ନ୍ୟୁଜ୍

ଭତ୍ତା ପାଇଁ ଆଧାର ଲିଙ୍କ୍‌ ବାଧ୍ୟତା ମୂଳକ…

CM NAVEEN BHata

ଭୁବନେଶ୍ୱର: ଏଣିକି ଆଧାର ନାହିଁତ ମିଳିବନି ଭତ୍ତା । ଯେଉଁ ହିତାଧିକାରୀଙ୍କର ଆଧାର କାର୍ଡ ନଥିବ ଅବା ମାର୍ଚ୍ଚ ୧୫ ତାରିଖ ସୁଦ୍ଧା ‘ଆଧାର ଲିଙ୍କ ହୋଇନଥିବ ସେମାନଙ୍କୁ ଏପ୍ରିଲ ମାସରୁ ଆଉ ମିଳିବନି ମାସିକ ଭତ୍ତା । ଜାତୀୟ ସୁରକ୍ଷା ସହାୟତା କାର୍ଯ୍ୟକ୍ରମ ଓ ମଧୁବାବୁ ପେନସନ୍‌ ଯୋଜନାରେ ସାମିଲ ହେବାକୁ ଥିବା ନୂଆ ହିତାଧିକାରୀଙ୍କ ପାଇଁ ‘ଆଧାର’ କାର୍ଡକୁ ରାଜ୍ୟ ସରକାର ବାଧ୍ୟତାମୂଳକ କରିଛନ୍ତି । ଏହାସହ ପୁରୁଣା ହିତାଧିକାରୀଙ୍କର ଆଧାର ନଥିଲେ ସେମାନଙ୍କୁ ଭତ୍ତା ମିଳିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ।

ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ସଚିବ ଭାସ୍କରଜ୍ୟୋତି ଶର୍ମା ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ଜାତୀୟ ସୁରକ୍ଷା ସହାୟତା କାର୍ଯ୍ୟକ୍ରମ ଓ ମଧୁବାବୁ ପେନସନ୍‌ ଯୋଜନାର ହିତାଧିକାରୀଙ୍କୁ ଶତ ପ୍ରତିଶତ ଆଧାର ଡାଟାବେସ୍‌ ପ୍ରସ୍ତୁତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟରେ ଏବେ ସୁଦ୍ଧା ଜାତୀୟ ସୁରକ୍ଷା ସହାୟତା କାର୍ଯ୍ୟକ୍ରମର ୯୧ ପ୍ରତିଶତ ହିତାଧିକାରୀଙ୍କ ଆଧାର ଲିଙ୍କ୍‌ ସରିଛି । କିନ୍ତୁ ମଧୁବାବୁ ପେନସନ୍‌ ଯୋଜନାରେ ମାତ୍ର ୭୩% ହିତାଧିକାରୀଙ୍କ ଆଧାର ଲିଙ୍କ୍‌ ହୋଇପାରିଛି । ତେଣୁ ଆସନ୍ତା ୧୫ ତାରିଖରେ ମାସିକ ଭତ୍ତା ନେବାକୁ ଆସୁଥିବା ହିତାଧିକାରୀଙ୍କୁ ସେମାନଙ୍କର ଆଧାର ଲିଙ୍କ ଦସ୍ତାବିଜ୍‌ ନକଲ ସାଙ୍ଗରେ ଆଣିବାକୁ ପରାମର୍ଶ ଦେବାକୁ ଚିଠି ଲେଖିଛନ୍ତି କମିଶନର । ଯଦି ସେମାନେ ଉକ୍ତ ଦସ୍ତାବିଜ ଦେବାରେ ବିଫଳ ହୁଅନ୍ତି ତାଙ୍କୁ ଫେବୃୟାରୀ ୧୫ ତାରିଖରେ ଆଉ ଗୋଟିଏ ସୁଯୋଗ ଦିଆଯିବାକୁ ମଧ୍ୟ ଚିଠିରେ ଉଲ୍ଲେଖ କରାଯାଇଛି ।

ସେହିପରି ଯେଉଁ ହିତାଧିକାରୀମାନଙ୍କ ଆଧାର କାର୍ଡ ନଥିବ ସେମାନଙ୍କୁ ଜାନୁୟାରୀ ୧୫ରେ ନିକଟସ୍ଥ ବ୍ଲକ କାର୍ଯ୍ୟାଳୟ ନିଆଯାଇ ସେଠାରେ ତାଙ୍କର ଆଧାର କାର୍ଡ ପ୍ରସ୍ତୁତ କରିବା ପାଇଁ ପ୍ରଶାସନ ପଦକ୍ଷେପ ନେବ । ଯେଉଁ ହିତାଧିକାରୀଙ୍କ ଆଧାର କାର୍ଡ ନାହିଁ ତା’ର ବ୍ଲକସ୍ତରରେ ତାଲିକା ପ୍ରସ୍ତୁତ ହେବ । ଜାନୁୟାରୀ ୩୧ ତାରିଖ ସୁଦ୍ଧା ସମ୍ପୃକ୍ତ ହିତାଧିକାରୀଙ୍କୁ ଆଧାର କାର୍ଡ ଯୋଗାଇବାର ବନ୍ଦୋବସ୍ତ କରାଯିବ । ଏହି ଦୁଇ ଯୋଜନାରେ ହିତାଧିକାରୀଙ୍କ ଆଧାର ଲିଙ୍କ୍ କାର୍ଯ୍ୟକ୍ରମ ମାର୍ଚ୍ଚ ୧୫ ତାରିଖ ସୁଦ୍ଧା ଶେଷ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଗତବର୍ଷ ଅଗଷ୍ଟ ୩୦ ତାରିଖରେ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ୨୦୧୯ ନଭେମ୍ବର ମାସରୁ ହିତାଧିକାରୀଙ୍କୁ ଡିବିଟି ମାଧ୍ୟମରେ ମାସିକ ଭତ୍ତା ପ୍ରଦାନ କରିବା ନିମନ୍ତେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ । ମାତ୍ର ତାହା ଏପର୍ଯ୍ୟନ୍ତ ସମ୍ଭବ ହୋଇପାରିନି ।

ଅସହାୟ, ବିଧବା, ଭିନ୍ନକ୍ଷମ ଓ ୬୦ବର୍ଷ ବୟସରୁ ଅଧିକ ଗରିବ ବୃଦ୍ଧବୃଦ୍ଧାଙ୍କୁ ଜାତୀୟ ସୁରକ୍ଷା ସହାୟତା କାର୍ଯ୍ୟକ୍ରମ ଓ ମଧୁବାବୁ ପେନସନ୍‌ ଯୋଜନା ମାଧ୍ୟମରେ ମାସିକ ଭତ୍ତା ଦିଆଯାଉଛି । ଏହି ଦୁଇ ଯୋଜନାରେ ରାଜ୍ୟର ପ୍ରାୟ ୪୮ ଲକ୍ଷ ହିତାଧିକାରୀ ଉପକୃତ ହେଉଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top