ନ୍ୟୁଜ୍

ଦିନେ ଥିଲେ ଭାରତୀୟ ଯବାନ, ଆଉ ଆଜି ଦଇବ ସାଜିଛି ବଇରୀ

jawan

ନୟାଗଡ:  ନୟାଗଡ ଜିଲ୍ଲା ଚମ୍ପତିପୁର ଗାଁର ଅଶୋକ କୁମାର ସାହୁ । ଦିନେ ଭାରତୀୟ ସେନାର ଜଣେ ସାହାସୀ ଯବାନ ଭାବେ ସେ ଦେଶ ମାତୃକାର ଜଣେ ସଜାଗ ପ୍ରହରି ସାଜିଥିଲେ । ମାତ୍ର , ଗତ ସାତ ବର୍ଷ ତଳେ ହଠାତ୍ ଏକ ଦୈବୀ ଦୁର୍ଘଟଣାର ସାମ୍ନା କରିବା ପରେ ଏବେ ସାହାସୀ ଯବାନ ଅଶୋକଙ୍କ ଜୀବନ ଏକ ପ୍ରକାର ଦୁର୍ବିସହ ହୋଇପଡିଛି । ନାନାଦି ଅସୁବିଧା ଓ ଆର୍ଥିକ ଅନାଟନ ଭିତରେ ଅଶୋକଙ୍କ ବୁଢା ବାପା ମା ଅଶୋକଙ୍କ ଚିକିତ୍ସା ପାଇଁ ଅକ୍ଷମତା ପ୍ରକାଶ କରୁଥିବାବେଳେ ଦୀର୍ଘ ସାତ ବର୍ଷ ପରେବି ସରକାରଙ୍କ ପକ୍ଷରୁ କୈାଣସି ଭତା କିମ୍ବା ସରକାରୀ ସହାୟତା ଏବେ ସୁଦ୍ଧା ଅଶୋକଙ୍କ ପରିବାର ପାଇଁ ସାତସପନ ପାଲଟିଛି ।

jawan

ଦିନେ ଭାରତୀୟ ସେନାର ସାହାସୀ ଯବାନ ରୂପେ ଦେଶମାତୃକାର ସେବାରେ ନିଜକୁ ନିୟୋଜିତ କରିଥିଲେ । ହେଲେ , ଦିନେ ଶତୃପକ୍ଷର ଗୁଳିଗୋଳାକୁ ସାମ୍ନା କରୁଥିବା ଏହି ବୀର ଯବାନ ସାତବର୍ଷ ତଳେ ହୋଇଥିବା ଏକ ଦୈବୀ ଦୁର୍ଘଟଣାରେ ସଂପୂର୍ଣ୍ଣ ଅକର୍ମଣ୍ୟ ହୋଇ ପଡିଛନ୍ତି । ଫଳରେ ଯେଉଁ ବୟସରେ ବାପା ମାଙ୍କ ଆଶାବାଡି ସାଜି ସେ ପରିବାରରେ ହସଖୁସି ଭରିବା କଥା ସେହି ବୟସରେ ସେ ଏବେ ବାପା ମାଙ୍କ ଦୁଃଖର କାରଣ ପାଲଟିଛନ୍ତି । ଅନ୍ୟପକ୍ଷେ ନାନାଦି ଅଭାବ ଅସୁବିଧା ଭିତରେ ଚାରିପ୍ରାଣୀ କୁଟୁମ୍ଭଙ୍କ ଭରଣ ପୋଷଣ ସାଙ୍ଗକୁ ଯବାନ ପୁଅର ଚିକିତ୍ସା ଖର୍ଚ୍ଚ ଉଠାଇବାକୁ ପରିଣତ ବୟସରେ ବି ଅଶୋକଙ୍କ ବାପା ଗାଁ ଗାଁ ବୁଲି ଗ୍ୟାସ୍ ,ଷ୍ଟୋଭ୍ ଆଦ ମରାମତି କରି ଜୀବିକା ନିର୍ବାହ କରୁଛନ୍ତି । ମାତ୍ର , ଏସବୁ ସତ୍ୱେ ନିଜର ସ୍ୱଳ୍ପ ରୋଜଗାରରେ ଘର ଚଳାଇବା ସାଙ୍ଗକୁ ପୁଅର ଚିକିତ୍ସା ଖର୍ଚ୍ଚ ତୁଲାଇବା ସମ୍ଭବ ହେଉନଥିବାରୁ ଏ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରୁ ବିଡିଓଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ସରକାରୀ ସହାୟତା ପାଇଁ ଦୀର୍ଘ ସାତ ବର୍ଷଧରି ଘୁରି ବୁଲୁଛନ୍ତି ଅଶୋକଙ୍କ ପରିବାର ।

