ନ୍ୟୁଜ୍

ସରକାରଙ୍କ ନିର୍ଦ୍ଦେଶ, ମଦ ଦୋକାନ ପାଇଁ ଜାଗା ଖୋଜିବେ ଅଫିସର

ଭୁବନେଶ୍ୱର: ଓଡ଼ିଶାରେ ବହିବ ମଦର ବନ୍ୟା । ବଢିବ ମଦୁଆଙ୍କ ଉତ୍ପାତ । ମଦୁଆଙ୍କ ପାଇଁ ବମ୍ପର ଅଫର । ପ୍ରତ୍ୟେକ ଗାଁରେ ଖୋଲିବ ନୂଆ ନୂଆ ଦୋକାନ । ଆଉ ଏଥିପାଇଁ ବ୍ୟବସ୍ଥା କରିଛନ୍ତି ଖୋଦ୍ ରାଜ୍ୟ ସରକାର । ନୂଆ ମଦ ଦୋକାନ ଖୋଲିବା ପାଇଁ ସଠିକ୍ ଜାଗା ଚିହ୍ନଟ କରି ପ୍ରସ୍ତାବ ଦେବେ ଜିଲ୍ଲା ଅବକାରୀ ଅଧିକାରୀ । ଖାଲି ସେତିକି ନୁହେଁ, ଉକ୍ତ ସ୍ଥାନ ଠାରୁ ଅନ୍ୟ ଅଫ୍ ସପ୍ କିମ୍ବା ଅନ୍ ସପ୍ କେତେ ଦୂରରେ ରହିଛି, ପ୍ରସ୍ତାବିତ ନୂଆ ଦୋକାନ ପାଇଁ ଆନୁମାନିକ ଗ୍ରାହକ କେତେ ଜଣ, ନୂଆ ଦୋକାନ ହେବା ପରେ ସେ ଅଞ୍ଚଳର ପୁରୁଣା ଦୋକାନର ବେପାର ଉପରେ କିଛି ପ୍ରଭାବ ପଡିବ କି ନାହିଁ, ନୂଆ ଅଫ୍ ସପରୁ ବର୍ଷକୁ କେତେ ରାଜସ୍ୱ ସୃଷ୍ଟି ହେବ । ଏହାସହ ଉକ୍ତ ସ୍ଥାନଟି ଓଡିଶା ଅବକାରୀ ଆଇନ 2017 ଅନୁସାରେ ସମସ୍ତ ମାନଦଣ୍ଡ ପୂରଣ କରୁଛି କି ନାହିଁ । ସେ ନେଇ ପ୍ରସ୍ତାବରେ ଉଲ୍ଲେଖ କରିବାକୁ ନିର୍ଦ୍ଦେଶ ଦେଇଛି ରାଜ୍ୟ ଅବକାରୀ ବିଭାଗ ।

ଗୋଟିଏ ପଟେ ଖୋଦ୍ ମୁଖ୍ୟମନ୍ତ୍ରୀ 150ତମ ଗାନ୍ଧୀ ଜୟନ୍ତୀ ଅବସରରେ ଗାନ୍ଧୀ ଆଦର୍ଶକୁ ନେଇ ବଡ ବଡ କଥା କହୁଛନ୍ତି । ଏପରିକି ଭାରତୀୟ ସମ୍ବିଧାନର ମୁଖବନ୍ଧରେ ମହାତ୍ମା ଗାନ୍ଧୀଙ୍କ ଅହିଂସା ବାର୍ତ୍ତାକୁ ସାମିଲ କରିବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି । ହେଲେ ଅନ୍ୟପଟେ କେତେବେଳେ ଅଧିକ ମଦ ବିକ୍ରି ପାଇଁ ବିଧାନସଭା ଷ୍ଟାଣ୍ଡିଂ କମିଟି ପକ୍ଷରୁ ପୁରସ୍କାର ଦିଆଯିବା ନେଇ ସୁପାରିଶ କରାଯାଉଛି ତ ପୁଣି କେତେବେଳେ ମଦକୁ ପ୍ରୋତ୍ସାହିତ କରିବା ସହ ରାଜସ୍ୱ ଲୋଭରେ ନୂଆ ମଦ ଦୋକାନ ଖୋଲିବା ପାଇଁ କରାଯାଉଛି ସୁଚିନ୍ତିତ ଯୋଜନା । ଯାହାକୁ ନେଇ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି ବିରୋଧୀ ।

 ଅନ୍ୟପଟେ ନୂତନ ମଦ ଦୋକାନ ଖୋଲିବାକୁ ନେଇ ଭିନ୍ନ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ । ଏହି ପ୍ରସ୍ତାବ 2020-21 ଆର୍ଥିକ ବର୍ଷ ପାଇଁ ରହିଛି । ଚଳିତ ଆର୍ଥିକ ବର୍ଷ ପାଇଁ ଅବକାରୀ ନୀତି ସ୍ଥିର ହୋଇଯାଇଛି । ତେଣୁ ନୂଆ ଅଫ୍ ସପ୍ କିମ୍ବା ଅନ୍ ସପ୍ ଖୋଲିବା ପାଇଁ କିଛି ସ୍ଥିର ହୋଇନାହିଁ ବୋଲି କହିଛନ୍ତି ବିଭାଗୀୟ ମନ୍ତ୍ରୀ ।

ରାଜ୍ୟ ଅବକାରୀ ବିଭାଗରୁ ତଥ୍ୟ ଅନୁସାରେ ଜୁନ 2019 ସୁଦ୍ଧା ଅଫ୍ ସପ୍ ଓ ଅନ୍ ସପକୁ ମିଶାଇ ଓଡଶାରେ ମୋଟ 1691ଟି ମଦ ଦୋକାନ ରହିଛି । ଏହାସହ 95ଟି ବିୟର ପାର୍ଲର, 36ଟି ମିଲିଟାରି କ୍ୟାଣ୍ଟିନ, 18ଟି କ୍ଲବ ଓ 242ଟି ଦେଶୀ ମଦଭାଟି ରହିଛି । ଆଉ ଯଦି ମଦରୁ ରାଜ୍ୟ ସରକାରଙ୍କୁ ମିଳୁଥିବା ରାଜସ୍ୱ ଉପରେ ନଜର ପକାଇବା ତେବେ 2010-11 ଆର୍ଥିକ ବର୍ଷରେ 1050 କୋଟି ଟଙ୍କା ରାଜସ୍ୱ ଆଦାୟ ନେଇ ଲକ୍ଷ୍ୟ ରଖାଯାଇଥିବା ବେଳେ 14 ଶହ 13 କୋଟି ଟଙ୍କା ରାଜସ୍ୱ ମିଳିଥିଲା । ଯାହାକି ଗତ ଦଶ ବର୍ଷ ଭିତରେ ବୃଦ୍ଧି ପାଇ 5ହଜାର 5ଶହ 25 କୋଟିରେ ପହଞ୍ଚିଛି ।ହେଲେ ସରକାରଙ୍କୁ ଏତିକି ବି ନିଅଣ୍ଟ ହେଉଛି । ପ୍ରତିବର୍ଷ ବିଷାକ୍ତ ତଥା ନକଲି ମଦ ପିଇ ମଦମୃତ୍ୟୁ ମାମଲା ବୃଦ୍ଧି ପାଉଥିଲେ ସୁଦ୍ଧା  ସରକାରଙ୍କୁ ରାଜସ୍ୱ ଲୋଭ ସମ୍ପୂର୍ଣ୍ଣ ଅନ୍ଧ କରିଦେଇଛି ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top