X
Breaking News
ନ୍ୟୁଜ୍

୬ଟି କଲେଜରେ ତାଲା ପକାଇଲା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ

CHSE

ଭୁବନେଶ୍ୱର: 2019 ଯୁକ୍ତ 2 ବିଜ୍ଞାନରେ ଛାତ୍ରଛାତ୍ରୀଙ୍କ ଖରାପ ପ୍ରଦର୍ଶନ ପରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଜାଗ୍ରତ ହୋଇ ଉଠିଛି । ଚଳିତ ବର୍ଷ ବିଜ୍ଞାନ ବିଭାଗରେ କେହି ପାସ୍ କରିନଥିବା 9ଟି କଲେଜ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବିଭାଗ । ଏନେଇ 6ଟି କଲେଜରେ ବିଭାଗ ତାଲା ପକାଇଦେଇଥିବା ବେଳେ 3ଟି କଲେଜକୁ ପଠାଇଛି କାରଣ ଦର୍ଶାଅ ନୋଟିସ୍ । ସେହିପରି ଭିତ୍ତିଭୂମି ନ ଥିବା 4ଟି ଯୁକ୍ତ2 କଲେଜକୁ 2019-20 ଶିକ୍ଷା ବର୍ଷରେ ବନ୍ଦ କରାଯାଇଛି । 91ଟି କଲେଜରେ ନାମଲେଖା ଉପରେ କଟକଣା ଜାରି ହୋଇଛି ।

ତେବେ ଯେଉଁ ସବୁ କଲେଜକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି, ସେମଧ୍ୟରୁ 4ଟି କଲେଜ ବନ୍ଦ ହୋଇଯାଇଛି । ଗତବର୍ଷଠାରୁ କଲେଜ ଗୁଡିକରେ ତାଲା ପଡିଛି । ନା ହେଉଛି ନାମ ଲେଖା, ନା ଆସୁଛନ୍ତି ପିଲା ଆଉ ନା ହେଉଛି ପାଠପଢା  । ଏହି ତାଲିକାରେ ଭୁବନେଶ୍ୱରର ଗୋଟିଏ କଲେଜ ମଧ୍ୟ ସାମିଲ ଅଛି । ସହିଦନଗର ଠିକଣାରେ କଲେଜର ମୁଖ୍ୟ କାର୍ଯ୍ୟାଳୟ ଥିବା ବେଳେ ପଳାସୁଣୀରେ ଉକ୍ତ ସେଲ୍ଫ ଫାଇନାନ୍ସିଂ କଲେଜଟି ଚାଲୁଥିଲା । ଲଗାତାର 3ବର୍ଷ ଧରି ଅଚଳାବସ୍ଥାରେ ପଡିବା ପରେ, ଗତବର୍ଷ କଲେଜରେ ତାଲା ପକାଗଲା । ବାକି ତିନୋଟି କଲେଜର ଅବସ୍ଥା ମଧ୍ୟ ସମାନ ।

ଅନ୍ୟପଟେ ଚଳିତବର୍ଷ ପରୀକ୍ଷା ଫଳ ଶୂନ୍ୟ଼ କରିଥିବା ଆଉ ଦୁଇଟି କଲେଜକୁ ମଧ୍ୟ ବନ୍ଦ କରିବାକୁ ନିଦେର୍ଶ ଦିଆଯାଇଛି । ଉକ୍ତ କଲେଜଗୁଡ଼ିକରେ ବହୁତ କମ୍‌ ଛାତ୍ରଛାତ୍ରୀ ପଢ଼ୁଥିଲେ । ଚଳିତବର୍ଷ ମାତ୍ର ଦୁଇ ଜଣ ଲେଖାଏଁ ଛାତ୍ରଛାତ୍ରୀ ବିଜ୍ଞାନ ବିଭାଗ ପରୀକ୍ଷା ଦେଇଥିଲେ । ତେବେ ମଧ୍ୟ ସମସ୍ତ ପରୀକ୍ଷାର୍ଥୀ ଫେଲ୍‌ ହୋଇଛନ୍ତି । ସମ୍ପୃକ୍ତ କଲେଜଗୁଡ଼ିକର ଭିତ୍ତିଭୂମି ବି ଅଭାବ ରହିଛି । ତେଣୁ ସେହି କଲେଜଗୁଡ଼ିକରେ ଚଳିତବର୍ଷ ନାମଲେଖା ନ କରିବାକୁ ନିଷ୍ପତ୍ତି ନେଇଛି ମାଧ୍ୟମିକ ଶିକ୍ଷା ନିଦେର୍ଶାଳୟ । ଏହାକୁ ମିଶାଇଲେ 2019-20 ଶିକ୍ଷାବର୍ଷରେ ମୋଟ 6ଟି କଲେଜରେ ନାମଲେଖା ନ କରିବାକୁ ନିଦେର୍ଶାଳୟ ପକ୍ଷରୁ କୁହାଯାଇଛି ।

ସେହିପରି ବାକି 3ଟି କଲେଜ କର୍ତ୍ତୃପକ୍ଷଙ୍କୁ କାରଣଦର୍ଶାଅ ନୋଟିସ୍‌ ଜାରି ହୋଇଛି । କେଉଁ କାରଣ ଲାଗି ଜଣେ ବି ହେଲେ ଛାତ୍ରଛାତ୍ରୀ ପାସ୍‌ କରିପାରିଲେ ନାହିଁ ? କେଉଁଠି ଅସୁବିଧା ରହିଲା ? ପାଠପଢ଼ା ଠିକ୍‌ ହେଉଥିଲା କି ନାହିଁ ? ଭିତ୍ତିଭୂମି ଠିକ୍‌ ଅଛି କି ନାହିଁ ? ଲାଇବ୍ରେରି, ଲାବରେଟୋରି, ଅଧ୍ୟାପକଙ୍କ ସ୍ଥିତି ସମ୍ପର୍କରେ ବିସ୍ତୃତ ଭାବେ ଜଣାଇବାକୁ କୁହାଯାଇଛି । 7 ଦିନ ଭିତରେ ଏନେଇ ରିପୋର୍ଟ ଦେବାକୁ ନିଦେର୍ଶ ଦିଆଯାଇଛି । ଯଦି ନିଦ୍ଧାରିତ ସମୟରେ ରିପୋର୍ଟ ନ ମିଳେ, ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top