ନ୍ୟୁଜ୍

ପ୍ରତିଷ୍ଠା ଦିବସରେ ସୁପ୍ରିମୋ ନବୀନଙ୍କୁ ବିଜେପିର କଡ଼ା ସମାଲୋଚନା…

Sameer Mohanty

ଭୁବନେଶ୍ୱର: ରାଜ୍ୟ ସରକାରଙ୍କୁ ପୁଣି ଟାର୍ଗେଟ୍‌ କଲେ ବିଜେପି ରାଜ୍ୟ ଉପସଭାପତି ସମୀର ମାହାନ୍ତି । ଶୁକ୍ରବାର ବିଜେଡି ତା’ର 23ତମ ପ୍ରତିଷ୍ଠା ଦିବସ ପାଳନ କରିବାକୁ ସଜବାଜ ହେଉଥିବା ବେଳେ ବିଜେପି ପକ୍ଷରୁ କଡ଼ା ସମାଲୋଚନା କରାଯାଇଛି । ଗତ 20 ବର୍ଷ ଧରି ନିରଙ୍କୁଶ ଶାସନ କ୍ଷମତାରେ ରହିଆସିଥିବା ବିଜେଡି ଓଡ଼ିଶା ବିକାଶ କରିପାରି ନାହିଁ ସିଧାସଳଖ ବାଣ ମାରିଛି ବିଜେପି । ରାଜ୍ୟର ବିକାଶ ପାଇଁ କ’ଣ 20 ବର୍ଷ ଯଥେଷ୍ଟ ନୁହେଁ ବୋଲି ସମୀର ମହାନ୍ତି ବିଜେଡି ସରକାରକୁ ତାତ୍ସଲ୍ୟ କରିଛନ୍ତି ।

ସମୀର ଆହୁରି କହିଛନ୍ତି ଯେ, ଡିସେମ୍ବର 26ରେ ବିଜେଡି ୨୩ ତମ ପ୍ରତିଷ୍ଠା ଦିବସ ପାଳନ କରିବାକୁ ଯାଉଛି । ବିଜେଡି ଗଠନ ହେବାଠାରୁ ଆଜି ପର୍ଯ୍ୟନ୍ତ ସବୁବେଳେ ଓଡିଶାର ଶାସନ କ୍ଷମତାରେ ରହିଆସିଛି । ହେଲେ ଓଡ଼ିଶା ଏହି ଲମ୍ବା ସମୟରେ ବିକାଶର ସମସ୍ତ ମାପଦଣ୍ଡରେ ଆଗେଇବା ବଦଳରେ ପଛେଇଛି ।

ରାଜ୍ୟରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡିଛି । ୧୧୦ଟି ପିଏଚ୍‌ସି ଓ ସିଏଚ୍‌ସିରେ ଡାକ୍ତର ନାହାଁନ୍ତି ଏହା କ’ଣ ରାଜ୍ୟର ଉନ୍ନତ ସ୍ୱାସ୍ଥ୍ୟ ସେବାର ନମୁନା କି ? ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଯାହା କେନ୍ଦ୍ରର ଆୟୁଷ୍ମାନ ଯୋଜନାଠାରୁ ଭଲ ବୋଲି ରାଜ୍ୟ ସରକାର ଦାବି କରୁଥିଲେ ବି ତାହା ବାସ୍ତବରେ କେତେ ଜଣ ହିତାଧିକାରୀଙ୍କୁ ଉବଲବ୍ଧ ହୋଇଛି ? ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡି ସଭାପତି କାଳିଆ ଯୋଜନା ଘୋଷଣା କରିଥିଲେ । କିନ୍ତୁ ଭୋଟ ପାଇ ଜିତିଲା ପରେ ପ୍ରତିଶ୍ରୁତି ପାଣିର ଗାର ପାଲଟିଛି । କାଳିଆର ପ୍ରଥମ କିସ୍ତି ନପାଇଥିବା ଆଉ ୨୪ ଲକ୍ଷ ଚାଷୀ କେବେ କାଳିଆ ଟଙ୍କା ପାଇବେ ବୋଲି ଶ୍ରୀ ମହାନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶ୍ନ କରିଛନ୍ତି ।

