ନ୍ୟୁଜ୍

ସମବାୟ ନିର୍ବାଚନ ପାଇଁ ପୁଣି ରାଜ୍ୟ ସରକାର ଦେଖାଇଲେ ଚାଷୀପ୍ରେମ !

ଭୁବନେଶ୍ୱର: କାଳିଆକୁ ନେଇ ଅକଳରେ ପଡିଥିବା ରାଜ୍ୟ ସରକାରଙ୍କ ସମବାୟ ନିର୍ବାଚନ ପୂର୍ବରୁ କଳଙ୍କ ପୋଛିବା ପାଇଁ ପ୍ରୟାସ କରିଛନ୍ତି । ବର୍ଷେ ପରେ ସରକାରଙ୍କର ମନେପଡିଲା କୃଷକ କଲ୍ୟାଣ ପାଣ୍ଠି କଥା । ରାଜ୍ୟରେ ଚାପରେ ଥିବା ଚାଷୀଙ୍କୁ ବାର୍ଷିକ 20 ହଜାର ଟଙ୍କା ଦେବାପାଇଁ ସରକାରୀ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଛି । ଏନେଇ ସମବାୟ ବିଭାଗକୁ ଲେଖାଯାଇଛି ପତ୍ର । ସେପଟେ ସରକାରଙ୍କ ପାରିବାପଣିଆକୁ ନେଇ ଉଠିଛି ପ୍ରଶ୍ନ । କୃଷକ କଲ୍ୟାଣ ପାଣ୍ଠିରେ ଖର୍ଚ୍ଚ ନହୋଇ ପାରି ପଡି ରହିଛି ୨୫୦କୋଟି ଟଙ୍କା  । ସେପଟେ କାଳିଆକୁ ନେଇ ସରକାର ସମାଲୋଚନାର ଶିକାର ପରେ ଏବେ ଚାପଗ୍ରସ୍ତ ଚାଷୀଙ୍କ ପାଇଁ ପୁଣି ଅଣ୍ଟାଭିଡିଛନ୍ତି ।

ସରକାରଙ୍କ ତରଫରୁ ଏ ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ଦିଆଯାଇଛି ପରାମର୍ଶ । ବିଭାଗ ଗୁଡିକୁ କରାଯାଇଥିବା ଚିଠିରେ ଉଲ୍ଲେଖ ରହିଛି ରାଜ୍ୟରେ ପ୍ରାୟତଃ ପ୍ରାକୃତିକ ବିପର୍ଯ୍ୟୟରେ ପ୍ରତିବର୍ଷ ୫୫ହଜାର କ୍ଷୁଦ୍ର,ନାମମାତ୍ର ଚାଷୀ ଓ ଭୂମିହୀନ ଶ୍ରମିକ ପ୍ରଭାବିତ ହେଉଥିବାବେଳେ ସେମାନେ ଫସଲ ବୀମାରେ ସାମିଲ ହୋଇପାରୁନାହାନ୍ତି । ସେହିପରି ଗ୍ରାମାଞ୍ଚଳରେ ଥିବା ୫୧.୮୪ଲକ୍ଷ କ୍ଷୁଦ୍ର ଚାଷୀଙ୍କ ମଧ୍ୟରୁ ପ୍ରତି ହଜାରରେ ୮.୪ ପ୍ରତିଶତ ଜଣ ପ୍ରାଣ ହରାଉଥିବାବେଳେ ପ୍ରତିବର୍ଷ ପ୍ରାୟ ୪୮ରୁ ୫୦ହଜାର ଚାଷୀଙ୍କ ମୃତ୍ୟୁ ହେଉଛି । ସେମାନଙ୍କ ଉପରେ ତୀକ୍ଷ୍ଣ ନଜର ରଖିବା ସହ ଆମ ଆଦମୀ ବୀମା ଯୋଜନାରେ ୧୮ରୁ ୬୦ବର୍ଷ ବୟସର ସମସ୍ତ ଚାଷୀଙ୍କୁ ବୀମାଭୁକ୍ତ ନିମନ୍ତେ ସମ୍ଭାବ୍ୟ ଦିଗ ଖୋଜିବା ପାଇଁ ପଦକ୍ଷେପ ନେବାକୁ ବିଭାଗକୁ କୁହାଯାଇଛି । କୃଷିଋଣ ନେଇଥିବା ଚାଷୀଙ୍କ ବୀମାଭୁକ୍ତ କରିବାର ମାର୍ଗ କୃଷି ବିଭାଗ ଓ ସମବାୟ ବିଭାଗ ମିଳିତ ଭାବେ ଅନ୍ୱେଷଣ କରିବେ । ସେହିପରି କ୍ଷୁଦ୍ର ଓ ନାମମାତ୍ର ଚାଷୀ ଯେଭଳି ସାହୁକାରଙ୍କଠୁ ଋଣ ନନେବେ ସେଥିପାଇଁ ଆବଶ୍ୟକ ବ୍ୟବସ୍ଥା କରିବା ସହ ଭାଗଚାଷୀଙ୍କୁ ଋଣ ଦେବା ନିମନ୍ତେ ପ୍ରାବଧାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top