ନ୍ୟୁଜ୍

ଫେଲ୍‌ଙ୍କ ମଧ୍ୟରେ ଫାଷ୍ଟ୍‌ ରାଜ୍ୟ ସରକାର, ଖର୍ଚ୍ଚ ରିପୋର୍ଟ ଦେଇ ପାରୁନାହାନ୍ତି !

CAG REPORT

ଫେଲଙ୍କ ମଧ୍ୟରେ ଫାଷ୍ଟ ହେଉଛନ୍ତି ଆମ ରାଜ୍ୟ ସରକାର । ଋଣ କରିବାରେ ଫାଷ୍ଟ, ବିନିଯୋଗ ପ୍ରମାଣପତ୍ର ବା ୟୁସି ନଦେବାରେ ଫାଷ୍ଟ, ଆଳୁ ମିଶନ ଫେଲ୍‌ ହେବାରେ ଫାଷ୍ଟ, ଟଙ୍କା ଖର୍ଚ୍ଚ କରି ନପାରିବାରେ ମଧ୍ୟ ଫାଷ୍ଟ । ଏକଥା ଆମେ କହୁ ନାହୁଁ, କହୁଛି ସଦ୍ୟ ପ୍ରକାଶ ପାଇଥିବା ସିଏଜି ରିପୋର୍ଟ । ପ୍ରଥମେ ଋଣ କରିବା କ୍ଷେତ୍ରରେ ସରକାର ଧୁରନ୍ଧର ବୋଲି ସିଏଜି ରିପୋର୍ଟରୁ ଜଣାପଡ଼ିଛି ।

2013-14 ସମୁଦାୟ ବକେୟା ଦେୟ ଏବଂ ଡିଏସ୍‌ଡିପିର ଅନୁପାତ ଥିଲା 15.08 ପ୍ରତିଶତ । ମାତ୍ର ତାହା 2017-18ରେ ବୃଦ୍ଧି ପାଇ 23.36 ପ୍ରତିଶତରେ ପହଞ୍ଚିଛି । ରାଜ୍ୟ ସରକାର ବିଭିନ୍ନ ନିଗମ, ସରକାରୀ କଂପାନୀ, ବିଭିନ୍ନ ଯୁଗ୍ମ ଷ୍ଟକ୍‌ କଂପାନୀରେ 4 ହଜାର 974 କୋଟି ଟଙ୍କା ପୁଞ୍ଜି ନିବେଶ କରିଛନ୍ତି । ସେଥିରୁ ସେ ନିମ୍ନ ହାରରେ ପାଉଛନ୍ତି ମାତ୍ର 1.33 ପ୍ରତିଶତ । କିନ୍ତୁ ବକେୟା ଋଣ ପାଇଁ ରାଜ୍ୟସରକାର ସୁଧ ବାବଦରେ ଦେଉଛନ୍ତି 7.58 ପ୍ରତିଶତ ।

ଋଣ ନକରି ବଳକା ଅର୍ଥ ବିନିଯୋଗ କରିବା ପାଇଁ ରାଜ୍ୟସରକାରଙ୍କୁ ଚତୁର୍ଦଶ ଅର୍ଥ କମିଶନ କହିଥିଲେ । ମାତ୍ର ରାଜ୍ୟସରକାର ଚତୁର୍ଦଶ ଅର୍ଥ କମିଶନଙ୍କ ସୁପାରିଶକୁ ସିଧାସଳଖ ଉଲ୍ଲଘଂନ କରିଥିବା ସିଏଜି ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି ।