ଦୀର୍ଘ ୨୦ ବର୍ଷ ଶାସନ ପରେ ବି ରାଜ୍ୟର ସମସ୍ତ ଚାଷ ଜମିକୁ ରାଜ୍ୟ ସରକାର ପାଣି ଯୋଗାଇ ପାରିଲେ ନାହିଁ । ଆଉ କେତେ ଦିନ ଶାସନ କଲେ ସବୁ ଚାଷ ଜମିକୁ ପାଣି ପହଂଚି ପାରିବ ? ଗଙ୍ଗାଧର ସେଚ ପ୍ରକଳ୍ପ ସହ ଅନ୍ୟ ୧୬୮ଟି ସେଚ ପ୍ରକଳ୍ପର କାର୍ଯ୍ୟ କେବେ ସରିବ ? ପ୍ରତିଦିନ ରାଜ୍ୟରେ ନାରୀ ନିର୍ଯ୍ୟାତନା, ଗଣଦୁଷ୍କର୍ମ ଆଦି ଘଟଣା ଘଟିଚାଲିଛି । ନବୀନ ବାବୁ ନାରୀ ସୁରକ୍ଷା କଥା କହୁଥିବାବେଳେ କେବେ ମହିଳା ବିରୋଧୀ ଆଇନ ରାଜ୍ୟରେ ଲାଗୁ କରିବେ, କେବେ ସବୁ ଜିଲ୍ଲାରେ ମହିଳା ଥାନା ପ୍ରତିଷ୍ଠା କରିବେ ତାହା ସ୍ପଷ୍ଟ କରନ୍ତୁ । ମାତୃମୃତ୍ୟୁ ହାର, ଶିଶୁ ମୃତ୍ୟୁ ହାର ଏବଂ ଦୁଷ୍କର୍ମ ଘଟଣାରେ ଓଡ଼ିଶା ରେକର୍ଡ କରିବା କଣ ରାଜ୍ୟ ପାଇଁ ଲଜ୍ଜାର ବିଷୟ ନୁହେଁ କି ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି ।

ଆଜି ବି ଶୁଦ୍ଧ ପାନୀୟ ଜଳ ମୁନ୍ଦେ ପାଇବାରୁ ଲକ୍ଷ ଲକ୍ଷ ଲୋକ ବଂଚିତ ଅଛନ୍ତି । ଅନେକ ସ୍ଥାନରେ ଲୋକମାନେ ପୋଖରୀ ପାଣି ଏବଂ ନଦୀ ପାଣିକୁ ପାନୀୟ ଜଳ ଭାବେ ବ୍ୟବହାର କରୁଛନ୍ତି । ଅନେକ ପଂଚାୟତରେ ନଳକୂପ ବି ନାହିଁ । ପାଣି ପାଇଁ ମହିଳାମାନଙ୍କୁ ମାଇଲ ମାଇଲ ବାଟ ଚାଲିକି ଯିବାକୁ ପଡୁଛି । ଆଉ କେତେ ଦିନ ଲାଗିବ ରାଜ୍ୟବାସୀଙ୍କ ପାଖରେ ପାଇପ ଯୋଗେ ପାନୀୟ ଜଳ ପହଚାଂଇବା ପାଇଁ ? କେନ୍ଦ୍ର ସରକାରଙ୍କ ପୂର୍ଣ୍ଣ ସହଯୋଗ ସତ୍ୱେ ପାଇଖାନା ନିର୍ମାଣରେ ରାଜ୍ୟ ଦେଶରେ ସବୁଠୁ ପଛରେ ରହିଛି କାହିଁକି ବୋଲି ଶ୍ରୀ ମହାନ୍ତି ନବୀନଙ୍କୁ ପ୍ରଶ୍ନ କରିଛନ୍ତି ।

