ନ୍ୟୁଜ୍

ଗରିବ ପିଲାଙ୍କ ତାଏକୋଣ୍ଡୋ ମାଷ୍ଟର, ବ୍ଲାକ୍‌ ବେଲ୍ଟ ସୁଦିପ୍ତା

sudipta Cuttack Taekwondo

ଅର୍ଗସ ବ୍ୟୁରୋ/ କଟକ: ଖେଳ କୁଦରେ ଅନେକଙ୍କ ଆଗ୍ରହ ରହିଥାଏ । ମାତ୍ର ଆର୍ଥିକ ଅଭାବ ହେଉ ବା ପ୍ରୋତ୍ସାହନର ଅଭାବ ଯୋଗୁଁ ପହଞ୍ଚି ପାରୁନାହିଁ ସୁବିଧା ସୁଯୋଗ । ଯାହାଫଳରେ ଅନେକ କ୍ରୀଡାବିତ୍‌ ପ୍ରତିଭା ଲୋକ ଲୋଚନକୁ ଆସିପାରୁ ନାହିଁ । ତେବେ ଏଭଳି କିଛି ଅଭାବର ଶିକାର ହୋଇଥିବା ପିଲାଙ୍କ ପାଖରେ ରହିଥିବା ପ୍ରତିଭାକୁ ପରଖିବା ଲାଗି ଏକ ନୂଆ ପ୍ରୟାସ କରିଛନ୍ତି କଟକର ଝିଅ ସୁଦିପ୍ତା ନନ୍ଦ ।

ସୁଦିପ୍ତା ହେଉଛନ୍ତି ଜଣେ ତାଇକୋଣ୍ଡୋର ବ୍ଲାକ୍‌ ବେଲ୍ଟ ସ୍ତରର ଖେଳାଳୀ । ନିଜେ ଓ ନିଜର ତାଏକୋଣ୍ଡୋ ଖେଳାଳୀଙ୍କ ଏକ ଟିମ୍‌ ନେଇ କଟକର ବିଭିନ୍ନ ବସ୍ତି ଓ କଲେଜ ଗସ୍ତ କରୁଛନ୍ତି । ବିନା ମୂଲ୍ୟରେ ପ୍ରଶିକ୍ଷଣ ଦେବା ସହିତ ଭଲ ପ୍ରଦର୍ଶନ କରୁଥିବା ପିଲାଙ୍କୁ ଚୟନ କରି ମାଗଣାରେ ଦେଉଛନ୍ତି ସ୍ୱତନ୍ତ୍ର ତାଲିମ୍‌ । ଆଜି ସେହି ବସ୍ତି ଓ କଲେଜରୁ ବାହାରିଥିବା ପ୍ରତିଭା ରାଜ୍ୟ ସ୍ତରରେ ଅନେକ ସୁନାମ ଅର୍ଜନ କରିପାରିଛନ୍ତି ।

ସୁଦିପ୍ତା ନିଜେ ଗୋଟିଏ ଇଭେଣ୍ଟ ମ୍ୟାନେଜ୍‌ମେଣ୍ଟ ପ୍ରତିଷ୍ଠାନ ଟିଏ ଖୋଲି ବ୍ୟବସାୟ କରୁଛନ୍ତି । ହେଲେ ଏସବୁ ଭିତରେ ସେ ପାଇଥିବା ବ୍ଲାକବେଲ୍ଟର ମର୍ଯ୍ୟାଦାକୁ ପ୍ରୟୋଗ କରୁଛନ୍ତି ଏକ ନିଆରା ଢ଼ଙ୍ଗରେ । ବ୍ୟବସାୟିକ ଭିତ୍ତିରେ ନୁହେଁ ବରଂ ବିନା ମୂଲ୍ୟରେ ପ୍ରଦାନ କରୁଛନ୍ତି ତାଏକୋଣ୍ଡୋ ଟ୍ରେନିଂ । ବସ୍ତିର କୁନିକୁନି ପିଲାଙ୍କୁ ଓ ବିଭିନ୍ନ କଲେଜର ଛାତ୍ରଛାତ୍ରୀ ମାନଙ୍କୁ ସେ ପ୍ରଶିକ୍ଷଣ ଦେଉଛନ୍ତି । ଦୀର୍ଘ ୧୮ ବର୍ଷ ହେବ କଟକର ବିଭିନ୍ନ ବସ୍ତି ଓ କଲେଜ ବୁଲି ଏଭଳି ମାଗଣା ଟ୍ରେନିଂ ଦେଇ ଚାଲିଛନ୍ତି ସୁଦିପ୍ତା । ଏହି ଟ୍ରେନିଂ ଦେବା ସମୟରେ ଅନେକ ସ୍ଥାନରେ ବିରୋଧର ଶିକାର ହୋଇଥିଲେ ମଧ୍ୟ ସବୁ ପରିସ୍ଥିତିକୁ ସମ୍ମୁଖୀନ ହୋଇ ନିଜର ଅଭିଯାନ ସେ ଜାରି ରଖିଛନ୍ତି ।

