X
Breaking News
ନ୍ୟୁଜ୍

ବିଜେପିକୁ ସମର୍ଥନ କଲେ ହେବ ନିର୍ଧୁମ୍ ଛେଚା, ଜରିମାନା ଓ ବାସନ୍ଦ

chikiti

ଗଞ୍ଜାମ: ବିଜେପିକୁ ସମର୍ଥନ କଲେ ହେବ ନିର୍ଧୁମ୍ ଛେଚା । ଖାଲି ଛେଚା ନୁହେଁ ପଡିବ ଫାଇନ୍ ମଧ୍ୟ । କିଛି ଏଭଳି ଜୁଲମ୍ କରାଯାଉଥିବା ନେଇ ଅଭିଯୋଗ ଆସିଛି ଗଞ୍ଜାମ ଜିଲ୍ଲାରୁ । ଚିକିଟି ନିର୍ବାଚନ ମଣ୍ଡଳୀରେ କେହି ବ୍ୟକ୍ତି  ବିଜେପିକୁ ସମର୍ଥନ କଲେ ତାଙ୍କୁ ନିର୍ଧୁମ୍ ଛେଚା, ଫାଇନ୍ ପକାଇବା ନହେଲେ ଗାଁରୁ ବାସନ୍ଦ କରାଯାଉଥିବା ଅଭିଯୋଗ ଆସିଛି । ତେବେ ଗଣତନ୍ତ୍ର ରାଷ୍ଟ୍ରରେ ଏହା କେତେ ଦୂର ଗ୍ରହଣୀୟ ତାହା ସବୁଠାରୁ ବଡ ପ୍ରଶ୍ନ ।

ରାଜନୈତିକ ହିଂସା ସହ ଗଞ୍ଜାମର ଯେପରି ସମ୍ପର୍କ ଅତି ନିବିଡ଼ । ମୁଖ୍ୟମନ୍ତ୍ରୀଙ୍କ ଛତ୍ରଛାୟାରେ ଗଞ୍ଜାମ ଆସୁଥିଲେ ମଧ୍ୟ, ଏଠାରେ ଗୁଣ୍ଡାରାଜ୍ ଆଉ ଅପରାଧୀମାନେ ବିଲକୁଲ ଅବହେଳିତ ନୁହେଁ  । ଚିକିଟି ନିର୍ବାଚନ ମଣ୍ଡଳିରେ ଭୋଟ୍ ସରିଛି କିନ୍ତୁ ଆଜି ପର୍ଯ୍ୟନ୍ତ ଚାଲିଛି ମାରପିଟ୍ ।

ଗଂଜାମରେ ରାଜନୈତିକ ହିଂସାର ଇତିହାସ ଢେର ପୁରୁଣା ।  ମତଦାନ ସରିଲାଣି କିନ୍ତୁ ଥମୁନି ହିଂସା । ଖରଣୀପଡାରେ ଜନାର୍ଦ୍ଦନ ପ୍ରଧାନଙ୍କ ଅନୁଯାୟୀ ସେ ହେଉଛନ୍ତି ଜଣେ ବିଜେପିର ସମର୍ଥକ । କେବଳ ଏହି କାରଣରୁ ବିଜେଡି ସମର୍ଥକମାନେ ଆକ୍ରମଣରେ ତାଙ୍କର ଏପରି ଅବସ୍ଥା କରିଛନ୍ତି । ଜନାର୍ଦ୍ଦନଙ୍କ ଅନୁସାରେ କେବଳ ସିଏ ନୁହନ୍ତି ନିର୍ବାଚନ ସମୟରେ ଯେଉଁମାନେ ବିଜେପି ଏଜେଣ୍ଟ ଥିଲେ ସମସ୍ତଙ୍କ ଉପରେ 1 ହଜାର ଟଙ୍କାର ଫାଇନ୍ ମଧ୍ୟ ପଡିଛି । ଏପରିକି ଜଣେ ବ୍ୟକ୍ତିଙ୍କୁ ଗାଁରୁ ବାସନ୍ଦ ମଧ୍ୟ କରାଯାଇଛି ।

