ନ୍ୟୁଜ୍

ବୟସ ୪ ଛୁଇଁନି, ହେଲେ ଏସିଆ ବୁକ୍‌ ରେକର୍ଡରେ ନାଁ ଯୋଡ଼ି ହେଲାଣି

guru sing

ବୟସ ମାତ୍ର ଚାରି ବର୍ଷ ଛୁଇଁ ବାକୁ ଯାଉଛି । ଯେଉଁ ବୟସରେ ପିଲାମାନେ ସାଧାରଣତଃ ସଠିକ ଭାବେ କଥା କହି ପାରନ୍ତିନି ଆଉ ନିଜ ମା’ କୋଳକୁ ଛାଡିବା ପାଇଁ ମନ କରନ୍ତିନି, ସେହି ବୟସରେ ଏସିଆ ବୁକ୍‌ ଅଫ୍‌ ରେକର୍ଡର ଅଧିକାରୀ ହୋଇ ପାରିଛନ୍ତି ଜଣେ କୁନି ଝିଅ । ତାହା ପୁଣି କର୍ଷିଭ ରାଇଟିଂରେ । ସେ ହେଉଛନ୍ତି ଗୁରୁସିନ କୌର ଚାଓ୍ୱଲା । ଘର ଝାରସୁଗୁଡାର ସରବାହାଲରେ । ତାଙ୍କ ପାଖରେ ରହିଛି ଏକ ଆକର୍ଷଣୀୟ ଶକ୍ତି ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେବ ।

କୁନିଝିଅ ଗୁରୁସିନ୍‌ଙ୍କ ବାପା ହେଲେ  ଗୁରୁପ୍ରିତ ସିଂହ ଚାଓ୍ୱଲା ଆଉ ମା’ ସାଲୁ ଚାଓ୍ୱଲା । ଝିଅ ଗୁରୁସିନ୍‌ କର୍ଷିଭ ରାଇଟିଂରେ ଏସିଆ ବୁକ୍‌ ଅଫ ରେକର୍ଡ଼ ହାସଲ କରିଛନ୍ତି । ଦିନକୁ ଘଣ୍ଟାଟିଏ ସମୟ ବାହାର କରି ସୁନ୍ଦର ଭାବରେ କର୍ଷିଭ୍‌ ରାଇଟିଂ କରି ସମସ୍ତଙ୍କୁ ଚକିତ କରି ଦେଉଛନ୍ତି । ମା’ ସାଲୁ ଚାଓ୍ୱଲାଙ୍କ ପ୍ରଶିକ୍ଷଣ ଯୋଗୁଁ ଏହା ସମ୍ଭବ ହୋଇ ପାରିଛି । କର୍ଷିଭ୍‌ ରାଇଟିଂରେ ଲେଖିବା ସହିତ 1ଠାରୁ 100 ପର୍ଯ୍ୟନ୍ତ ସ୍ପେଲିଂ ମଧ୍ୟ ଲେଖି ପାରୁଛି । ଛୁଆଦିନୁ ଝିଅର କଳା ଦେଖି ନିଜ ବାପା ମା’ ଆଶ୍ଚର୍ଯ୍ୟ ହେବା ସହ ତାଙ୍କୁ ଆଗେଇ ଯିବା ପାଇଁ ନିଜେ ଶିକ୍ଷାଦାନ ଦେଇ ଆସୁଛନ୍ତି । ପାଠ ସାଙ୍ଗକୁ ରେକର୍ଡ଼ ହାସଲ କରିବା ପାଇଁ ବାପା ମା’ ଦୁହେଁ ପ୍ରଶିକ୍ଷଣ ଦେବାର ଫଳ ଆଜି ଝିଅ ଆଣିଥିବାରୁ ପରିବାର ବର୍ଗ ବହୁତ ଆନନ୍ଦିତ ଥିବା ସହ ଝିଅର କଳା, ଆହୁରି କିଭଳି ଦେଶ ବିଦେଶରେ ସୁନାମ ଅର୍ଜନ କରିବ, ସେ ନେଇ ତାଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି ।

ଝିଅର ଏହି କଳା ଦେଖି ମା’ ପ୍ରଥମେ ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡ଼ ଅନ୍‌ଲାଇନ୍‌ ସାଇଟ୍‌ରେ ପଞ୍ଜିକୃତ କରିଥିଲେ । ସେଥିରେ ସେ କୃତିତ୍ୱ ହାସଲ କରିବା ପରେ ସେମାନେ ଡିସେମ୍ବର ମାସରେ ଏସିଆ ବୁକ୍‌ ଅଫ୍‌ ରେକର୍ଡ଼ ହାସଲ ନିମନ୍ତେ ଅନ୍‌ ଲାଇନ୍‌ ଜରିଆରେ ଆବେଦନ କରିଥିଲେ । ଅନ୍‌ଲାଇନ୍‌ ମାଧ୍ୟମରେ କୁନି ଝିଅର ପରୀକ୍ଷା ମଧ୍ୟ ହୋଇଥିଲା । ଯାହାର ଫଳ ମାର୍ଚ୍ଚ ମାସରେ ପ୍ରକାଶ ପାଇଛି । ଏବଂ ଏସିଆ ବୁକ୍‌ ଅଫ ରେକର୍ଡର ମେଡାଲ ସହ ଏକ ସାର୍ଟିଫିକେଟ୍‌ ତାଙ୍କୁ ପ୍ରଦାନ କରାଯାଇଛି । ଯାହାକି ଝାରସୁଗୁଡା ତଥା ଓଡ଼ିଶା ପାଇଁ ଗର୍ବ ଏବଂ ଗୌରବର ବିଷୟ । ଗୁରୁସିନ୍‌ ନଜ ବଡ଼ ଭାଇଠାରୁ ପ୍ରେରିତ ହୋଇ କର୍ଷିଭ୍‌ ରାଇଟିଂ ଲେଖିବା ଆରମ୍ଭ କରିଥିଲା । ପରବର୍ତ୍ତୀ ସମୟରେ ମା’ ଏବଂ ବାପାଙ୍କ ପରିଶ୍ରମ ଯୋଗୁଁ ଗୁରୁସିନ୍‌ ଏହି ସଫଳତା ପାଇ ପାରିଛି । ଜୀବନରେ ଆହୁରି ନାଁ କରିବା ସହ ଅନେକ ସଫଳତା ପାଉ ବୋଲି କହିଛନ୍ତି ଗୁରୁସିନ୍‌ର ମା’ ଏବଂ ବାପା ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top