18 ବର୍ଷ ମଧ୍ୟରେ କଟକର ବିଭିନ୍ନ ଅଞ୍ଚଳ ବୁଲି ପ୍ରଶିକ୍ଷଣ ଦେଇସାରିଲେଣି ସୁଦିପ୍ତା । ଶତାଧିକ ପିଲାଙ୍କୁ ମଧ୍ୟ ମାଗଣାରେ ଦେଇଛନ୍ତି ଟ୍ରେନିଂ । ସୁଦିପ୍ତାଙ୍କ ନିଜର ଏକ ଏକାଡେମୀ ରହିଛି । ଅନେକ କିଛି ପ୍ରତିଭା ଯେଉଁ ମାନଂକର ତାଏକୋଣ୍ଡୋ ପ୍ରତି ଆଗ୍ରହ ରହିଛି କିନ୍ତୁ ଆର୍ଥିକ ସ୍ଥିତି ସେତେଟା ସ୍ୱଚ୍ଛଳ ନଥିବାରୁ ସେମାନଙ୍କୁ ଏଥିରୁ ବଞ୍ଚିତ ହେବାକୁ ପଡୁଛି । ସେହି ପ୍ରତିଭାଙ୍କୁ ଆଗଧାଡିକୁ ଆଣିବାର ଲକ୍ଷ୍ୟ ନେଇ ସୁଦିପ୍ତା ନିଜର ଏହି ଅଭାଯାନ ଜାରି ରଖିଛନ୍ତି । ଏହାରି ମଧ୍ୟରେ ଅନେକ ବସ୍ତି ଓ କଲେଜରେ ଟ୍ରେନିଂ ଦେବା ସମୟରେ ପାଖାପାଖି ୫୦ରୁ ଉର୍ଦ୍ଧ୍ୱ ପିଲାଙ୍କୁ ଏବେ ନିଜ ଖର୍ଚ୍ଚରେ ସେମାନଙ୍କ ଲାଗି ଆବଶ୍ୟକୀୟ ସମସ୍ତ ସାମଗ୍ରୀ ଯୋଗାଉଛନ୍ତି ସୁଦିପ୍ତା । ଇତି ମଧ୍ୟରେ ସେହି ପିଲାମାନଙ୍କୁ ମାଗଣାରେ ସ୍ୱତନ୍ତ୍ର ତାଲିମ ଦେବା ପରେ କିଏ ଧଳା, ହଲଦିଆ ଓ ଗ୍ରୀନ ବେଲ୍ଟ ସ୍ତରରେ ପହଞ୍ଚି ଜିଲ୍ଲା ଓ ରାଜ୍ୟ ସ୍ତରରେ ମଧ୍ୟ ପ୍ରତିଦ୍ୱନ୍ଦିତା କରୁଛନ୍ତି ।

ସୁଦିପ୍ତାଙ୍କ କ୍ୟାରିୟର ମଧ୍ୟରେ ତାଏକୋଣ୍ଡୋ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି । ପିଲାଟି ଦିନରୁ ହିଁ ତାଏକୋଣ୍ଡୋ ଖେଳ ପ୍ରତି ତାଙ୍କର ଅହେତୁକ ଦୁର୍ବଳତା ରହିଥିଲା । ବାପା ଓ ମା’ଙ୍କ ସହଯୋଗରେ ଏକ ସ୍ୱତନ୍ତ୍ର କୋଚିଂ ସେଣ୍ଟରରେ ତାଇକାେଣ୍ଡୋର ଶିକ୍ଷା ଗ୍ରହଣ କରିଥିଲେ । ୨୦୦୦ ମସିହାରେ ତାଏକୋଣ୍ଡୋକୁ ନିଜ କ୍ୟାରିୟର ଭାବେ ବାଛିଥିଲେ ସୁଦିପ୍ତା । ସେହି ଦିନଠାରୁ ପଛକୁ ନ ଚାହିଁ ଗୋଟିଏ ପରେ ଗୋଟିଏ ସଫଳତାର ପାହଚ ଚ଼ଢିଚାଲିଥିଲେ । ଏହି ତାଏକୋଣ୍ଡୋ ଖେଳର ପ୍ରତିଭା ଖୋଜିବା ଲାଗି ୨୦୦୨ ମସିହାରୁ ଆରମ୍ଭ କରିଥିଲେ ଅଭିଯାନ ।

ସୁଦିପ୍ତାଙ୍କ ଟ୍ରେନିଂ ଦେଖିବା ପରେ ଧିରେ ଧିରେ ମାନସିକତାରେ ପରିବର୍ତ୍ତନ ଆସିଛି ଲୋକଙ୍କର । ଆଉ ଏହାପରେ ସୁଦିପ୍ତା ଯେଉଁଠି ପହଞ୍ଚୁଛନ୍ତି ସେଠି ପିଲାଙ୍କ ଭିଡ ଲାଗିଯାଉଛି । ଏପିରିକି ସୁଦିପ୍ତା ଯେଉଁ ମାନଙ୍କୁ ତାଏକୋଣ୍ଡୋ ଖେଳ ପାଇଁ ସୁଯୋଗ ଦେଇ ଆଜି ଅନେକ ସୁନାମ ଅର୍ଜନ କରିଛନ୍ତି, ସେହିମାନେ ମଧ୍ୟ ଏବେ ସୁଦିପ୍ତାଙ୍କ ଏହି ପ୍ରୟାସରେ ହାତକୁ ହାତ ମିଶାଇ ଅଭିଯାନ ଜାରି ରଖିଛନ୍ତି । ସୁଦିପ୍ତାଙ୍କ ଏକାଡେମୀରୁ ଆସୁଥିବା ଅର୍ଥକୁ, ଆର୍ଥିକ ଅନଟନର ଶିକାର ହୋଇଥିବା ପିଲାଙ୍କ ଲାଗି ଖର୍ଚ୍ଚ କରାଯାଉଛି । 

Click to comment

Leave a Reply

Your email address will not be published. Required fields are marked *

Most Popular

To Top