X
Breaking News
  • ନେପାଳରେ ଭୂକମ୍ପ ଝଟ୍‌କା
  • ଆଜି ଓଡ଼ିଶା ଆସୁଛନ୍ତି ନୀତିନ ଗଡକାରୀ
  • ନୟାଗଡ: ବନ୍ଧୁକ ଲୁଟିଲେ ମାଓବାଦୀ
ଅପରାଧ

ଗୋଟିଏ ପରେ ଗୋଟିଏ ନିର୍ବାଚନୀ ହିଂସା, ହେଲେ ପୋଲିସ ହାତ ଖାଲି !

NIRBACHANI HINSHA

ଭୁବନେଶ୍ୱର: ସାଧାରଣ ନିର୍ବାଚନକୁ ନେଇ ରାଜ୍ୟ ରାଜନୀତି ଏବେ ଢେର୍‌ ସରଗରମ୍‌ । ବିଜେଡି-ବିଜେପି ମଧ୍ୟରେ ଚାଲିଛି ଜୋର୍‌ଦାର୍‌ ଲଢେଇ । ତେବେ ନିର୍ବାଚନ ପୂର୍ବରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି ହିଂସା । ଗୋଟିଏ ପଟେ ପ୍ରାର୍ଥୀଙ୍କ କର୍ମୀଙ୍କୁ ଆକ୍ରମଣ ହେଉଥିବା ବେଳେ ଆଉ ଗୋଟିଏ ପଟେ ଖୋଦ୍‌ ପ୍ରାର୍ଥୀଙ୍କୁ ମଧ୍ୟ ଆକ୍ରମଣ ହେଉଥିବା ଦେଖାଯାଇଛି ।

ରାଜ୍ୟର ବିଭିନ୍ନ ସ୍ଥାନରେ ରାଜନୈତିକ ହିଂସା ଖବର ମିଳିଥିବା ବେଳେ ଖୋଦ୍‌ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଦେଖାଦେଇଛି ନିର୍ବାଚନୀ ହିଂସା । ବିଜେପିର ଭୁବନେଶ୍ୱର ମଧ୍ୟ ବିଧାନସଭା ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କୁ ଆକ୍ରଣ ହୋଇଥିବା ଅଭିଯୋଗ ହୋଇଛି । ଜଗନ୍ନାଥ ପ୍ରଧାନଙ୍କ ରାଲି ବେଳେ ବିଜୁ ଯୁବ ବାହିନୀର କର୍ମୀମାନେ ତାଙ୍କୁ ଟେକା ପଥର ମାଡ଼ କରିବା ସହ ରାଲି ଭଣ୍ଡୁର କରିବାକୁ ଚେଷ୍ଟା କରିଥିଲେ । ଏଭଳି ଅଭିଯୋଗ ଆଣିଛନ୍ତି ଖୋଦ୍‌ ବିଧାୟକ ପ୍ରାର୍ଥୀ । ଏନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ପୂର୍ବରୁ କେନ୍ଦୁଝର ଘଷିପୁରାରେ ନିର୍ବାଚନୀ ହିଂସାକାଣ୍ଡ ଘଟିଥିଲା । ପୂର୍ବତନ ସ୍ୱାଧୀନ ବିଧାୟକ ପ୍ରାର୍ଥୀ ରାମଚନ୍ଦ୍ର ବେହେରାଙ୍କୁ ଘରୁ ଡାକି ନେଇ କିଛି ଦୁର୍ବୃତ୍ତ ହତ୍ୟା କରିଛନ୍ତି । ଏହି ଘଟଣାରେ ପୋଲିସ 3 ଜଣଙ୍କୁ ଗିରଫ ମଧ୍ୟ କରିସାରିଛି । ଗିରଫଙ୍କ ମଧ୍ୟରେ ଥିଲେ ଜିଲ୍ଲା ପରିଷଦ ସଭ୍ୟାଙ୍କ ଦୁଇ ସମ୍ପର୍କୀୟ । ଏହି ପଲିଟିକାଲ ମର୍ଡରକୁ ନେଇ ପରେ ରାଜନୀତି ସରଗରମ ହେବା ସହ ଦଳଗୁଡିକ ପରସ୍ପର ଉପରକୁ ଦୋଷ ଠେଲିବାରେ ଲାଗିପଡିଛନ୍ତି ।

