ନ୍ୟୁଜ୍

ମହିଳା ଉଦ୍ୟୋଗୀ ସରୋଜିନୀ; କଟକରେ ଆରମ୍ଭ କରିଥିଲେ ରୁଟି ବ୍ୟବସାୟ, ଏବେ ରାଜଧାନୀରେ ବି ଡିମାଣ୍ଡ

roti maker sarojini cuttack

ଅର୍ଗସ ବ୍ୟୁରୋ/ କଟକ: ଉଦ୍ୟୋଗୀ ମନୋଭାବ ଥିଲେ ଯେକୌଣସି ମଣିଷ ନିଜ ପସନ୍ଦର କ୍ଷେତ୍ର ଟିଏ ବାଛି, ସେଥିରେ ସଫଳତା ହାସଲ କରିପାରିବ । ରୋଜଗାରର ଅନେକ ମାଧ୍ୟମ ରହିଛି । ଆଜିର ଦୂନିଆରେ ଚାହିଁଲେ ଘରେ ବସି ମଧ୍ୟ ଆପଣମାନେ କିଛି ନା କିଛି ରୋଜଗାର କରିପାରିବେ । ଏହିପରି ଜଣେ ମହିଳା ଅଛନ୍ତି ଯିଏକି ଘରେ ବସି ରୁଟି ତିଆରି କରି ଉଦ୍ୟୋଗ କ୍ଷେତ୍ରରେ ସଫଳତା ପାଇପାରିଛନ୍ତି । ଆମେ କହୁଛୁ କଟକ ଖାନନଗର ଅଂଚଳରେ ରହୁଥିବା ସରୋଜିନୀ ସାହୁଙ୍କ କଥା ।

ସରୋଜିନୀ ସାହୁଙ୍କ ଘର କଟକ ଖାନନଗର ଦେବୀ ସାହିରେ । 5 ବର୍ଷ ତଳେ ନିଜ ସାହିର କିଛି ମହିଳାଙ୍କୁ ନେଇ  ଗଢ଼ିଥିଲେ ଏକ ସ୍ଵୟଂ ସହାୟକ ଗୋଷ୍ଟି । କିଛି ଦିନ ବ୍ୟାଙ୍କରେ ଟଙ୍କା ଜମାକରି ଲୋନ ପାଇଥିଲେ । ଘରର ଆର୍ଥିକ ସ୍ଥିତି ଖରାପ ଥିବାରୁ ଏବଂ ସଂସାର ବୋଝ ଏକୁଟିଆ ସ୍ୱାମୀ ଉଠାଇବାରେ କଷ୍ଟ ହେଉଥିବାରୁ ନିଜେ କିଛି କରି ଘରର ଆର୍ଥିକ ମାନଦଣ୍ଡ ସୁଧାରିବାକୁ ଚିନ୍ତା କରିଥିଲେ ସରୋଜିନୀ । ତେବେ ପରେ ଗୋଷ୍ଠିର ମହିଳା ମାନଙ୍କୁ ନେଇ ରୁଟି ବ୍ୟବସାୟୀ କରିବାକୁ ସ୍ଥିର କରିଥିଲେ । ପ୍ରଥମେ ଏକ ହୋଟଲରେ କଥାବାର୍ତ୍ତା କରି 50 ରୁଟିର ଅର୍ଡର ନେଇ ପାଇଥିଲେ 100ଟଙ୍କା । ଆଉ ସେଦିନ ସେହି ପ୍ରଥମ ରୋଜଗାର ଆଜି ସରୋଜିନିଙ୍କର ଦୈନିକ ରୋଜଗାରକୁ 800ଟଙ୍କାରେ ପହଞ୍ଚାଇଛି ।

