X
Breaking News
ଅପରାଧ

ରାଜ୍ୟରେ ଚାଲିଛି ରାଜ୍ୟ ବାହାର ଗଞ୍ଜେଇ ମାଫିଆଙ୍କ ରାଜ୍‌ !

ganja

କୋରାପୁଟ: ରାଜ୍ୟରେ ବଢିବାରେ ଲାଗିଛି ଗଞ୍ଜେଇ ମାଫିଆଙ୍କ ଉପଦ୍ରବ । ଗତ ତିନି ମାସ ମଧ୍ୟରେ ରାଜ୍ୟ ବାହାରର 24 ଜଣଙ୍କୁ ଗଞ୍ଜେଇ ଚାଲାଣ କରୁଥିବା ଅଭିଯୋଗରେ ଗିରଫ କରିଛି ପୋଲିସ । ଖାଲି ସେତିକି ନୁହେଁ ଗୋଟିଏ ଟ୍ରକ୍, ୭ଟି କାର ସହ ଗୋଟିଏ ପାଣି ଟାଙ୍କି ଓ ୨ଟି ବାଇକ୍ ମଧ୍ୟ ଜବତ କରିଛି ପୋଲିସ ।

ତେବେ ରାଜ୍ୟ ତଥା ରାଜ୍ୟ ବାହାରର ବିଭିନ୍ନ ଅଞ୍ଚଳକୁ ଓଡ଼ିଶାରୁ ଗଞ୍ଜେଇ ଚାଲାଣ ହେଉଥିବା ଅଭିଯୋଗ ହୋଇ ଆସୁଛି । କିନ୍ତୁ ଏହାକୁ ରୋକିବାରେ ପୋଲିସ ବିଫଳ ହୋଇଛି । ଗଞ୍ଜେଇ ଚାଲାଣକାରୀ କେତେବେଳେ ପାଣି ଟଙ୍କି ତ କେତେବେଳେ ଟ୍ରକ୍‌ ଚକାରେ ଓ କେତେବେଳେ ଟ୍ୟାଙ୍କରରେ ଗଞ୍ଜେଇ ରଖି ଚାଲାଣ କରୁଛନ୍ତି । ଗଞ୍ଜେଇର ଭୂସ୍ୱର୍ଗ କୁହାଯାଉଥିବା କୋରାପୁଟ ଜିଲ୍ଲାରେ ପୋଲିସ ବାରମ୍ବାର ଗଞ୍ଜେଇ ମାଫିଆଙ୍କୁ ଗିରଫ କରିବା ସହ ଏକର ଏକର ଗଞ୍ଜେଇ ଚାଷ ନଷ୍ଟ କରିଥିଲେ ମଧ୍ୟ ତାହା ଥମିବାର ନାଁ ଧରୁନି ।

ତେବେ ସବୁଠାରୁ ବଡ଼ କଥା ହେଲା, କୋରାପୁଟ ଜିଲ୍ଲାର ଜୟପୁର ଅଞ୍ଚଳରେ ମାତିଛନ୍ତି ‌ରାଜ୍ୟ ବାହାର ଅପରାଧୀ । ଗତ ତିନି ମାସ ମଧ୍ୟରେ ଗିରଫ ହୋଇଥିବା 24 ଜଣ ଗଞ୍ଜେଇ ମାଫିଆଙ୍କ ମଧ୍ୟରେ ମୁଖ୍ୟତଃ ଉତ୍ତର ପ୍ରଦେଶ, ମଧ୍ୟ ପ୍ରଦେଶ, ବିହାର ଓ ପଶ୍ଚିମବଙ୍ଗରୁ ୧୬ଜଣ ଅପରାଧୀ ରହିଥିବା ଜଣାପଡ଼ିଛି । ଅନ୍ୟ ୮ଜଣ ଓଡ଼ିଶାର ବୋଲି ଜଣାପଡ଼ିଛି । ତେବେ ରାଜ୍ୟ ବାହାର ଅପରାଧୀମାନେ ଜୟପୁରକୁ ଆସୁଛନ୍ତି ନା ସେମାନଙ୍କୁ ଅଣାଯାଉଛି ତାହାକୁ ନେଇ ଏବେ ତର୍ଜମା ଚାଲିଛି । ରାଜ୍ୟର କିଛି ପ୍ରଭାବଶାଳୀ ବ୍ୟକ୍ତିଙ୍କ ହାତ ନଥିଲେ ଜଣେ ଅପରାଧୀ ବାହାର ରାଜ୍ୟରୁ ଆସି କିଭଳି ଏଠି ନିଜର ପ୍ରଧାନ୍ୟ ବିସ୍ତାର କରିବ ତାହା ଏବେ ସନ୍ଦେହ ସୃଷ୍ଟି କରିଛି ।

ଅନ୍ୟପକ୍ଷରେ ପୋଲିସ ଓ ଅବକାରୀ ବିଭାଗର କହିବାନୁଯାୟୀ ଯେଉଁଠି ଗଞ୍ଜେଇ ଚାଷ ହେଉଥିବା ଖବର ମିଳୁଛି ସେହି ସ୍ଥାନରେ ପୋଲିସ ତୁରନ୍ତ ପହଞ୍ଚି ଗଞ୍ଜେଇ ଚାଷ ନଷ୍ଟ କରୁଛି । କିନ୍ତୁ ପ୍ରଶ୍ନ ହେଲା ଯେ, ସେହି ଚାଷ କିଏ କରୁଛି ? କାହା ଇଙ୍ଗିତରେ ତାହା ଚାଲୁଛି ? ସେନେଇ ପୋଲିସ କୌଣସି ତଥ୍ୟ ବାହାର କରୁନାହିଁ । କିମ୍ବା ଏଥିରେ ସମ୍ପୃକ୍ତ ଥିବା ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଚେଷ୍ଟା କରୁନାହିଁ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top