X
Breaking News
ନ୍ୟୁଜ୍

ପ୍ରତାପଙ୍କ ମନ୍ତ୍ରୀପଦକୁ ନେଇ ଏବଂ ସୌମ୍ୟ ମନ୍ତ୍ରିମଣ୍ଡଳରେ ସାମିଲ ନହେବା ନେଇ ଚର୍ଚ୍ଚା

ଭୁବନେଶ୍ୱର: ଓଡ଼ିଶାରେ ନୂଆ ମନ୍ତ୍ରିମଣ୍ଡଳକୁ ସପ୍ତାହେ ପୂରିଲାଣି । ଅନ୍ୟପଟେ ମୋଦି ମନ୍ତ୍ରିମଣ୍ଡଳ ମଧ୍ୟ ଗଠନ ସରିଛି । ଏବେ ଦେଶ ତଥା ରାଜ୍ୟରେ ମନ୍ତ୍ରୀପଦ ପାଇଥିବା  ବ୍ୟକ୍ତି ବିଶେଷଙ୍କୁ ନେଇ ଚର୍ଚ୍ଚା ଲାଗିରହିଛି । ଠିକ ସେହିଭଳି ରାଜ୍ୟରେ ବରିଷ୍ଠ ନେତା ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ କାହିଁନି ନବୀନ ପଟ୍ଟନାୟକ ମନ୍ତ୍ରିମଣ୍ଡଳରେ ସାମିଲ କଲେ ନାହିଁ ତାକୁ ନେଇ ବହୁ ଆରୋପ ପ୍ରତ୍ୟାରୋପ ଚାଲିଛି । ଅନ୍ୟପଟେ ବାଲେଶ୍ୱର ସାଂସଦଙ୍କୁ ମୋଦି ନିଜ ମନ୍ତ୍ରିମଣ୍ଡଳରେ ସାମିଲ କରିବା ପରେ ଦେଶ ତଥା ବିଦେଶରେ ପ୍ରତାପଙ୍କ ସରଳ ଜୀବନଶୈଳୀକୁ ନେଇ ମଧ୍ୟ ଚର୍ଚ୍ଚା ଚାଲିଛି । କେବଳ ସେତିକି ନୁହେଁ ରାଜ୍ୟରେ ବିରୋଧୀମାନେ ଚିରାଚରିତ ଢଙ୍ଗରେ ପ୍ରତାପଙ୍କ ଇତିହାସକୁ ଓଲଟାଇବା ପାଇଁ ଉଦ୍ୟମ ଆରମ୍ଭ କରିଥିବା ରୋକଠୋକ କାର୍ଯ୍ୟକ୍ରମ ମାଧ୍ୟମରେ କହିଛନ୍ତି ବରିଷ୍ଠ ସାମ୍ବାଦିକ ନବୀନ ଦାଶ ।

ଏଥର ନିର୍ବାଚନରେ ଅଧିକ ଭୋଟ ବ୍ୟବଧାନରେ ଜିତିଥିବା ବିଧାୟକ ହେଲେ ସୌମ୍ୟ ପଟ୍ଟନାୟକ । କିନ୍ତୁ ଆଶ୍ଚର୍ଯ୍ୟର କଥା ଜଣେ ବରିଷ୍ଠ ନେତାଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କଲେ ନାହିଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଅବଶ୍ୟ କାହାକୁ ମନ୍ତ୍ରୀ କରିବେ ତାହା ମୁଖ୍ୟମନ୍ତ୍ରୀଙ୍କ ଉପରେ ନିର୍ଭର କରେ । କିନ୍ତୁ ଏଥର ସବୁ ପରମ୍ପରାକୁ ଭଙ୍ଗ କରି ନବୀନ ଗଢିଲେ ମନ୍ତ୍ରିମଣ୍ଡଳ । ବହୁ ନୂଆ ମୁହଁ ଏବଂ ଦଳ ବଦଳ କରି ଆସିଥିବା ନେତାଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରିଛନ୍ତି ନବୀନ । ତୁଷାରକାନ୍ତି ବେହେରା, ନବ ଦାସ, ପଦ୍ମୀନି ଦିଆନ ଭଳି ନେତାଙ୍କୁ ନିଜ ମନ୍ତ୍ରିମଣ୍ଡଳରେ ରଖିଛନ୍ତି ବିଜେଡି ସୁପ୍ରିମୋ ।

