ଧର୍ମ

ଦୁର୍ଗାପୂଜା ପାଇଁ ଝାରପଡ଼ା ପୂଜା କମିଟିର ଭିନ୍ନ ପ୍ରାୟସ, ନୂଆ ଷ୍ଟାଇଲ୍‌ରେ ତୋରଣ…

Durgapuja

ଭୁବନେଶ୍ୱର: ଆସିଛି ପାର୍ବଣ ଋତୁ । ଆଉ କିଛି ଦିନ ପରେ ଧରାବତରଣ କରିବେ ଜଗଦଜନନୀ ମାଆ ଦୁର୍ଗା । ମା’ଙ୍କ ଆଗମନକୁ ସମସ୍ତଙ୍କ ଅପେକ୍ଷା । ଏଥିପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ପ୍ରସ୍ତୂତି ପର୍ବ ଜୋରସୋରରେ ଚାଲିଛି ।

ଚଳଚଂଚଳ ହୋଇଉଠିଛି ରାଜ୍ୟ ରାଜଧାନୀ ଭୁବନେଶ୍ବର । ଦୁର୍ଗା ପୂଜା ପାଇଁ ବିଭିନ୍ନ ପୂଜା ମଣ୍ଡପରେ ମଧ୍ୟ ଚାଲିଛି ଜୋରଦାର ପ୍ରସ୍ତୁତି । ତୋରଣଠୁ ଆରମ୍ଭ କରି ଲାଇଟ୍ ଗେଟ୍‌ ପର୍ଯ୍ୟନ୍ତ ଏସବୁକୁ ନେଇ ବିଭିନ୍ନ ପୂଜା କମିଟି ମଧ୍ୟରେ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି । ମା’ଙ୍କ ମୂର୍ତ୍ତି ଗଢ଼ା କାମ ଆରମ୍ଭ ହୋଇଯାଇଥିବା ବେଳେ ତୋରଣ ଓ ସାଜସଜ୍ଜା କାମରେ ବ୍ୟସ୍ତ ଅଛନ୍ତି କାରିଗର। ଚଳିତବର୍ଷ ପୂଜାକୁ ଅତି ଆଡ଼ମ୍ବରରେ ପାଳନ କରିବା ପାଇଁ କମିଟି କର୍ମକର୍ତ୍ତାମାନେ ଜୋରସୋର୍‌ରେ ଲାଗିପଡ଼ିଛନ୍ତି । ଏଥିମଧ୍ୟରୁ ଝାରପଡା ଦୁର୍ଗାପୂଜା କମିଟି ସବୁ ବର୍ଷ ପରି ଚଳିତ ବର୍ଷ କିଛି ନୂଆ କରିବାର ଇଛା ନେଇ ପ୍ରସ୍ତୁତି ଆରମ୍ଭ କରିଛି ।

ଯଦି ତୋରଣ କଥା ଦେଖିବା ତେବେ ଝାରପଡା ଦୁର୍ଗାପୂଜା ସମିତି ପଶ୍ଚିମବଙ୍ଗର 50 ଜଣ ପ୍ରଖ୍ୟାତ କାରିଗର ମାନଙ୍କୁ ନେଇ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛି । ଚଳିତ ବର୍ଷ ଦୁର୍ଗାପୂଜାରେ ପ୍ୟାରିସ ସହରର ଡିଜିନୀ ଲ୍ୟାଣ୍ଡ ପାର୍କ ଆକାରର ତୋରଣ ନିର୍ମାଣ କରାଯାଉଛି । ସେହିପରି ଭକ୍ତ ମାନଙ୍କର ସୁରକ୍ଷିତ ଦର୍ଶନ ପାଇଁ ଗୋଟିଏ ପ୍ରବେଶ ପଥ ରହିଥିବା ବେଳେ ଭିତର ପାଖରେ 4ଟି ପ୍ରସ୍ଥାନ ପଥର ବ୍ୟବସ୍ଥା କରାଯାଉଛି । ଏଥର ମା’ଙ୍କର 12 ଫୁଟ୍‌ ଉଚ୍ଚାର ମୂର୍ତ୍ତି ନିର୍ମାଣ କରାଯାଉଛି । ସେହିପରି 20 ଫୁଟ ଉଚ୍ଚତାର ବୁଲେନ୍ ଓ ସୁନେଲି ମେଢ଼ ତିଆରି କରାଯିବ । ଏଥର ମା’ଙ୍କୁ ରୂପା ଅଳଙ୍କାରରେ ସୁସଜ୍ଜିତ କରାଯିବ ।

ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଚଳିତ ବର୍ଷ ଝାରପଡା ପୂଜା ମଣ୍ଡପରେ 300 ସ୍ବେଛାସେବୀ ନିୟୋଜିତ ରହିବା ସହ 20ଟି ସିସିଟିଭି କ୍ୟାମେରା ଲଗାଯିବ । ଏହା ସହ ଷଷ୍ଟୀରୁ ଦଶମୀ ପର୍ଯ୍ୟନ୍ତ ସାସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହେବ । ପ୍ରତି ବର୍ଷ ଭଳି ଦଶମୀ ଦିନ ସଂନ୍ଧ୍ୟା 7 ଟାରେ 40 ଫୁଟ୍‌ ଉଚ୍ଚତାର ରାବଣ ପୋଡି କାର୍ଯ୍ୟକ୍ରମ ହେବ । ବରିଷ୍ଠ ନାଗରିକ ଏବଂ ଭିନ୍ନକ୍ଷମଙ୍କ ଦର୍ଶନ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top