ଜନାର୍ଦ୍ଦନଙ୍କ ରକ୍ତ କହୁଛି ଗଣତନ୍ତ୍ର ଚିକିଟି ମାଟିରେ କେତେ ସୁରକ୍ଷିତ । ସେହିପରି ବିଜେପି ପ୍ରାର୍ଥୀ ମନୋରଞ୍ଜନ ଦ୍ୟାନ ସାମନ୍ତରାଙ୍କୁ ବିଜେଡି ସମର୍ଥକ ବିଚ୍ ରାସ୍ତାରେ ଅଟକାଇ ଗୁଣ୍ଡାଗର୍ଦ୍ଦି କରୁଥିବା ଏକ ଭିଡିଓ ମଧ୍ୟ ଦେଖିବାକୁ ମିଳିଛି । ନିଜ କର୍ମୀଙ୍କ ଉପରେ ହେଉଥିବା ଆକ୍ରମଣର ଖବର ନେବାକୁ ମନୋରଞ୍ଜନ ଯାଉଥିବା ବେଳେ ପୁରୁଣା ବୈଶାଖପୁରରେ ତାଙ୍କ ଗାଡି ଉପରେ ଆକ୍ରମଣ କରାଯାଇଥିଲା । ଏହାସହ ମନୋରଞ୍ଜନଙ୍କୁ ଗାଁ ଛାଡି ଚାଲିଯିବାକୁ ଧମକ ଦିଆଯାଇଛି । ନିର୍ବାଚନ ସରିବା ପରେ ମଧ୍ୟ ବିଜେପି ସମର୍ଥକଙ୍କ ଉପରେ ଆକ୍ରମଣ କରାଯାଉଥିବା ଅଭିଯୋଗ ଆସୁଛି ।

ଅନ୍ୟପଟେ ଚିକିଟିରେ ରାଜନୈତିକ ହିଂସାଠୁ ବଳେଇ ଯାଇଛି ପୋଲିସ ଉଦାସିନତା । ପୋଲିସ ନାହିରେ ଘିଅ ପକାଇ ଶୋଇଲା ଭଳି ବ୍ୟବହାର କରୁଛି । ଚିକିଟିପେଣ୍ଠ ଗାଁର ପୁଷ୍ପ ସେଠିଙ୍କ ଘରେ ବିଜେଡି କର୍ମୀ ପଶି ଗୁଣ୍ଡାଗର୍ଦ୍ଦି କରିଥିଲେ । ତେବେ ଅଭିଯୋଗ ହେବା ପରେ ମଧ୍ୟ ପୋଲିସ ଏଯାଏଁ ଶୋଇଛି । ପରବର୍ତ୍ତୀ ସମୟରେ ପୁଷ୍ପ ସେଠି ପୁଣି  ନିଜ ସମ୍ପର୍କୀୟଙ୍କ ସହ ଯେତେବେଳେ ଥାନାରେ ପହଞ୍ଚିଲେ, ପୋଲିସ ବାବୁଙ୍କ ପୁଲିସିଆ ଅନ୍ଦାଜରେ ଭାଷଣବାଜୀ ଶୁଣିବାକୁ ପାଇଲେ । ହାଜତରେ ପୁରାଇ ଦେବାକୁ ଧମକ ଦେବା ସହ ପୋଲିସ କହିଥିଲା ଯାଅ ଜଜ୍ ପାଖକୁ, ସେ ତୁମ ଅପେକ୍ଷାରେ ଥିବେ… ।

ନିର୍ବାଚନ ପରେ ମଧ୍ୟ ଗଞ୍ଜାମରେ ଏଭଳି ହିଂସା ଏବଂ ଗଣତନ୍ତ୍ରର ହତ୍ୟା ନବୀନ ସରକାରଙ୍କ 19 ବର୍ଷର ଶାସନକାଳରେ ଦୀପ ତଳ ଅନ୍ଧାର ସଦୃଶ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top