ନ୍ୟୁଜ୍

ମୋଦି ସରକାରଙ୍କ କିଷାନନିଧି ଯୋଜନାରେ ଲୀନ ହେବ କାଳିଆ !

ଭୁବନେଶ୍ୱର: ଶେଷରେ ମୁଣ୍ଡ ନୁଆଁଇଲେ ରାଜ୍ୟସରକାର । ବିରୋଧୀଙ୍କ ଅଭିଯୋଗ ସତ ହେଲା । ଯୋଜନା ନ କରି କେବଳ ଭୋଟ ହାତେଇବାକୁ କରିଥିବା କାଳିଆ ଯୋଜନାକୁ ଏବେ ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ମିଶାଇବାକୁ କେନ୍ଦ୍ର ନିକଟରେ ହାତ ପତାଇଛନ୍ତି ରାଜ୍ୟ ସରକାର । ନିର୍ବାଚନ ସମୟରେ ପ୍ରଧାନମନ୍ତ୍ରୀ କିଷାନ ଯୋଜନାକୁ ନେଇ ତୁମ୍ବିତୋଫାନ କରୁଥିବା ବିଜେଡି ନେତାମାନେ ଏବେ ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ କାଳିଆକୁ ମିଶାଇବାକୁ ଲୋକସଭା ଓ ରାଜ୍ୟସଭାରେ ଦାବି ଜଣାଇଛନ୍ତି ।

କେବଳ ସେତିକି ନୁହେଁ, ଲୋକଙ୍କ ନିକଟରେ ବିଜେଡି ଅପମାନିତ ହେବା ଭୟରେ କ୍ୟାବିନେଟ ବୈଠକରେ ପ୍ରସ୍ତାବ ଗୃହୀତ କରାଇନେଇଥିଲେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ, କିଷାନ-କାଳିଆ ଯୋଜନା ପାଇଁ କେନ୍ଦ୍ର ଦେବ 6 ହଜାର ଏବଂ ରାଜ୍ୟ ଦେବ 4 ହଜାର ଟଙ୍କା । ମାତ୍ର ନିର୍ବାଚନ ପୂର୍ବରୁ କାଳିଆ ଭେଳିକି ଲଗାଇ ବିଜେଡି ନେତାମାନେ ଜୋରଦାର ପ୍ରଚାର କଲେ । ଏପରିକି କିଛି ବିଜେଡି ସମର୍ଥକଙ୍କୁ 5 ହଜାର ଲେଖାଏଁ ଟଙ୍କା ଦେଇ ତାଙ୍କ ଜରିଆରେ ପ୍ରଚାରକୁ ପ୍ରସାର କରାଇଲେ । ନା ସେତେବେଳେ ପ୍ରସ୍ତୁତ ହୋଇଥିଲା ତାଲିକା, ନା ଥିଲା ଟଙ୍କା । ଯୋଗ୍ୟ ଅଯୋଗ୍ୟ ସବୁ କିଛି ଭୁଲି 15 ଦିନ ମଧ୍ୟରେ ପ୍ରସ୍ତୁତ ହେଲା ତାଲିକା ।

ଜରୁରୀ କାଳୀନ ପାଣ୍ଠିରୁ ଅର୍ଥ ଆଣି ଜୀବନ ବିକଳରେ ଟଙ୍କା ବାଣ୍ଟି ପକାଇଲେ ସରକାର । ସେଥିରେ ଜୟଯୁକ୍ତ ମଧ୍ୟ ହେଲେ । ମାତ୍ର ଏବେ ଧରା ପଡିଲା ସରକାରଙ୍କ ଅସଲ ଚେହେରା । ଦ୍ୱିତୀୟ କିସ୍ତି ଟଙ୍କା ଦେବାକୁ ସରକାରଙ୍କ ପାଖରେ ଅର୍ଥ ନାହିଁ । ନଭେମ୍ବର ଶେଷ ସୁଦ୍ଧା ଦ୍ୱିତୀୟ କିସ୍ତି ଦେବାକୁ ସରକାର ଘୋଷଣା କରିଥିଲେ । ମାତ୍ର ଏ ପର୍ଯ୍ୟନ୍ତ ଅନେକ ଚାଷୀଙ୍କୁ କାଳିଆ ଟଙ୍କା ମିଳିନାହିଁ । ଯେଉଁ କେତେକ ଚାଷୀଙ୍କୁ ମିଳିଛି, ସେମାନଙ୍କ ମଧ୍ୟରୁ ଅଧିକାଂଶ ଚାଷୀଙ୍କ ଆକାଉଣ୍ଟ ସିଜ୍ କରାଯାଇଛି । ତାଲିକା ପ୍ରସ୍ତୁତ ନ କରି ଲୋକଙ୍କୁ ଟଙ୍କା ବାଣ୍ଟି ଭୋଟ ହାତେଇବା ପରେ ଏବେ ଟଙ୍କା ଆଦାୟ କରିବାକୁ ଲାଗିପଡିଛନ୍ତି ରାଜ୍ୟ ସରକାର ।

ଯୋଗ୍ୟ ଓ ଅଯୋଗ୍ୟ ହିତାଧିକାରୀଙ୍କ ଆଳ ଦେଖାଇ ସରକାର ଚାଷୀଙ୍କୁ ଟଙ୍କା ଦେଉ ନାହାଁନ୍ତି । ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ, କାଳିଆ ଯୋଜନାକୁ ମିଶାଇ ଦେଲେ ସରକାର ଲୋକ ଲଜ୍ଜାରୁ ରକ୍ଷା ପାଇଯିବେ ଭାବି କେନ୍ଦ୍ର ନିକଟରେ ହାତପାତିଛନ୍ତି । ନଚେତ୍‌ ନିଜ ନିର୍ବାଚନ ମଣ୍ଡଳୀରେ ପ୍ରବେଶ କରିପାରିବେ ନାହିଁ ବିଜେଡି ନେତା । ପ୍ରଧାମନ୍ତ୍ରୀ କିଷାନ ଯୋଜନା ଲାଗୁ ହେବା ଜାଣି ରାଜ୍ୟ ସରକାର ତରବରିଆ ଭାବେ ଆଗତୁରା କାଳିଆ ଯୋଜନା ଘୋଷଣା କରି ବାଃ ବାଃ ନେଇଥିଲେ । ଏବେ ରାଜ୍ୟ ସରକାରଙ୍କର ଅସଲ ଚେହେରା ପଦାରେ ପଡିଛି । ଏହା ଦ୍ୱାରା ଚାଷୀମାନେ କ୍ଷତିଗ୍ରସ୍ତ ହେବା ସହ ବହୁ ଚାଷୀ, ତାଲିକାରୁ ବାଦ ପଡିବାର ସମ୍ଭାନା ମଧ୍ୟ ରହିଛି  ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top