ସରୋଜିନୀ ଏବେ କିନ୍ତୁ ଗୋଟେ ନୁହେଁ କଟକର ବହୁ ହୋଟେଲ ଏବଂ ଢ଼ାବା ସହିତ ଭୁବେନେଶ୍ୱରରେ ହୋଟେଲ ଆଉ ଢ଼ାବା, କଲେଜ କ୍ୟାଣ୍ଟିନରେ ରୁଟି ପହଞ୍ଚାଉଛନ୍ତି । ଆଉ ତାଙ୍କ ରୁଟିର ବେଶ୍‌ ଚାହିଦା ମଧ୍ୟ ରହିଛି । ଦୈନିକ 1000ରୁ 1500 ରୁଟି ମାର୍କେଟକୁ ଦେଉ ଥିବା ଏହି ଗୋଷ୍ଠୀର ମହିଳାମାନେ ବେଶ୍‌ ଦୁଇ ପଇସା କମାଇ ଆଜି ନିଜ ଖର୍ଚ୍ଚ ସହିତ ଘର ଖର୍ଚ୍ଚ ତୁଲାଇବାରେ ସକ୍ଷମ ହୋଇପାରିଛନ୍ତି ।

ବାହାଘର ହେଉ ଅବା ବ୍ରତଘର କିମ୍ବା କାହାର ବାର୍ଥ ଡେ’ ପାର୍ଟି । ଏବେ ସରୋଜୀନିଙ୍କ ହାତ ତିଆରି ରୋଟିର ଚାହିଦା ବହୁତ ବଢି ଗଲାଣି । ତେବେ ଘରର ବିଭିନ୍ନ କାମ, ରୋଷେଇବାସ, ପିଲାମାନଙ୍କ କାମ ସାରି ଦିନ 3ଟା ପରେ ଆରମ୍ଭ ହୋଇଯାଏ ସରୋଜିତୀଙ୍କ ରୁଟି ତିଆରି କାମ । ଉକ୍ତ ଗୋଷ୍ଠୀର ମହିଳାମାନେ ନିଜ ଭିତରେ ଖୁସି ଗପ କରୁ କରୁ କେତେବେଳେ ସେମାନେ 1000 ରୁଟି ବେଲି, ସେକି ଦିଅନ୍ତି ଜଣାପଡେନାହିଁ ବୋଲି କହଛନ୍ତି ଗୋଷ୍ଠୀର ସଦସ୍ୟମାନେ ।

ସବୁଠାରୁ ବଡ଼ କଥା ପ୍ରତ୍ୟେକ ମହିଳାମାନେ ନିଜେ ସ୍ୱାବଲମ୍ବୀ ହେବା ସହ ସମାଜର ମୁଖ୍ୟ ସ୍ରୋତରେ ନିଜକୁ ସାମିଲ କରି ସଫଳ ଜୀବନ ବିତାଇବାକୁ ସମସ୍ତଙ୍କୁ ପରାମର୍ଶ ଦିଅନ୍ତି ସରୋଜିନୀ ।

ସରୋଜିନୀ ଆଜି ଏଭଳି କାର୍ଯ୍ୟ ପାଇଁ ଅନ୍ୟମାନଙ୍କ କ୍ଷେତ୍ରରେ ସେ ଉଦାହରଣ ପାଳିଟିଛନ୍ତି । ସମାଜର ପ୍ରତ୍ୟେକ ମହିଳା ସ୍ୱାବଲମ୍ବୀ ହୋଇ ମୁଖ୍ୟ ସ୍ରୋତରେ ସାମିଲ ହେଲେ ସମାଜର ଉନ୍ନତି ଅନିର୍ବାଯ୍ୟ ବୋଲି କହନ୍ତି ସେ । ସହରାଂଚଳରେ ରହୁଥିବା ଏପରି ଅନେକ ମହିଳା ଅଛନ୍ତି ଯେଉଁମାନେ ରୁଟି ତିଆରି କିମ୍ବା ରନ୍ଧା ଖାଦ୍ୟ ପ୍ରସ୍ତୁତ କରି ଳୋକମାନଂକୁ ଯୋଗାଇପାରିବେ ଆଉ ଏଥିରୁ ବେଶ୍ କିଛି ରୋଜଗାର ମଧ୍ୟ କରିପାରିବେ ବୋଲି ସେ କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top