ଅନ୍ୟପଟେ ପୂରୁଣା ଫର୍ମୁଲା ଅନୁଯାୟୀ ତୃତୀୟ ମହଲା ଇଶାରା ମାନୁଥିବା ନେତାଙ୍କୁ ବି ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇଛି । ଏହାସହ ଚଳିତ ମନ୍ତ୍ରିମଣ୍ଡଳରେ ଚିଟ୍‌ଫଣ୍ଡ ଦୁର୍ନୀତିରେ ସାମିଲ ନେତାଙ୍କୁ ସାମିଲ କରାଯାଇ ନଥିବା ବେଳେ ଚିଟଫଣ୍ଡ ଦୁର୍ନୀତି ଅଭିଯୋଗ ଥିବା ନୟାଗଡ଼ ବିଧାୟକଙ୍କୁ ମିଳିଛି ମନ୍ତ୍ରୀପଦ । ଦେବି ପ୍ରସାଦ ମିଶ୍ର, ଅତନୁ ସବ୍ୟସାଚ୍ଚି ନାୟକ ଭଳି ନେତାଙ୍କୁ ମନ୍ତ୍ରିମଣ୍ଡଳରୁ ବାଦ ଦେଇ ଅରୁଣ ସାହୁଙ୍କୁ ସାମିଲ କରାଯିବାକୁ ନେଇ ମଧ୍ୟ ସାଧାରଣରେ ଚର୍ଚ୍ଚା ହେଉଛି  । ଅନେକ ନୂଆ ମୁହଁଙ୍କୁ ମନ୍ତ୍ରୀପଦ ମିଳିଥିବା ବେଳେ ସୌମ୍ୟ ପଟ୍ଟନାୟକଙ୍କୁ କାହିଁକି ସାମିଲ କରାଗଲାନି ସେନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଏମିତି ମଧ୍ୟ କୁହାଯାଉଛି ଯେ ମୁଖ୍ୟମନ୍ତ୍ରୀ ଦକ୍ଷ ଲୋକଙ୍କୁ ଚାହୁଁ ନାହାନ୍ତି । ଜଣେ ଦକ୍ଷ ରାଜନେତା ହୋଇଥିବାରୁ ଏବଂ ସମସ୍ୟା ସୃଷ୍ଟି କରିବା ଭୟରେ ସୌମ୍ୟଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଗଲାନି ବୋଲି କୁହାଯାଉଛି ।

ଅନ୍ୟପଟେ ଜଣେ ମନ୍ତ୍ରୀପଦ ପାଇବା ପରେ ବିବାଦ ଉପୁଜିଛି । ସେ ହେଉଛନ୍ତି ପ୍ରତାପ ଷଡ଼ଙ୍ଗୀ । ଜଣେ ସାଧାରଣ ମଣିଷ ମନ୍ତ୍ରୀପଦ ପାଇବାକୁ ନେଇ କେତେକ ସହିପାରୁ ନାହାନ୍ତି । ତେଣୁ ତାଙ୍କ ଅତୀତକୁ ନେଇ ପ୍ରତାପଙ୍କୁ ବଦନାମ କରିବାକୁ ଚେଷ୍ଟା କରାଯାଉଥିବା କୁହାଯାଉଛି । 1998ର ଷ୍ଟେନ୍ସ ମର୍ଡର କେସ୍‌ରେ ପ୍ରତାପ ଷଡ଼ଙ୍ଗୀଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ଆଣି ଘେରୁଛନ୍ତି ବିରୋଧୀ । କିନ୍ତୁ ଏହି ମାମଲା ପାଇଁ ଗଠିତ ହୋଇଥିବା ୱାଦ୍ଧା କମିଶନ ସେତେବେଳେ ବଜରଙ୍ଗଦଳକୁ କ୍ଲିନ୍‌ଚିଟ୍‌ ଦେଇଥିଲେ । ଜଷ୍ଟିସ ୱାଦ୍ଧା କମିଶନଙ୍କ ରିପୋର୍ଟ ନପଢି ଅଯଥାରେ ହୋ ହାଲ୍ଲା କରୁଛନ୍ତି ବିରୋଧୀ । କମିଶନଙ୍କ ରିପୋର୍ଟରେ ଉଲ୍ଲେଖ ନାହିଁ ଯେ ବଜରଙ୍ଗ ଦଳର ସମ୍ପୃକ୍ତି ଅଛି ବୋଲି ।

ଏବେ ଷ୍ଟେନ୍ସ ମର୍ଡର କେସ୍‌ରେ ପ୍ରତାପଙ୍କ ସମ୍ପୃକ୍ତି ଥିବା କହୁଥିବା ଲୋକେ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟାକାଣ୍ଡରେ ନବୀନ ପଟ୍ଟନାୟକଙ୍କୁ କାହିଁକି ଦାୟୀ କରୁନାହାନ୍ତି ବୋଲି ସାଧାରଣରେ ଚର୍ଚ୍ଚା ହେଉଥିବା ରୋକଠୋକ କାର୍ଯ୍ୟକ୍ରମ ମାଧ୍ୟମରେ କହିଛନ୍ତି ବରିଷ୍ଠ ସାମ୍ବାଦିକ ନବୀନ ଦାଶ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top