X
Breaking News
ନ୍ୟୁଜ୍

ପୁଣି ଦାନ ମାଝି ଘଟଣାର ପୁନରାବୃତ୍ତି; ମେଡିକାଲ କର୍ତ୍ତୃପକ୍ଷଙ୍କ ପାଖରେ ନଥିଲା ଗାଡ଼ି

Kalahandi

କଳାହାଣ୍ଡି: ପୁଣି ଓଡ଼ିଶାରେ ଦାନ ମାଝି ଘଟଣାର ପୁନରାବୃତ୍ତି । ରାଜ୍ୟ ସରକାର ଯେତେ ଯୋଜନା କଲେ ମଧ୍ୟ ଗରିବଙ୍କ ପାଖରେ ତାହା ପହଞ୍ଚିପାରୁ ନାହିଁ । ଭାରରେ ରୋଗୀ ବୁହା ହେବାଠାରୁ ଆରମ୍ଭ କରି ଶବ ବୁହା ପର୍ଯ୍ୟନ୍ତ ବିଭିନ୍ନ ସମୟରେ ରାଜ୍ୟ ସରକାରଙ୍କ ଅପରଗତା ପ୍ରମାଣିତ ହୋଇଛି । ଦାନ ମାଝି ନିଜ ସ୍ତ୍ରୀର ଶବକୁ କାନ୍ଧରେ ବୋହି ସାରା ଦେଶରେ ଚର୍ଚ୍ଚାକୁ ଆସିଥିବା ବେଳେ, ଏବେ ସମାନ ଘଟଣା ସମାନ ଅଞ୍ଚଳରେ ପୁଣି ସାମ୍ନକୁ ଆସିଛି ।

କଳାହାଣ୍ଡି ଜିଲ୍ଲା ଥୁଅମୂଳ ରାମପୁର ବ୍ଲକର କାଣିଗୁମା ଚିକିତ୍ସାଳୟରେ ନିଗିଡ଼ି ମାଝିଙ୍କ ମୃତ୍ୟୁ ହୋଇଥିଲା । କିନ୍ତୁ ମେଡିକାଲରେ ଅମ୍ବୁଲାନ୍ସ ନଥିବାରୁ ପରିବାର ଲୋକ ଏକ ବହ୍ଲାରେ ଭାର କରି ନିଗିଡ଼ିଙ୍କ ଶବକୁ କାନ୍ଧରେ ବୋହି ନେଇଥିଲେ । ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହାକୁ ବିଭିନ୍ନ ମହଲରୁ ନିନ୍ଦା କରାଯାଇଛି । ସରକାରଙ୍କ ପାରିବା ପଣିଆ ପ୍ରତି ମଧ୍ୟ ଲୋକମାନେ ପ୍ରଶ୍ନ ଉଠାଇଛନ୍ତି । ସ୍ଥାନୀୟ ପ୍ରଶାସନ ପକ୍ଷରୁ ମଧ୍ୟ ଏନେଇ କୌଣସି ପ୍ରତିକ୍ରିୟା ଦିଆଯାଇନାହିଁ । ତେବେ ଗୋଟିଏ ଅଞ୍ଚଳରେ ବାରମ୍ବାର ଏଭଳି ଘଟଣା ସାମ୍ନାକୁ ଆସିବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ବୋଲି ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି ।

ସରକାରଙ୍କ କେବେ ଚେତା ପଶିବ ଗରିବ ଲୋକଙ୍କ ଦୁଃଖ କେବେ ଦୂର ହେବ । ଗରିବଙ୍କ ପାଇଁ ସରକାର ଅନେକ ଯୋଜନା କରୁଛନ୍ତି, ହେଲେ ବାସ୍ତବରେ ଗରିବମାନେ ଏହାର ଲାଭ ପାଇ ପାରୁ ନାହାନ୍ତି । ଏହାର କାରଣ କ’ଣ ? ଏଥିପ୍ରତି ସରକାରଙ୍କୁ ବିଶେଷ ଧ୍ୟାନ ଦେବାକୁ ପଡ଼ିବ । ନଚେତ୍‌ ଯୋଜନା କରି କୋଟି କୋଟି ଟଙ୍କା ଖର୍ଚ୍ଚ କରିବାର କିଛି ମୂଲ୍ୟ ରହୁନାହିଁ ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି ।

ସୂଚନା ଅନୁଯାୟୀ, ଥୁଅମୂଳ ରାମପୁର ବ୍ଲକ ବାଲିସରା ଗାଁର ନିଗିଡ଼ି ମାଝୀ କିଛି ଦିନ ହେଲା ଅସୁସ୍ଥ ଥିଲେ । ତାଙ୍କୁ କାଣିଗୁମା ଚିକିତ୍ସାଲୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ସୋମବାର ଅପରାହ୍ନରେ ତାଙ୍କର ମୃତ୍ୟୁ ହୋଇଥିଲା । ଶବକୁ ଘରକୁ ନେବା ପାଇଁ ମେଡିକାଲ କର୍ତ୍ତୃପକ୍ଷଙ୍କୁ ଗାଡ଼ି ପାଇଁ ନିବେଦନ କରଇଥିଲେ ପରିବାର ଲୋକ । ହେଲେ ଗାଡି ନାହିଁ ବୋଲି କହିଥିଲେ କର୍ତ୍ତୃପକ୍ଷ ।

ଫଳରେ ନିଗିଡ଼ିଙ୍କ ପରିବାର ଲୋକଙ୍କ ଏକ ବହ୍ଲାରେ ଲୁଗା ବାନ୍ଧି ଭାର ତିଆରି କରିଥିଲେ । ସେଥିରେ ନିଗିଡ଼ିଙ୍କ ଶବକୁ ରଖିଥିଲେ । ଏବଂ କାନ୍ଧରେ ବୋହି ବୋହି ଘରକୁ ନେଇଥିଲେ । ପ୍ରାୟ 5 କିଲୋମିଟର ଦୂରରେ ଥିବା ବାଲିସରା ଗାଁକୁ କାନ୍ଧରେ ବୋହି ଶବକୁ ନେଇଥିଲେ ପରିବାର ଲୋକ ।ସୂଚନାଯୋଗ୍ୟ, ଏହି ଅଞ୍ଚଳରେ କୌଣସି ମୋବାଇଲ ସେବା ନଥିବାରୁ କାଣିଗୁମା ମେଡିକାଲ୍‌ କର୍ତ୍ତୃପକ୍ଷ ସହ ଆମର ଯୋଗାଯୋଗ ହୋଇପାରି ନାହିଁ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଫୋନ ଯୋଗେ ଯୋଗା ଯୋଗ କରୁଥିଲେ ମଧ୍ୟ ସେ ଫୋନ୍‌ ଉଠାଉ ନାହାନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top