ନ୍ୟୁଜ୍

ବଢ଼ୁଛି ବିଜେଡି ନେତାଙ୍କ ଦବଙ୍ଗଗିରି ତାଲିକା, ମୁଖିଆ କହୁଛନ୍ତି ନମ୍ର ହୁଅ ! ଦେଖନ୍ତୁ ଭିଡିଓ…

NAVEEN

ଭୁବନେଶ୍ୱର: ଭାଇରାଲ୍‌ ହେଉଛି ଗୋଟିଏ ପରେ ଗୋଟିଏ ବିଜେଡି ନେତାଙ୍କ ଦବଙ୍ଗଗିରି ଭିଡିଓ । ଏହି ଭିଡିଓରେ ଦଳୀୟ ଭୋଟ ପାଇଁ ଜନସାଧାରଣଙ୍କୁ ଧମକାଇବାର ଦୃଶ୍ୟ ଦେଖିବାକୁ ମିଳିଛି । ବିଜେଡି ନେତାଙ୍କ ଏପରି ଆଚରଣ, ଉଚ୍ଚାରଣକୁ ନେଇ ସୃଷ୍ଟି ହେବାରେ ଲାଗିଛି ବଡ଼ ପ୍ରଶ୍ନବାଚୀ । ଜନସାଧାରଣଙ୍କୁ ସମ୍ବିଧାନର ସୂତ୍ରଧାର କୁହାଯାଉଥିବା ବେଳେ ବିଜେଡି ନେତାଙ୍କ ଏଭଳି ଆଚରଣ କେତେ ଦୂର ଠିକ୍‌ ସେନେଇ ପ୍ରଶ୍ନ କଲେଣି ବୁଦ୍ଧିଜୀବୀ ।

ନେତାଙ୍କ ଆଚରଣ ଓ ଉଚ୍ଚାରଣରେ କାହିଁକି ରହୁନି ଶାଳିନତା ? ଜନତାଙ୍କ ସମସ୍ୟାକୁ କାହିଁକି ବୁଝୁ ନାହାନ୍ତି ନେତା ? ଆମେ କହୁଛୁ ଶାସକ ଦଳର କିଛି ଏଭଳି ନେତାଙ୍କ ବିଷୟରେ । ଯାହାଙ୍କ ଆଚରଣ ଓ ଉଚ୍ଚାରଣ ଶୈଳିକୁ ଦେଖିଲେ ଆପଣମାନେ ବି ତାଜୁବ ହୋଇଯିବେ । ଘଡିଏ ଭାବିବେ ଇଏ ସେହି ନେତା ତ, ଯିଏ ଆମମାନଙ୍କ ପାଖକୁ ନିର୍ବାଚନ ବେଳେ ଆସି ଭୋଟ ଭିକ୍ଷା କରିଥିଲେ ।

ପାଞ୍ଚ ପାଞ୍ଚ ଥର ଶାସନ ଗାଦିକୁ ହାତେଇଥିବା ଶାସକ ଦଳର ନେତାମାନେ ଜନତାଙ୍କୁ କିପରି ଦୁର୍ବ୍ୟବହାର କରୁଛନ୍ତି । ବିଜେଡି ନେତାଙ୍କ ଆକ୍ରୋଶରୁ ବାଦ୍‌ ପଡୁ ନାହାନ୍ତି ସାଧାରଣ ଜନତା, ଗଣମାଧ୍ୟମ ପ୍ରତିନିଧି, ସରକାରୀ ଅଧିକାରୀ ଏପରିକି ଖୋଦ୍ ଶାସକ ଦଳର ତଳିଆ କର୍ମୀ । ବିଜେଡିକୁ ଭୋଟ ଦିଅ ନଚେତ ସରକାରୀ ଯୋଜନାରୁ ବଂଚିତ ହେବ ! ଭୋଟ ନାହିଁ ତ କାମ ବି ନାହିଁ ! ଏଭଳି କିଛି ଧମକ ମଧ୍ୟ ଦେବାକୁ ପଛାଉ ନାହାନ୍ତି ଶାସକ ଦଳର ନେତା । ଖାଲି ସେତିକି ନୁହେଁ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବା ପରେ ମଧ୍ୟ ଗଣତନ୍ତ୍ରର ଚତୁର୍ଥସ୍ତମ୍ବ କୁହାଯାଉଥିବା ଗଣମାଧ୍ୟମ ଉପରେ ବି ନାଲିଆଖି ଦେଖାଇ ଖବର ପ୍ରସାରଣକୁ ରୋକିବା ପାଇଁ ଚେଷ୍ଟା କରୁଛନ୍ତି । ସୋମବାର ସାମାଜିକ ଗଣମାଧ୍ୟମରେ ଭାଇରଲା ହୋଇଥିବା ଘୁ.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନଙ୍କ ଏକ ଭିଡିଓ ବିଜେଡି ନେତାଙ୍କୁ ପୁଣି ଅକଳରେ ପକାଇଛି । ଭିଡିଓ ସଂପର୍କରେ ତାଙ୍କଠୁ ପ୍ରତିକ୍ରିୟା ନେବାକୁ ଚାହିଁଥିଲୁ ହେଲେ, ସେ ଆମକୁ ଅତି କଦର୍ଯ୍ୟ ବ୍ୟବହାର କରିବାକୁ ଯାଇ ମନକୁ ଯାହା ଆସିଲା କହିଗଲେ ।