ବାତ୍ୟା ଫୋନି ପ୍ରଭାବିତ ଜିଲ୍ଲା ଗୁଡିକ ପାଇଁ କେନ୍ଦ୍ର ସରକାର ୫୦୦୦ କୋଟି ସହାୟତା ଯୋଗାଇଥିବା ବେଳେ ଶାସକ ବିଜେଡି ଯୋଗ୍ୟ ହିତାଧିକାରୀକୁ ବଂଚିତ କରି ଅଯୋଗ୍ୟ ପ୍ରଭାବଶାଳୀ ବ୍ୟକ୍ତିକୁ ଦଳୀୟ ଆଧାରରେ ସହାୟତା ଯୋଗାଇଛି । ସହରି ଆବାସ ଯୋଜନାରେ ଦୀର୍ଘଦିନ ହେବ କେନ୍ଦ୍ର ସହାୟତା ରାଶି ଯୋଗାଇଥିଲେ ମଧ୍ୟ କେତେ ଜଣ ବସ୍ତି ବାସିନ୍ଦାଙ୍କୁ ଘର ମିଳିଛି ? ଜାଗା ମିଶନ ପାଇଁ ପୁରସ୍କାର ପାଇଥିବା ରାଜ୍ୟ ସରକାର ପ୍ରକୃତରେ କେତେ ଲୋକଙ୍କୁ ଜାଗା ଅଧିକାର ଦେଇ ପାରିଛନ୍ତି ? ଏକ ନମ୍ବର ସ୍ମାର୍ଟ ସିଟି ଘୋଷଣା ହୋଇଥିବା ଭୁବନେଶ୍ୱର ସ୍ମାର୍ଟସିଟି ନା ସ୍ଲମ ସିଟି ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି ।

ଆଳୁ, ପିଆଜ, ଅଣ୍ଡା, ମାଛ ଉତ୍ପାଦନରେ ରାଜ୍ୟ ସ୍ୱୟଂସଂପୂର୍ଣ୍ଣ ହେବ କେବେ ? ପୁଂଜି ପ୍ରତ୍ୟାହାରକୁ ବିରୋଧ କରୁଥିବା ରାଜ୍ୟସରକାର ୪୧୦୦ କୋଟି ଉର୍ଦ୍ଧ୍ୱ ଟଙ୍କାର ସେସୁ ସଂସ୍ଥାକୁ ଶାଗ ମାଛ ଦରରେ ମାତ୍ର ୩୦୦ କୋଟି ଟଙ୍କାରେ ଟାଟା ପାୱାରକୁ କାହା ସ୍ୱାର୍ଥରେ ଟେକି ଦିଆଗଲା ? ବିଜୁ ବାବୁଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ଡିଣ୍ଡିମ ପିଟୁଥିବା ସରକାର, ଓଟିଏମର ପୁନରୁଦ୍ଧାର କେବେ କରିବେ ? କଳିଙ୍ଗ ଆଇରନ ୱାକ୍ସର ପୁନରୁଦ୍ଧାର କେବେ ହେବ ? ଆର୍ଥିକ ଅଭିବୃଦ୍ଧି କ୍ଷେତ୍ରରେ ଚାଷୀଙ୍କ ହିତ ପାଇଁ ରାଜ୍ୟସରକାର କଣ ଚିନ୍ତା କରିଛନ୍ତି ? କୃଷି ସମବାୟ ବ୍ୟାଙ୍କ, ସହରି ସମବାୟ ବ୍ୟାଙ୍କ ଗୁଡିକ ବନ୍ଦ ହେବା ପଛରେ ସରକାରଙ୍କ ଅପାରଗତା ଓ ଦୁର୍ନୀତି ମୁଖ୍ୟ କାରଣ ନୁହେଁ କି ? ଚିଟ୍‌ଫଣ୍ଡ ଜମାକାରୀଙ୍କୁ ପଇସା କେବେ ଫେରସ୍ତ କରାଯିବ ? ଶିଳ୍ପ ଭିତ୍ତିକ ପୁଂଜି ବିନିଯୋଗ ପାଇଁ ଶତାଧିକ ଏମଓୟୁ ସ୍ୱାକ୍ଷର ହୋଇଥିବାବେଳେ ସେଧିମଧ୍ୟରୁ କେତେ କାର୍ଯ୍ୟକାରୀ ହୋଇଛି ବୋଲି ଶ୍ରୀ ମହାନ୍ତି ନବୀନଙ୍କୁ ପ୍ରଶ୍ନ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top