିଛି କିନ୍ତୁ ବେଲ୍‌ କରିବା ପଛରେ ତାଙ୍କର ଏତେଟା ହାତ ନଥିବା କୁହାଯାଉଛି । କାରଣ ଏଥର ପ୍ରିୟଦର୍ଶୀଙ୍କୁ ଟିକେଟ ଦେଇନି ଦଳ । ପ୍ରିୟଦର୍ଶୀଙ୍କ ଟିକେଟ କଟିଥିବା ବେଳେ ଏବେ ଦଳ ଜଣେ ନୂଆ ମୁହଁଙ୍କୁ ଭୁବନେଶ୍ୱରରୁ ପ୍ରାର୍ଥୀ କରିଛି । ତେବେ ଏହି ନୂଆ ପ୍ରାର୍ଥୀଙ୍କୁ କାଳେ ନିର୍ବାଚନରେ ମ୍ୟାନ୍‌ ପାୱାରର ଆବଶ୍ୟକତା ଥିଲା  । ତେଣୁ ସେ ପ୍ରିୟଦର୍ଶୀ ବାବୁଙ୍କ କଥା ମାନି ପ୍ରକାଶଙ୍କ ବେଲ୍‌ କରାଇଥିବା ଚର୍ଚ୍ଚା ଜୋର ଚାଲିଛି ।

ତେବେ ଅସଲ କଥା ହେଉଛି ପାୱାର ଆଗରେ ସବୁ ଅସାର । ପୋଲିସ୍‌ଙ୍କୁ ମରଣାନ୍ତକ ଆକ୍ରମଣ କରି ବି ଖସି ଯାଉଛନ୍ତି ଶାସକ ଦଳର କର୍ମୀ । ଅନ୍ୟପଟେ ପୋଲିସର ଆଟେମ୍ପଟ୍‌ ଟୁ ମର୍ଡର ଦଫା 307 ଲାଗିବା ପରେ ବି ଫଳ ଶୂନ । ତେଣୁ ଆମେ କଣ ଭାବିନେବା ଯେ ପଲିଟିକାଲ୍‌ ପାୱାର ଆଗରେ ଆଇନ୍ କାନୁନ ମାନେ କିଛି ନାହିଁ । ଏକଥା ଆମେ କହୁନୁ ଥାନାରେ ପଶି ପୋଲିସଙ୍କୁ ଲହୁଲୁହାଣ କରି ମାସେ ଭିତରେ ବେଲ୍‌  ପାଇ ବୁଲୁଥିବା ଅଭିଯୁକ୍ତଙ୍କୁ ଦେଖି ସାଧାରଣ ଲୋକ ଏଭଳି କହୁଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top