ନ୍ୟୁଜ୍

ରଥଯାତ୍ରାକୁ ନେଇ ସୁପ୍ରିମକୋର୍ଟଙ୍କ ରାୟକୁ ପାଳନ କରିବେ ରାଜ୍ୟ ସରକାର

ଭୁବନେଶ୍ୱର: ରଥଯାତ୍ରାକୁ ନେଇ ସୁପ୍ରିମକୋର୍ଟ ଦେଇଥିବା ରାୟକୁ ପାଳନ କରିବେ ରାଜ୍ୟ ସରକାର । ଏନେଇ ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନିଆଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ ବୈଠକ ଶେଷ ହୋଇଥିବା ବେଳେ ଏଭଳି ନିଷ୍ପତ୍ତି ହୋଇଥିବା ନେଇ ଜଣାପଡ଼ିଛି ।

ଏବର୍ଷ ରଥଯାତ୍ରା ପାଳନ ହେବ ନାହିଁ ବୋଲି ରାୟ ଶୁଣାଇଥିଲେ ସୁପ୍ରିମକୋର୍ଟ  । ଏହାପରେ କ୍ୟାବିନେଟ ବୈଠକରେ ଏହାକୁ ନେଇ କିଛି ଅନ୍ୟ ବିକଳ୍ପ ଉପରେ ଆଲୋଚନା ହେବା ନେଇ ଆଶା ପ୍ରକାଶ ପାଇଥିଲା । କିନ୍ତୁ ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କ ରାୟକୁ ଅକ୍ଷରେ ଅକ୍ଷରେ ପାଳନ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି ।

ଆଜିର ଏହି ବୈଠକରେ ଆଡ଼ଭୋକେଟ ଜେନେରାଲ, ମୁଖ୍ୟ ଶାସନ ସଚିବ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟକାରୀ ଅଧିକାରୀ,ଉନ୍ନୟନ କମିଶନର ଓ କ୍ୟାବିନେଟ ମନ୍ତ୍ରୀ ଉପସ୍ଥିତ ରହିଥିଲେ ।

ସୂଚନାଯୋଗ୍ୟ, ଆସନ୍ତା 23 ତାରିଖରେ ରଥଯାତ୍ରା ପାଇଁ ରଥ ଓ ପଥ ପ୍ରସ୍ତୁତ ହୋଇସାରିଥିଲା । ସାଢ଼େ ଚାରି କୋଟି ଓଡ଼ିଆଙ୍କ ମନରେ ଅହେତୁକ ଆଶା ଉଙ୍କିମାରୁଥିଲା । କିନ୍ତୁ ରଥଯାତ୍ରା ହେବନି ବୋଲି ସର୍ବୋଚ୍ଚ କୋର୍ଟ ରାୟ ଶୁଣାଇବା ପରେ ଏବେ ସୁବୁଠି ଦୁଃଖର ମାହୋଲ ଦେଖିବାକୁ ମିଳିଛି । ଏପରିକି ରାଜ୍ୟବାସୀ ରାଜ୍ୟ ସରକାରଙ୍କ ପରବର୍ତ୍ତୀ ପଦକ୍ଷେପ ଉପରେ ନଜର ମଧ୍ୟ ରଖିଥିଲେ । ଯେତେବେଳେ କି ବିରୋଧୀ ଅଭିଯୋଗ କରିଥିଲେ ସରକାର ନିଜ ଷଡ଼ଯନ୍ତ୍ରରେ ସଫଳ ହୋଇଛନ୍ତି । ସେ ଯାହା ହେଉ ଶେଷରେ ରାଜ୍ୟ ସରକାରଙ୍କ ପାଖରୁ ରାଜ୍ୟବାସୀଙ୍କୁ ପୁଣି ଥରେ ନିରାଶ ହେବାକୁ ପଡ଼ିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top