jawan

ସୀମାରେ ସହିଦ୍ ହେଉଥିବା ଯବାନ ମାନଙ୍କୁ ସରକାର ଗୋଟିଏ ପକ୍ଷେ ଲକ୍ଷ ଲକ୍ଷ ଟଙ୍କାର ସହାୟତା ଦେଇ ଅନୁକମ୍ପା ଦେଖାଉଥିବାବେଳେ ଦୈବୀ ଦୁର୍ଘଟଣାରେ ଦୁର୍ବିସହ ହୋଇପଡିଥିବା ଅଶୋକଙ୍କ ପରି ଜଣେ ବୀର ଯବାନଙ୍କୁ ଦୀର୍ଘ ସାତବର୍ଷ ପରେବି କୈାଣସି ଅନୁକମ୍ପା ରାଶି ମିଳିିନାହିଁ । ଅନ୍ୟପକ୍ଷେ ସେନାରେ ଚାକିରି କରିବାର ଦଶ ବର୍ଷ ପୂରାହୋଇନଥିବାରୁ ସେନାର ନିୟମ ଅନୁସାରେ ଅଶୋକଙ୍କୁ କୈାଣସି ଭତା ମଧ୍ୟ ମିଳିପାରୁନାହିଁ । ଫଳରେ ପରିବାରର ଆର୍ଥିକ ଅନାଟନ ଭିତରେ ଅଶୋକ ଚିକିତ୍ସା କରିବା ଏବେ ବୁଢା ବାପା ମାଙ୍କ ପାଇଁ କଷ୍ଟସାଧ୍ୟ ହୋଇପଡିଛି । ତେବେଏ ଦିଗରେ ଅଶୋକ ଜଣେ ଦିବ୍ୟାଙ୍ଗ ହୋଇଥିବାରୁ ଅନ୍ୟ ସୁବିଧା ନହେଲେବି ତାଙ୍କୁ କାହିିଁକି ମଧୁବାବୁ ପେନସ୍ସନ୍ ଯୋଜନାରେ ଭତା ଦିଆଯିବ ନାହିଁ ବୋଲି ପଚାରିବାରୁ ଏ ଦିଗରେ ପଦକ୍ଷେପ ନେଇ ଶିଘ୍ର ତାଙ୍କ ପରିବାରକୁ ଏହି ଯୋଜନାରେ ସାମିଲ୍ କରାଯିବ ବୋଲି ନୟାଗଡ ମଣ୍ଡଳ ଉନ୍ନୟନ ଅଧିକାରି କହିଛନ୍ତି ।

ଦୀର୍ଘ ସାତ ବର୍ଷ ଧରି ଅସହାୟ ଭଳି ଜୀବନ ବିତାଉଥିବା ସାହାସୀ ଯବାନ ଅଶୋକଙ୍କ ପାଇଁ ସରକାରୀ ସହାୟତା ଏ ଯାଏଁ ସାତ ସପନ ହୋଇଥିବା ବେଳେ , ଦେଶର ଜଣେ ବୀର ଯବାନକୁ ସେନା କର୍ତୃପକ୍ଷ ଏଭଳି ଭାବେ ଭୁଲିଯିବା ଦୁର୍ଭାଗ୍ୟଜନକ ନିଶ୍ଚୟ । ଏଣୁ , ଏ ଦିଗରେ ପ୍ରଶାସନ କେବେ ଅଶୋକଙ୍କ ପରିବାରର ଗୁହାରି ଶୁଣି ତାଙ୍କୁ ସହାୟତାର ହାତ ବଢାଇବ ତାହା ଦେଖିବାକୁ ବାକି ରହିଲା ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top