ଏହି ହତ୍ୟାକାଣ୍ଡ ପଛରେ ବିଜେଡି ନେତା ତଥା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ରଙ୍କ ହାତ ରହିଛି ବୋଲି ଘଷିପୁରା ବିଜେପି ନେତା ପୃଥ୍ୱୀରାଜ କୁଅଁର ଅଭିଯୋଗ ଆଣିଥିଲେ । ଏହାର ସିବିଆଇ ତଦନ୍ତ ପାଇଁ ମଧ୍ୟ ସେ ଦାବି କରିଥିଲେ । ତେବେ ବର୍ତ୍ତମାନ ସୁଦ୍ଧା ଏହି ଘଟଣାରେ ପ୍ରକୃତ ଷଡ଼ଯନ୍ତ୍ରକାରୀ କିଏ ତାକୁ ପୋଲିସ ଧରିବାରେ ବିଫଳ ହୋଇଛି ।

ସେହିଭଳି ଆଉ ଏକ ନିର୍ବାଚନୀ ହିଂସା ଘଟିଛି ଗଞ୍ଜାମ ଜିଲ୍ଲାରେ । ଯେଉଁ ଜିଲ୍ଲାରେ ଖୋଦ୍‌ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହୋଇଛନ୍ତି ସେହି ଅଞ୍ଚଳରେ ମଧ୍ୟ ଦେଖାଦେଇଛି ନିର୍ବାଚନୀ ହିଂସା । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବିଧାନସଭା ନିର୍ବାଚନ ମଣ୍ଡଳିରେ ଦେଖିବାକୁ ମିଳିଛି ନିର୍ବାଚନୀ ହିଂସା । ବିଜେପି ବିଧାୟକ ପ୍ରାର୍ଥୀ ପ୍ରଦ୍ୟୁମ୍ନ ଲେଙ୍କାଙ୍କ ଭଣଜା ଅଜିତ ପ୍ରଧାନଙ୍କୁ ଆକ୍ରମଣ କରାଯାଇଛି । ଏହି ଆକ୍ରମଣ ପଛରେ ବିଜେଡି ନେତା ବିକ୍ରମ କେଶରୀ ଆରୁଖଙ୍କ ହାତ ରହିଛି । ଥାନାରେ ଏଭଳି ଅଭିଯୋଗ କରିଛନ୍ତି ଖୋଦ୍‌ ବିଧାୟକ ପ୍ରାର୍ଥୀ ପ୍ରଦ୍ୟୁମ୍ନ ଲେଙ୍କା । ଏହି ଘଟଣା ପରେ ମଧ୍ୟ ପୋଲିସର ହାତ ଖାଲି ରହିଛି ।

ସେହିଭଳି ବ୍ରହ୍ମପୁରର ଚିକିଟି ବିଧାନସଭା ନିର୍ବାଚନ ମଣ୍ଡଳିରେ ମଧ୍ୟ ଶାସକ ଦଳର ଗୁଣ୍ଡାରାଜ ବିରୋଧରେ ଅଭିଯୋଗ ଆଣିଛି ବିଜେପି । ଦଳୀୟ ପ୍ରାର୍ଥୀଙ୍କୁ ମାଡ଼ ମରାଯିବା ସହିତ ପ୍ରଥମ ପର୍ଯ୍ୟାୟ ଭୋଟ୍‌ ବେଳେ ବୁଥ୍‌ ରିଗିଂ ହୋଇଥିବା ଅଭିଯୋଗ ହୋଇଛି । ଚିକିଟି ବିଧାନସଭା ଆସନରେ ଲଢ଼ୁଥିବା ବିଜେପି ପ୍ରାର୍ଥୀ ମନୋରଞ୍ଜନ ଦ୍ୟାନସାମନ୍ତରାଙ୍କୁ ମତଦାନ ବେଳେ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି । ଝାଟିଆପଦରର ୮୨ ନମ୍ବର ବୁଥରେ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି । ସେଠାରେ ବିଜେପିର କିଛି ଏଜେଣ୍ଟଙ୍କୁ ଧମକ ଚମକ ଦେବା ସହ ବୁଥରେ ପୁରାଇ ଦେଇନଥିବା ଅଭିଯୋଗ ହୋଇଛି । ଏହି ଘଟଣା ସମୟରେ ଉକ୍ତ ସ୍ଥାନରେ ପୋଲିସ ଉପସ୍ଥିତ ଥିଲେ ମଧ୍ୟ ନିଦା ବିଷ୍ଣୁ ସାଜିଥିବା ଅଭିଯୋଗ ହୋଇଛି ।

ସେହିଭଳି କୋରାପୁଟରେ ମଧ୍ୟ ନିର୍ବାଚନ ବେଳେ ହିଂସା ଦେଖାଯାଇଛି । ୧୫୯ ନମ୍ବର ବୁଥ୍‌ରେ ବିଜେପି ଏଜେଣ୍ଟଙ୍କୁ ଏକ ଘରେ ପୁରାଇ ତାଲା ପକାଇ ଦିଆଯାଇଥିବା ବିଜେପି ଅଭିଯୋଗ କରିଥିଲା ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top