2018 ମାର୍ଚ୍ଚ ଶେଷ ସୁଦ୍ଧା ରାଜ୍ୟରେ 25 ହଜାର 305 କୋଟି ଟଙ୍କା ବଳକା ରହିଥିଲେ ମଧ୍ୟ ରାଜ୍ୟ ସରକାର 12 ହଜାର 13 କୋଟି ଟଙ୍କା 6.94ରୁ 8.24 ପ୍ରତିଶତ ସୁଧ ହାରରେ ଋଣ କରିଛନ୍ତି । ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ, କେନ୍ଦ୍ରୀୟ ଅନୁଦାନଠାରୁ ଯଦି ରାଜ୍ୟ ସରକାର ଅଧିକ ଅର୍ଥ ଖର୍ଚ୍ଚ କରନ୍ତି, ତାହାକୁ ବିଧାନସଭାରେ ନିୟମିତ କରାଇନେବେ । ମାତ୍ର 2013-14ରୁ 2017-19 ପର୍ଯ୍ୟନ୍ତ ତାହାକୁ ବିଧାନସଭାରେ ନିୟମିତ କରାଇ ନାହାଁନ୍ତି । 20ଟି ବିଭାଗ ମଧ୍ୟରୁ ମାତ୍ର 3ଟି ବିଭାଗ ନିର୍ଦ୍ଧାରିତ ସମୟରେ ଅନୁଦାନ ଅର୍ଥ ଖର୍ଚ୍ଚ କରିଛନ୍ତି । ବାକି 17ଟି ବିଭାଗ ମାତ୍ର 60 ପ୍ରତିଶତ ଅର୍ଥ ଖର୍ଚ୍ଚ କରିଥିବା ସିଏଜି ରିପୋର୍ଟରେ କୁହାଯାଇଛି । ମାତ୍ର ଆର୍ଥିକ ବର୍ଷ ଶେଷ ଆଡ଼କୁ ସମସ୍ତ ନୀୟମକୁ ଜଳାଞ୍ଜଳି ଦିଆଯାଇ ବହୁଳ ଭାବେ ଖର୍ଚ୍ଚ କରାଯାଇଛି । 2015ରେ ଆଳୁ ମିଶନ ପାଇଁ 130 କୋଟି ଟଙ୍କା ଅନୁମୋଦନ କରାଯାଇଥିଲା । ମାତ୍ର 26.65 କୋଟି ଟଙ୍କା ବ୍ୟୟରେ 55ଟି ଶୀତଳ ଭଣ୍ଡାର ତିଆରି ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ବେଳେ ମାର୍ଚ୍ଚ 2018 ସୁଦ୍ଧା ମାତ୍ର 23ଟି ନିର୍ମାଣ କରାଯାଇଥିଲା । ଅର୍ଥାତ ଧାର୍ଯ୍ୟ ଲକ୍ଷ୍ୟର ମାତ୍ର 20.50 ପ୍ରତିଶତ । ଏଣୁ ଆଳୁ ମିଶନ ରାଜ୍ୟରେ ସଂପୂର୍ଣ୍ଣ ଫେଲ ହୋଇଥିବା ସିଏଜି କହିଛନ୍ତି ।

ସବୁଠାରୁ ଗୁରୁତ୍ୱପର୍ଣ୍ଣ ହେଉଛି ଶତକଡା 75 ପ୍ରତିଶତ କେନ୍ଦ୍ରୀୟ ଅନୁଦାନର ବିନିଯୋଗ ପ୍ରମାଣପତ୍ର ନ ଦେବା । ଏହି ଗୋଟିଏ କିମ୍ବା 2ଟି ବିଭାଗର ନୁହେଁ, 35ଟି ବିଭାଗର ମୋଟ 38 ହଜାର 427.91 କୋଟି ଟଙ୍କାର ବିନିଯୋଗ ପ୍ରମାଣ ପତ୍ର ମାର୍ଚ୍ଚ 2018 ସୁଦ୍ଧା ରାଜ୍ୟ ସରକାର ଦେଇପାରି ନାହାଁନ୍ତି । ଏ କ୍ଷେତ୍ରରେ ସବୁଠାରୁ ଆଗରେ ରହିଛି ପଞ୍ଚାୟତିରାଜ ବିଭାଗ । ଏହି ବିଭାଗ 15 ହଜାର 596 କୋଟି ଟଙ୍କାର ବିନିଯୋଗ ପ୍ରମାଣପତ୍ର ଦେଇନାହିଁ । ସେହିପରି ଗୃହ ଓ ନଗର ଉନ୍ନୟନ ବିଭାଗ, ସ୍କୁଲ ଓ ଗଣଶିକ୍ଷା ବିଭାଗ, ଯୋଜନା ଓ ସମନ୍ୱୟ ବିଭାଗ ଶହ ଶହ କୋଟି ଟଙ୍କାର ବିନିଯୋଗ ପ୍ରମାଣ ପତ୍ର ଦେଇ ନାହାଁନ୍ତି ସରକାର । ସେହିପରି ଶ୍ରମିକ ପାଣ୍ଠିର ମାତ୍ର 27.77 ପ୍ରତିଶତ ବିନିଯୋଗ ହୋଇଛି । ଶ୍ରମିକ ପାଣ୍ଠିର କମ ବିନିଯୋଗ ଯୋଗୁଁ, ଶ୍ରମିକ କରର ଆଦାୟ ଲକ୍ଷ୍ୟ ପୂରଣ କ୍ଷେତ୍ରରେ ସରକାର ଫେଲ ହୋଇଛନ୍ତି ବୋଲି ଭାରତୀର ମହାଲେଖା ନିୟନ୍ତ୍ରକ ତଥା ମହାସମୀକ୍ଷକ ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top