ନ୍ୟୁଜ୍

ଦୁର୍ନୀତୀର ପେଡ଼ି ସମବାୟ ସମିତି, ଚାଷୀଙ୍କ ଅଜାଣତରେ ଉଠୁଛି ଋଣ ! ସରକାର ଚୁପ୍‌…

Samabaya GHOTALA

ଅର୍ଗସ ବ୍ୟୁରୋ: ଦୁର୍ନୀତିରେ ପୋତି ହେଲେଣି ରାଜ୍ୟ ସରକାର । ପୂର୍ବରୂ ଭତ୍ତା, ଆବାସ, ଗହମ, କିରୋସିନ୍‌, ଧାନ, ଡାଲି ଆଦିରେ ଦୁର୍ନୀତି ହେଉଥିବା ଅଭିଯୋଗ ହୋଇସାରିଛି । ଏମିତିକି ମୃତ ବ୍ୟକ୍ତିଙ୍କ ନାଁରେ ଭତ୍ତା ଟଙ୍କା, ଆବାସ ବଣ୍ଟନ, କଣ୍ଟ୍ରୋଲ ସାମଗ୍ରୀ ମଧ୍ୟ ଦିଆଯାଉଥିବା ଅଭିଯୋଗ ହୋଇଛି । ବିଭିନ୍ନ ସ୍ଥାନରେ ଏହାର ପ୍ରମାଣ ମିଳିବା ପରେ ଏଥିରେ ରୋକ୍‌ ଲଗାଯାଇଥିବା ଜଣାପଡ଼ିଛି । ଏବେ କିନ୍ତୁ ବାରମ୍ବାର ଏକ ନୂଆ ଅଭିଯୋଗ ଆସୁଛି, ଚାଷୀଙ୍କ ନାଁରେ ବ୍ୟାଙ୍କରୁ ଋଣ ଉଠାଯାଉଛି ହେଲେ ଚାଷୀ ଜାଣୁ ନାହାନ୍ତି ! ଏଭଳି ମହାଦୁର୍ନୀତିର ଅଭିଯୋଗ ବାରମ୍ବାର ଆସୁଥିଲେ ମଧ୍ୟ ରାଜ୍ୟ ସରକାର ଏହାକୁ ଆଡ଼ ଆଖିରେ ବି ଚାହୁ ନାହାନ୍ତି । ଅନେକ ସମୟରେ ସମବାୟ ସମିତିରେ ମହାଘୋଟାଲାର ଅଭିଯୋଗ ହେଉଥିଲେ ମଧ୍ୟ ସରକାର କାହିଁକି ଚୁପ୍‌ ବସୁଛନ୍ତି ତାହା ଏବେ ପ୍ରଶ୍ନବାଚୀ ।

ତେବେ ଏଭଳି ସାଂଘାତିକ ଅଭିଯୋଗ ଆସିଛି ରାଜକନିକା ଦେଉଳି ସମବାୟ ସମିତିରୁ । ସେଠାରେ 10 କୋଟି ଟଙ୍କାର ମହାଘୋଟାଲା ହୋଇଥିବା ଅଭିଯୋଗ ହୋଇଛି । ଏପରିକି ମୃତକ ଓ ନାବାଳକଙ୍କ ନାଁରେ ବି କୋଟି କୋଟି ଟଙ୍କାର ଋଣ ଉଠାଯାଇଛି । ବରାଡ଼ିଆ ଓ ଅଖୁଲିପଡାର ଦୁଇଟି ପଞ୍ଚାୟତର ଶହ ଶହ କୃଷକଙ୍କ ନାଁରେ କୋଟି କୋଟି ଟଙ୍କାର ଋଣ ଠକେଇ ହୋଇଛି । ଏପରିକି ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ନାଁରେ 52 ହଜାର ଟଙ୍କାର ଋଣ ନେଇଥିବା ଅଭିଯୋଗ ହୋଇଛି । ସାଂଘାତିକ ଘଟଣା ହେଉଛି ଦେଉଳି ଗାଁରେ ବହୁ ନାବାଳକଙ୍କ ନାଁରେ ଋଣ ଉଠା ଯାଇଛି । ରାଜକନିକାରେ ଥିବା ସମବାୟ ବ୍ୟଙ୍କରେ ଘୋଟାଲା ନେଇ ସ୍ଥାନୀୟ ଲୋକେ ଧାରଣାରେ ମଧ୍ୟ ବସିଥିଲେ । ଦୁର୍ନୀତିକୁ ନେଇ ପ୍ରତିବାଦ ପରେ ବ୍ୟାଙ୍କ ଅଧିକାରୀ 7 ଦିନ ମଧ୍ୟରେ ସବୁକିଛି ସମାଧାନ ହୋଇଯିବ କହିଥିଲେ । ହେଲେ ଏଯାଏଁ କୌଣସି ପଦକ୍ଷେପ ନିଆଯାଇ ନଥିବା ଜଣାପଡ଼ିଛି ।

କୋଟି କୋଟି ଟଙ୍କାର କେଳେଙ୍କେରୀରେ ଦେଉଳି ସମବାୟ ସମିତିର ସେକ୍ରେଟେରି ପ୍ରଭାତ ସମୀର ମିଶ୍ରଙ୍କ ସହିତ ସମବାୟ ସମିତି ବ୍ୟାଙ୍କ ମ୍ୟାନେଜର ସଂପୃକ୍ତ ଥିବା ଅଭିଯୋଗ ହୋଇଛି । ଋଣ ଛାଡ଼ କରିବା ସହ ସରକାରୀ ତଦନ୍ତ କରଯାଉ ନହେଲେ ଆଗାମୀ ଦିନରେ ଚାଷୀ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ।

ଖାଲି ସେତିକି ନୁହେଁ କେନ୍ଦ୍ରାପଡା ରାଜକନିକା ଦେଉଳି ସମବାୟ ସମିତିରେ ବି ମୃତଙ୍କ ନାଁରେ କୋଟି କୋଟି ଟଙ୍କାର ଋଣ ନିଆଯାଇଥିବା ଅଭିଯୋଗ ହୋଇଛି । ତେବେ ଏତେ ସବୁ ଅଭିଯୋଗ ପରେ ବି ସରକାର କାହିଁକି ଚୁପ୍‌ ବସିଛନ୍ତି ତାହା ଏବେ ସମସ୍ତଙ୍କ ମନରେ ପ୍ରଶ୍ନ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top