X
Breaking News
ଅପରାଧ

କେବେ ମିଳିବ ନ୍ୟାୟ ? କାହିଁକି ଅସୁରକ୍ଷିତ ମାଆ-ଭଉଣୀ ? ଆଉ କେତେ ସହିବେ ବେବିନାମାନେ…

Rape

ମାଲକାନଗିରି: ଗୁରୁ ସାଜିଲା ଦୁଷ୍କର୍ମକାରୀ । ଲଜ୍ୟା, ଅପମାନର ସହ ନ୍ୟାୟ ପାଇଁ ଲଢିବାକୁ ଚେଷ୍ଟା କଲା ନାବାଳିକା । କିନ୍ତୁ ନ୍ୟାୟ ନପାଇ ମାନସିକ ଭାରସାମ୍ୟ ହରାଇ ଶେଷର ଆଖି ବୁଜିଦେଲା । କିଛି ଏପରି ଅବସ୍ଥା ଆମ ରାଜ୍ୟରେ ଝିଅ ଓ ମହିଳାଙ୍କର । ମହିଳା ସୁରକ୍ଷା ନାଁରେ ଚାଲିଛି ଫାର୍ସ । ଏପଟେ ଇତିଶ୍ରୀ, ବେବିନା ଭଳି କେତେ ଅଭାଗିନୀ ନ୍ୟାୟ ନପାଇ ଆଖି ବୁଝିଦେଉଥିବା ବେଳେ, ସେପଟେ ଦୁଷ୍କର୍ମକାରୀ ଜାମିନ ପାଇ ବା ସାକ୍ଷ୍ୟ ପ୍ରମାଣ ଅଭାବରେ ଡେଣା ମେଲାଇ ଉଡୁଛନ୍ତି ।

ଦେଢ ବର୍ଷର ଲଢ଼େଇ ପରେ ହାରିଗଲା ନାବାଳିକା । ଇଏ ଏପରି ଏକ କାହାଣୀ ଯାହାକୁ ଶୁଣିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ । ଆପଣଙ୍କ ଆଖିରୁ ଲୁହ ଝରି ପଡ଼ିବ । ଏହି କରୁଣ କାହାଣୀ ହେଉଛି ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅଞ୍ଚଳର । ଗତ ୨୦୧୭ ନଭେମ୍ବର ମାସରେ ଯୁକ୍ତ 2 ବିଜ୍ଞାନ ପଢ଼ୁଥିବା ଜଣେ ନାବାଳିକା ଛାତ୍ରୀ ଗଣଦୁଷ୍କର୍ମର ଅଭିଯୋଗ ଆଣିଥିଲେ । କଲେଜର ଜଣେ ଅଧ୍ୟାପକ ସମେତ ୪ଜଣଙ୍କ ନାଁରେ ଅଭିଯୋଗ କରିଥିଲେ ପୀଡ଼ିତା । ପ୍ରାୟ ଦେଢ଼ ବର୍ଷ ଧରି ନ୍ୟାୟ ପାଇଁ ଲଢ଼େଇ ପରେ ଶେଷରେ ଆଖି ବୁଜିଛନ୍ତି ଦୁଷ୍କର୍ମ ପୀଡ଼ିତା ନାବାଳିକା । ନ୍ୟାୟ ତ ମିଳିଲା ନାହିଁ, ଶେଷରେ ଭୁବନେଶ୍ୱରରେ ପୀଡିତାଙ୍କ ଜୁଇ ଜଳିଲା ।

ଜୁଇ ତ ଜଳିଥିଲା ଇତିଶ୍ରୀର ବି, ବେବିନା ବି ଆଉ କୁନ୍ଦୁଲି ପୀଡିତାର ବି… । କାହାକୁ ମିଳିଲାନି ନ୍ୟାୟ । ଆଉ ଏ ବେ ମାଥିଲି ନାବାଳିକା  । ପୋଲିସର ନିଷ୍କ୍ରିୟତା ଭିତରେ ମୁଖ୍ୟ ଅଭିଯୁକ୍ତ ସମେତ ୩ଜଣ ଆଗୁଆ ଜାମିନ ପାଇବାରେ ସଫଳ ହେଲେ । ସେପଟେ ମାମଲାକୁ ଉଠାଇନେବା ପାଇଁ ପୀଡିତା ଓ ତାଙ୍କ ପରିବାର ଉପରେ ଚାପ ପଡିଥିଲା । ଏନେଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ମଧ୍ୟ ହୋଇଥିଲେ ପୀଡ଼ିତାଙ୍କ ପରିବାର । ହାଇକୋର୍ଟ ମାମଲାକୁ ବିଚାର କରିବା ସହିତ ଘଟଣାର ପୁଣିଥରେ ତଦନ୍ତ ଏବଂ ପୀଡିତାକୁ ସୁରକ୍ଷା ଦେବା ପାଇଁ ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ମଧ୍ୟ ମାମଲାକୁ ଆଗକୁ ନେଇନଥିଲା ପୋଲିସ ।

ସେପଟେ ମାନସିକ ଚାପରେ ଆସି ନାବାଳିକା ପୀଡ଼ିତା ଦୁଇଥର ଆତ୍ମହତ୍ୟା ଉଦ୍ୟମ କରିଥିଲେ । ପରେ ତାଙ୍କୁ ଭୁବନେଶ୍ୱର ପଠାଇ ଦେଇଥିଲେ ପରିବାର ଲୋକ । ଭୁବନେଶ୍ୱରରେ ଆଇଏଏସ କୋଚିଂ ନେବା ସହ ଯୁକ୍ତ ୩ରେ ନାମ ଲେଖାଇବା ଯୋଜନା କରିଥିଲେ । ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଏବଂ ପ୍ରଧାନମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ପର୍ଯ୍ୟନ୍ତ ସବୁ ସ୍ଥାନରେ ଗୁହାରି କରିଥିଲେ ବି ନ୍ୟାୟ ମିଳିନଥିଲା । ଏହାପରେ ମାନସିକ ଭାରସ୍ୟାମ ହରାଇ ବସିଥିଲେ ପୀଡ଼ିତା । ଏପ୍ରିଲ ୧୩ ତାରିଖରେ ଭୁବନେଶ୍ୱରରେ ଜଣେ ସଂପର୍କୀୟାଙ୍କ ଘରେ ପୁଣି ଥରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ ସେ । ଗୁରୁତର ଅବସ୍ଥାରେ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତି କରାଯାଇ ଚିକିତ୍ସା କରାଯାଉଥିଲା । ହେଲେ ଶେଷରେ ଆଖି ବୁଜିଦେଲେ ନାବାଳିକା ।

କେବେ ଏ ସମାଜରେ ବେବିନାମାନଙ୍କୁ ନ୍ୟାୟ ମିଳିବ ? କେବେ ଅଭିଯୁକ୍ତକୁ ପାପର ଦଣ୍ଡ ମିଳିବ ? କେବେ ମାଆ-ଭଉଣୀମାନେ ନିଜକୁ ସୁରକ୍ଷିତ ମଣିବେ ? ଏ ପ୍ରଶ୍ନର ଉତ୍ତର ଅପେକ୍ଷାରେ ଆମେ, ଆପଣମାନେ ଏବଂ ସେହି ଅଭାଗିନୀମାନଙ୍କ ଆତ୍ମା ମଧ୍ୟ…

 

Click to comment

Leave a Reply

Your email address will not be published. Required fields are marked *

Most Popular

To Top