X
Breaking News
ନ୍ୟୁଜ୍

ଦନ୍ତା ଆତଙ୍କ: କେନ୍ଦୁଝରରେ ଗଲା ୨ ଜୀବନ

ELEPHANT

କେନ୍ଦୁଝର: କେନ୍ଦୁଝରରେ ହାତୀଙ୍କ ଉପଦ୍ରବ ବଢିଛି । ଶୁକ୍ରବାର ରାତି ଓ ଶନିବାର ସକାଳେ ହାଟଡିହି ବ୍ଲକ ଅନ୍ତର୍ଗତ ଦୁଇଟି ଗ୍ରାମରେ ଗୋଟିଏ ଦନ୍ତାହାତୀ 2ଜଣଙ୍କ ଜୀବନ ନେଇଛି ।

ସୂଚନା ଯେ, ନୂଆରଗୁଡ଼ି ଗାଁ’ର 52 ବର୍ଷୀୟ ଜଗା ମଲ୍ଲିକ କାଲି ରାତି ପ୍ରାୟ ୮ଟା ବେଳେ ଜଗା ସ୍କୁଲ୍‌ ନିକଟରେ ଥିବା ତାଙ୍କ ପୁଅକୁ ଖାଇବାକୁ ଡାକିବାକୁ ଯାଇଥିଲେ । ଫେରିବା ବେଳେ ବାଟରେ ଦନ୍ତା ହାତୀଟି ଆସି ପହଞ୍ଚି ଯାଇଛି ବୋଲି ସେ ଜାଣି ନଥିଲେ । ସାଙ୍ଗରେ ନେଇଥିବା ଟର୍ଚ୍ଚ ମାରି ଦେଖିବାରୁ ଦନ୍ତାର ମୁହଁ ଉପରେ ଆଲୁଅ ପଡ଼ିଥିଲା । ଏଥିରେ ଦନ୍ତା ଉତ୍‌କ୍ଷିପ୍ତ ହୋଇ ଜଗାଙ୍କୁ ଥୋଡ଼ପାହାଡ଼ରେ ଉଠାଇ କିଛି ଦୂରକୁ ଫିଙ୍ଗି ଦେଲା । ସେଠାରୁ ଜଗା ଗୁରୁଣ୍ଡି ଗୁରୁଣ୍ଡି ଯାଇ ପାଖରେ ଥିବା ଗୋଟାଏ ମନ୍ଦିର ନିକଟରେ ଛପି ଯାଇଥିଲେ । ପରେ ତାଙ୍କ ପୁଅ ଓ ଅନ୍ୟ ଲୋକେ ଜଗାଙ୍କୁ ଉଦ୍ଧାର କରି ଭଦ୍ରକ ଡାକ୍ତରଖାନା ନେଉଥିବା ବେଳେ ବାଟରେ ତାଙ୍କର ମୃତ୍ୟୁ ଘଟିଲା ।

ସେହିପରି ଆଜି ପ୍ରତ୍ୟୁଷରେ ମଧ୍ୟ ସେହି ଦନ୍ତାହାତୀ  ଆଉ ଜଣେ ମହିଳାଙ୍କ ଜୀବନ ନେଇଛି । କାନପୁର ଗ୍ରାମର 52 ବର୍ଷୀୟ ସଞ୍ଜୁଲତା ରାଉତ, ଆଜି ଭୋର୍‌ ପ୍ରାୟ 4ଟା 30 ମିନିଟ୍ ସମୟରେ ଆମ୍ବ ଆଣିବାକୁ ଅନ୍ୟ ଗ୍ରାମର ତିନିଜଣ ବ୍ୟକ୍ତିଙ୍କ ସହ ସାଳନ୍ଦୀ ନଦୀ କୂଳରେ ଥିବା ତାଙ୍କ ଆମ୍ବତୋଟା ଆଡ଼କୁ ଯାଉଥିଲେ । ହଠାତ୍‌ କୁଆଡୁ ସେ ଦନ୍ତାହାତୀ ବାହାରି ଆସି ସଞ୍ଜୁଲତାଙ୍କୁ ଥୋଡ଼ପାହାଡ଼ରେ ଉଠାଇ ନେଇ ଦଳି ପାଦରେ ଦଳି ପକାଇଲା ବେଳେ ଭୟଭୀତ ହୋଇ ଅନ୍ୟମାନେ ସେ ସ୍ଥାନରୁ ଦୌଡ଼ି ପଳାଇଥିଲେ ।

ଖବର ପାଇ ପୁଲିସ ଓ ବନ ବିଭାଗ କର୍ମଚାରୀମାନେ ପହଞ୍ଚି ଘଟଣାସ୍ଥଳରୁ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛନ୍ତି । ଅନ୍ୟପଟେ ଦନ୍ତାହାତୀ ଦୁଇଜଣଙ୍କ ଜୀବନ ନେବା ପରେ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଛି । ନୂଆରୁଗୁଡ଼ି-ଧନୁର୍ଜୟପୁର ଗ୍ରାମ ପଞ୍ଚାୟତର ଲୋକେ ଛେନାପଦୀ-ବଉଳା ରାସ୍ତା ଅବରୋଧ କରିଛନ୍ତି । ଟ୍ରେଞ୍ଚ୍‌ ଖୋଳା ଯାଉ ନ ଥିବାରୁ ବାରମ୍ବାର ହାତୀ ଆସି ଧନଜୀବନ ନଷ୍ଟ କରୁଛି ବୋଲି ସେମାନେ ଅଭିଯୋଗ କରିଛନ୍ତି । ସେମାନଙ୍କ ମଧ୍ୟରୁ ଦଳେ ଲୋକ ଦହଗଡ଼ ଫରେଷ୍ଟ୍‍ ଅଫିସ ମଧ୍ୟ ଘେରାଉ କରିଥିବା ସୂଚନା ରହିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top