ରାଜ୍ୟ

ଘୁଞ୍ଚିଲା ଡେଡ୍‌ଲାଇନ୍‌ , ୩ ମାସରେ ସବୁ କାଗଜପତ୍ର ଠିକ୍‌ କରିବାକୁ ମନ୍ତ୍ରୀଙ୍କ ଅନୁରୋଧ

ଭୁବନେଶ୍ୱର: ଚାପରେ ଚେପା ହେଲେ ସରକାର । ପୁଣି 3 ମାସ କୋହଳ କଲେ ଟ୍ରାଫିକ ନିୟମ । ନୂଆ ମୋଟର ଯାନ ଆଇନର ଡେଡଲାଇନ୍‌ ପୁଣି 3 ମାସ ଘୁଞ୍ଚିଲା । ଏବେ ଲୋକଙ୍କୁ ମିଳିଛି ଆଶ୍ୱସ୍ତି । ତେବେ ବିଧାନସଭାରେ ଖୋଦ ଶାସକ ଦଳର ବିଧାୟକମାନେ ଏହାକୁ ନେଇ ଜୋରଦାର ଗର୍ଜିଥିଲେ । ଏଥିରେ ମନ୍ତ୍ରୀ ପୁଣିଥରେ ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଛନ୍ତି । ଏହାସହ ଆହୁରି 3 ମାସ ପାଇଁ ନିୟମ କୋହଳ କରିବାକୁ ବାଧ୍ୟ ହୋଇଛନ୍ତି । ତେବେ 3 ମାସ ନିୟମ କୋହଳ କରିବା ନେଇ ସୂଚନା ଦେଲେ ଖୋଦ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।

ଅନ୍ୟପଟେ କାଗଜପତ୍ର ପାଇଁ ନିୟମ କୋହଳ ହୋଇଥିଲେ ସୁଦ୍ଧା ଅନ୍ୟ ଚେକିଂ ଜାରି ରହିବ । ମଦ ପିଇ ଗାଡ଼ିଚଳାଇବା, ବାଇକ୍‌ରେ 3 ଜଣ ଯାତ୍ରା କରିବା ସହ ବିନା ହେଲମେଟ୍‌ରେ ଗାଡ଼ି ଚଳାଉଥିବା ବ୍ୟକ୍ତିଙ୍କୁ ନିସ୍ତାର ମିଳିବନି । ଏଭଳି ସ୍ଥିତିରେ ଧରାପଡ଼ିଲେ ଚାଳକଙ୍କ ସବୁ କାଗଜ ପତ୍ର ଯାଞ୍ଚ କରାଯିବ ବୋଲି କହିଛନ୍ତି ମନ୍ତ୍ରୀ ।

ମନ୍ତ୍ରୀଙ୍କ ସୂଚନା ପରେ ଲୋକେ ସାମାନ୍ୟ ଆଶ୍ୱସ୍ତି ହୋଇଥିଲେ ହେଁ ଆଗାମୀ 3 ମାସରେ ସମସ୍ତ କାର୍ଯ୍ୟ ସରିବ ନାହିଁ ବୋଲି କହି କ୍ଷୋଭ ପ୍ରକାଶ କରଛନ୍ତି । ତେବେ ରାଜ୍ୟ ସରକାର ଭିତ୍ତିଭୂମି ଉପରେ ଧ୍ୟାନ ଦେବା ଜରୁରୀ ବୋଲି ଦାବି ହୋଇଛି । ମୁଖ୍ୟମନ୍ତ୍ରୀ ଦେଇଥିବା 3 ମାସ ଡେଡଲାଇନ୍‌ରେ ବି ଅଧା କାର୍ଯ୍ୟ ହୋଇପାରିନି । ଏନେଇ ଖୋଦ ମୁଖ୍ୟମନ୍ତ୍ରୀ ଗୃହରେ ଉତ୍ତର ରଖିଥିଲେ । ଏବେବି 3 ଲକ୍ଷରୁ ଉର୍ଦ୍ଧ୍ୱ ଆବେଦନକାରୀ ଏଲଏଲ ପାଇପାରି ନାହାନ୍ତି ଡିଏଲ୍‌ କଥା ପଚାରେ କିଏ । ସେ ଯାହା ହେଉ ନିୟମ କୋହଳ ପରେ ଲୋକମାନେ ନିଜର କାଗଜ ପତ୍ର ଠିକ୍‌ କରାଇନେବେ ବୋଲି ମନ୍ତ୍ରୀ ଆଶା ପ୍ରକଟ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top