X
Breaking News
ନ୍ୟୁଜ୍

୩ ମାସରେ ପୁରଣ ହେବ ଖାଲିଥିବା ଅଧ୍ୟାପକ ପଦବୀ, ଅଣଛାତ୍ର ମୁକ୍ତ ହେବ କ୍ୟାମ୍ପସ୍‌

Arun sahoo

ଭୁବନେଶ୍ୱର: ୩ ମାସ ମଧ୍ୟରେ ପୁରଣ ହେବ ବିଶ୍ୱ ବିଦ୍ୟାଳୟ ଗୁଡିକରେ ଖାଲିଥିବା ଅଧ୍ୟାପକ ପଦବୀ । ୨୦୧୯-୨୦ ଶିକ୍ଷାବର୍ଷରୁ ସ୍ନାତକରେ ଲାଗୁହେବ ଏକକ ସିଲାବସ୍‌ । ସମସ୍ତ କ୍ୟାମ୍ପସ୍‌ ହେବ ଅଣଛାତ୍ର ମୁକ୍ତ । ଏନେଇ ଗୁରୁତ୍ୱାରୋପ କରିଛନ୍ତି ଉଚ୍ଚ ଶିକ୍ଷାମନ୍ତ୍ରୀ ଅରୁଣ ସାହୁ । ଗତକାଲି ରାଜ୍ୟର ୧୧ଟି ବିଶ୍ୱ ବିଦ୍ୟାଳୟର କୂଳପତିଙ୍କ ସହ ଏକ ଉଚ୍ଚ ସ୍ତରୀୟ ବୈଠକ ବସିଥିଲା । ବିଶ୍ୱ ବିଦ୍ୟାଳୟଗୁଡ଼ିକର ବିଭିନ୍ନ ସମସ୍ୟା ସହ ଶିକ୍ଷାର ଗୁଣାତ୍ମକମାନ କିପରି ବୃଦ୍ଧି କରାଯାଇ ପାରିବ ସେନେଇ ଆଲୋଚନା ହୋଇଥିଲା ।

ୟୁନିଭରସିଟିରେ ନାହାନ୍ତି ଅଧ୍ୟାପକ । ବିଧାନସଭାରେ ମନ୍ତ୍ରୀଙ୍କଠାରୁ ମିଳିଥିବା ଉତ୍ତର ଅନୁଯାୟୀ କେବଳ ଉତ୍କଳ ବିଶ୍ୱବିଦ୍ୟାଳୟରେ ୬୨ଟି ଅଧ୍ୟାପକ ପଦବୀ ଖାଲି ଥିବା ବେଳେ ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ୪୭ଟି ପଦବୀ ଖାଲି ପଡ଼ିଛି । ସେହିପରି କେବଳ ପଶ୍ଚିମ ଓଡିଶାର ବିଭିନ୍ନ କଲେଜରେ ୬୪୬ଟି ପଦବୀରୁ ୩୬୭ଟି ଅଧ୍ୟାପକ ପଦବୀ ଖାଲି ପଡ଼ିଛି । କେବଳ ଉତ୍କଳ କି ସମ୍ବଲପୁର ବିଶ୍ୱବିଦ୍ୟାଳୟ ନୁହେଁ, ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ କଲେଜରେ ଶହଶହ ଅଧ୍ୟାପକ ପଦବୀ ଖାଲିପଡ଼ିଥିବାରୁ ପାଠ ପଢାରେ ଏକ ପ୍ରକାର ଅଚଳାବସ୍ଥା ସୃଷ୍ଟି ହୋଇଥିବା କୁଳପତିମାନେ କହିଛନ୍ତି । ଅନ୍ୟପଟେ ପରୀକ୍ଷା ପରିଚାଳନା ଓ ଫଳାଫଳ ପ୍ରକାଶରେ ରହୁନି ତାଳମେଳ । ଏହି ସବୁ କାରଣକୁ ନେଇ ଗତକାଲି ବସିଥିବା କୂଳପତିମାନଙ୍କ ବୈଠକରେ ଅସନ୍ତୋଷ ପ୍ରକାଶ କରିଛନ୍ତି ମନ୍ତ୍ରୀ । ତେବେ ଉଚ୍ଚ ଶିକ୍ଷାର ଗୁଣାତ୍ମକମାନ ବିକାଶ ଓ ସଂସ୍କାର ଆଣିବା ପାଇଁ କ’ଣ ପଦକ୍ଷେପ ନିଆଯିବ ସେ ବିକ୍ଷୟରେ ମଧ୍ୟ ଆଲୋଚନା ହୋଇଥିଲା । ସେହିପରି ଅଣଛାତ୍ରଙ୍କ ଆଡ୍ଡାସ୍ଥଳି ପାଲଟିଥିବା କ୍ୟାମ୍ପସକୁ ଖୁବ୍‌ ଶୀଘ୍ର ଅଣଛାତ୍ର ମୁକ୍ତ କରାଯିବା ନେଇ ମଧ୍ୟ ବୈଠକରେ ନିଷ୍ପତ୍ତି ନିଆଯାଇଛି ।

ଅନ୍ୟପଟେ ବିଶ୍ୱବିଦ୍ୟାଳୟରେ କୂଳପତି ନିଯୁକ୍ତିରେ ଅନିୟମିତତା ହେଉଥିବା ନେଇ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରଫେସର ସନ୍ତୋଷ ତ୍ରୀପାଠୀ । ତେଣୁ ସରକାର ନିଜ ନିଘାରେ ନିୟମ ଓ ଯୋଗ୍ୟତା ଆଧାରରେ ନିଯୁକ୍ତି ଦିଅନ୍ତୁ ବୋଲି ସେ କହିଛନ୍ତି । ସେହିପରି ଡିଗ୍ରୀ ପାସ୍‌ କରି ସାରିବା ପରେ ପ୍ରତିଯୋଗିତା ପରୀକ୍ଷା ନିମନ୍ତେ ଅଭ୍ୟାସ କରୁଥିବା ଗରିବ ପିଲାଙ୍କ ପାଇଁ ବିଶ୍ୱବିଦ୍ୟାଳୟ ଓ ସରକାରଙ୍କ ସହଯୋଗରେ ଏକ ସ୍ୱତନ୍ତ୍ର ହଷ୍ଟେଲ ନିର୍ମାଣ ହେବା ଉଚିତ ବୋଲି ସେ ମତ ଦେଇଛନ୍ତି ।

ନୂଆ ସରକାର ଗଠନ ହେବା ପରେ ନୂତନ ଭାବେ ଉଚ୍ଚଶିକ୍ଷା ବିଭାଗ ଦାୟୀତ୍ୱ ସମ୍ଭାଳିଥିବା ମନ୍ତ୍ରୀ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି କରିବାକୁ ଯୋଜନା ଆରମ୍ଭ କରିଛନ୍ତି । କେବେ ଏହା ବାସ୍ତବ ରୂପ ନେଉଛି କି ନାହିଁ ତାହା ଦେଖିବାକୁ ବାକି ରହିଲା ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top