ନ୍ୟୁଜ୍

ମନେ ରହିବ ସେବା, ଡାକ୍ତରଙ୍କୁ କାନ୍ଦି କାନ୍ଦି ବିଦାୟ ଦେଲେ ଗ୍ରାମବାସୀ

KLD ASRULA BIDAYA Doctor

କଳାହାଣ୍ଡି: କଳାହାଣ୍ଡିରେ ଦେଖିବାକୁ ମିଳିଛି ଅନନ୍ୟ ଦୃଶ୍ୟ । ଜଣେ ଡାକ୍ତରଙ୍କୁ ଅଶ୍ରୁଳ ବିଦାୟ ଦେଇଛନ୍ତି ସାଧାରଣ ଜନତା । ଡାକ୍ତରଙ୍କ ବଦଳି ହୋଇଥିବାରୁ ଗାଁ ଲୋକ କାନ୍ଦି କାନ୍ଦି ତାଙ୍କୁ ବିଦାୟ ଦେଉଛନ୍ତି । ଯେଉଁଠି ସମାଜରେ ଡାକ୍ତରଙ୍କ ଚିକତ୍ସା ଅବହେଳା ପାଇଁ ରୋଗୀଙ୍କ ମୃତ୍ୟୁ ଭଳି ଘଟଣା ଆସୁଛି । ସେଭଳି ସମାଜରେ ଜଣେ ଡାକ୍ତର ସ୍ଥାନୀୟ ଅଞ୍ଚଳରୁ ବିଦାୟ ନେଉଥିବା ବେଳେ ଲୋକେ କାନ୍ଦି କାନ୍ଦି ବିଦାୟ ଦେଇଛନ୍ତି । ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ସମସ୍ତଙ୍କ ଆଖିରେ ଲୁହ, ହୃଦୟରେ କୋହ, କେହି କେହି ମୁହଁ ଲୁଚାଇ କାନ୍ଦୁଛନ୍ତି ତ କେହି କେହି ମୁହଁ ବୁଲେଇ କାନ୍ଦୁଛନ୍ତି । କାନ୍ଦକୁ ସମ୍ଭାଳିନପାରି କେହିକେହି ଡାକ୍ତରଙ୍କୁ କୁଣ୍ଢେଇ ଧରି କାନ୍ଦୁଛନ୍ତି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଥୁଆମୂଳରାମପୁର ବ୍ଳକ ଅଞ୍ଚଳର ।

ଏହା ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଯାତାୟାତ ତଥା ଦୁରସଂଚାର ଅଭାବ ଯୋଗୁଁ ଏଠି ଲୋକଙ୍କୁ ଉଚିତ୍‌ ସ୍ୱାସ୍ଥ୍ୟ ସେବା ମିଳିପାରେ ନାହିଁ । କିନ୍ତୁ ୨୦୧୫ ମସିହାରୁ ଏହି ଅଞ୍ଚଳରେ ସ୍ୱାସ୍ଥ୍ୟରେ ସୁଧାର ଆସିଥିଲା । ୨୦୧୫ରେ ଥୁଆମୂଳ ରାମପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଭୁବନେଶ୍ୱର ମହାନଗରରୁ ଆସି ଡାକ୍ତର ଭାବେ ଯୋଗଦେଇଥିଲେ ଡାକ୍ତର ଅଭିନାଶ ରଥ । ନିଜର କାର୍ଯ୍ୟରେ ଯୋଗଦାନ ଦେଲା ଦିନଠାରୁ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଣିଥିଲେ ଅନେକ ପରିବର୍ତ୍ତନ । ତାଙ୍କର ମଧୁର ବ୍ୟବହାର, କର୍ତ୍ତବ୍ୟ ପରାୟଣତା ଲୋକଙ୍କୁ ବହୁ ଆକର୍ଷଣ କରିଥିଲା । ଲୋକଙ୍କୁ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ଦେବାସହ ବହୁ ସଚେତନତା ଅଭିଯାନ ଆରମ୍ଭ କରିଥିଲେ ଡାକ୍ତର ଅଭିନାଶ । ଗତ ୫ବର୍ଷ ଧରି ଏହି ଅଞ୍ଚଳରେ ସେବା ଯୋଗାଇ ଲୋକଙ୍କୁ ନିଜର କରି ନେଇଛନ୍ତି ଅଭିନାଶ । ଏବେ ପିପିଲିକୁ ତାଙ୍କୁ ସ୍ଥାନାନ୍ତର ପାଇଁ ଆଦେଶ ଆସିଛି । ତାଙ୍କୁ ବିଦାୟ ବେଳେ ଅଞ୍ଚଳରେ ଶୋକାକୁଳ ପରିବେଶ ଦେଖିବାକୁ ମିଳୁଛି ।

ଥୁଆମୂଳ ରାମପୁରର ଜଣେ ବାସିନ୍ଦା କହିଛନ୍ତି, “ଡାକ୍ତରବାବୁ ଆମକୁ ଛାଡ଼ି ପଳାଉଛନ୍ତି, ଆମ ଆତ୍ମା ଜଳୁଛି । ଏମିତି ଡାକ୍ତର ଆମକୁ ଆଉ ମିଳିବେନି ।”

ତେବେ ଡାକ୍ତର ଅବିନାଶ ରଥ କହିଛନ୍ତି, “ମୁଁ ୫ ବର୍ଷରେ ଏଠାରେ ବହୁ ଉତ୍ସାହ ସହ କାମ କରିଛି । ଏଠାରେ ମୋର ବହୁତ ସ୍ମୃତି ରହିଛି । ମୋତେ ଏଭଳି ବିଦାୟ କାଳୀନ ସମ୍ୱର୍ଦ୍ଧନା ଦିଆଯିବ ବୋଲି ମୁଁ ଭାବି ନଥିଲି ।”

Click to comment

Leave a Reply

Your email address will not be published. Required fields are marked *

Most Popular

To Top