X
Breaking News
ନ୍ୟୁଜ୍

ଆସୁଛି ମୌସୁମୀ: ମଣ୍ଡିରେ ପଡ଼ିରହିଛି କ୍ୱିଣ୍ଟାଲ କ୍ୱିଣ୍ଟାଲ ଧାନ, ଚାଷୀ ଚିନ୍ତାରେ

Mandi

କୋରାପୁଟ: ପାଖେଇ ଆସୁଛି ବର୍ଷା । ଆଗାମୀ 5 ଦିନ ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହେବ । ଗତ 8 ତାରିଖରୁ ମୌସୁମୀ କେରଳ ଛୁଇଁ ସାରିଛି । ଓଡ଼ିଶାରେ ରଜ ସମୟରେ ମୌସୁମୀ ଛୁଇଁବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି । ତାତିରେ ଫୁଟୁଥିବା ସାରା ରାଜ୍ୟ ବର୍ଷାକୁ ଚାତକ ଭଳି ଚାହିଁ ରହିଥିବା ବେଳେ ଚାଷୀଙ୍କ ପାଇଁ କିନ୍ତୁ ଏହା ଚିନ୍ତାର କାରଣ ସାଜିଛି ।

ବର୍ଷା ଆସୁଥିବାରୁ ଚାଷୀଙ୍କ ଚିନ୍ତା ଦ୍ୱିଗୁଣିତ ହୋଇଛି । କାରଣ ଧାନର ଅଭାବୀ ବିକ୍ରି ପାଇଁ ମଣ୍ଡିରେ ଧାନ ପଡ଼ି ରହିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ମଣ୍ଡିରୁ ଧାନ କିଣାଯାଉ ନାହିଁ । ଚାଷୀ ଏଥିପାଇଁ ଏବେ ବ୍ୟତିବ୍ୟସ୍ତ ହୋଇପଡ଼ିଲେଣି । ବର୍ଷା ଆସୁଥିବାରୁ ଚାଷୀଙ୍କ ପାଇଁ ଏହା ବୋଝ ଉପରେ ନଳିତା ବିଡ଼ା ସାଜିଛି । ଏମତିକି ମଝିରେ ମଝିରେ ଅସରାଏ ବର୍ଷା ହେବାରୁ ଧାନ ମଣ୍ଡିରେ ପାଣି ଜମୁଛି । ତେବେ ଚାଷୀଙ୍କ ସମସ୍ୟା ସମାଧାନ ଦିଗରେ ସରକାରଙ୍କ ମନ୍ଥର ପଦକ୍ଷେପ ଯୋଗୁଁ ଚାଷୀ ଅସନ୍ତୋଷ ବଢିବାରେ ଲାଗିଛି । ଯାହାକୁ ନେଇ ଆଗାମୀ ଦିନରେ ଚାଷୀ ଆନ୍ଦୋଳନ କରିବାକୁ ସଜ୍ଜବାଜ ହେଲେଣି । ଏମିତି କିଛି ଅଭିଯୋଗ ଆସିଛି ନୂଆପଡ଼ା ଏବଂ କଳାହାଣ୍ଡି କଲମପୁରରୁ ।

ନୂଆପଡ଼ା ଜିଲ୍ଲାର ବିଭିନ୍ନ ମଣ୍ଡିରେ ପଡି ରହିଛି କ୍ୱିଣ୍ଟାଲ କ୍ୱିଣ୍ଟାଲ ଧାନ । କାଳବୈଶାଖୀରେ ଧାନ ବସ୍ତା ସବୁ ଓଦା ହୋଇଯାଇଥିବା ବେଳେ ମିଲର ଏବଂ ଯୋଗାଣ ବିଭାଗର ମନମୁଖି କାର୍ଯ୍ୟ ଯୋଗୁଁ ଏଭଳି ସ୍ଥିତି ଉପୁଜିଥିବା ଚାଷୀ ଅଭିଯୋଗ କରିଛନ୍ତି । ସେପଟେ ଏନେଇ ଚାଷୀମାନେ ଯୋଗାଣ ଅଧିକାରୀଙ୍କୁ ଭେଟିବା ପରେ ଖୁବଶୀଘ୍ର ଧାନ ଉଠାଯିବ ବୋଲି ଅଧିକାରୀ ପ୍ରତିଶ୍ରୁତି ଦେଇଛନ୍ତି ।

ସେହିପରି କଳହାଣ୍ଡି କଲମପୁର ମଣ୍ଡିରେ ଧାନ କିଣା ଯାଉ ନଥିବା ପ୍ରତିବାଦରେ ଚାଷୀମାନେ ରାସ୍ତାକୁ ଓହ୍ଲାଇଛନ୍ତି । ମଣ୍ଡିରେ  ପାଖାପାଖି 10  ହଜାର କ୍ୱିଣ୍ଟାଲ ଧାନ ପଡିରହିଛି । ଧାନ ବିକ୍ରି ପାଇଁ ଚାଷୀ ସପ୍ତାହେ ହେଲା ଟୋକନ ପାଇ ଥିଲେ ମଧ୍ୟ ଧାନ ଉଠାଣ ହେଉନଥିବା ଅଭିଯୋଗ ହେଉଛି । ଯାହାକୁ ନେଇ ତହସିଲ ଅଫିସ୍‌ ସମ୍ମୁଖରେ ଚାଷୀ ରାସ୍ତା ଅବରୋଧ କରି ମଣ୍ଡିରୁ ଧାନ ଉଠାଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top