ତେବେ କେବଳ ସାଲୁଗା ପ୍ରଧାନ ନୁହଁନ୍ତି ଶାସକ ଦଳର ଏପରି ଅନେକ ନେତାଙ୍କ ଦୁର୍ବ୍ୟବହାର ଭିଡିଓ ପୂର୍ବରୁ ଭାଇରାଲ ହୋଇଛି । ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ କିପରି ସାଧରଣ ଲୋକଙ୍କୁ ଅନ୍ୟଦଳର ଲୋକ କହି କାମ ନ କରିବାକୁ ଧମକ ଦେଉଥିବା ଭିଡିଓ ମଧ୍ୟ ଭାରରାଲ ହୋଇଥିଲା ।

ସେହିଭଳି କଣ୍ଟାବାଞ୍ଝିର ପୂର୍ବତନ ବିଧାୟକ ଆୟୁବ ଖାନ୍‌ ପଦ୍ମ ଫୁଲକୁ ଭୋଟ ଦେଇଥିବାରୁ ତୁମକୁ ସରକାରୀ ଯୋଜନା ମିଳିବ ନାହିଁ ବୋଲି ଖୋଲା ଖୋଲି ଜଣେ ବୃଦ୍ଧାଙ୍କୁ କହିବା ସହ ମାର ମାର ଦୂର ଦୂର କରିଛନ୍ତି । ସେହି ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଢେର୍‌ ଚର୍ଚ୍ଚା ସୃଷ୍ଟି କରିଥିଲା । ଅନ୍ୟପଟେ ବର୍ତ୍ତମାନର ଗୃହ ରାଷ୍ଟ୍ରମନ୍ତ୍ରୀ ତଥା ଜୁନାଗଡ଼ ବିଧାୟକ କ୍ୟାପେଟନ୍‌ ଦିବ୍ୟଶଙ୍କର ମିଶ୍ର ଜଣେ ଦିବ୍ୟାଙ୍ଗଙ୍କୁ ସାଧାରଣ ସଭାରେ ଦୁର୍ବ୍ୟବହାର କରୁଥିବାର ଭିଡିଓ ବି ଭାଇରାଲ ହୋଇଥିଲା ।

ଏହି ତାଲିକା ଏତିକିରେ ସୀମିତ ନୁହେଁ । ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି, ଚିଲିକାର ବିଧାୟକ ପ୍ରଶାନ୍ତ ଜଗଦେବ, ସୋରର ବିଧାୟକ ପର୍ଶୁରାମ ଧଡ଼ା, ଘଷିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କ ପୁଅର ଗୁଣ୍ଡା ଗର୍ଦ୍ଦି ସହ ଜନତାଙ୍କୁ ଦର୍ବ୍ୟବହାରର ଭିଡିଓ ମଧ୍ୟ ପୂର୍ବରୁ ଭାଇରାଲ ହୋଇଛି । ଏହା ସହ ଦଳର ମୁଖପାତ୍ର ପ୍ରତାପ ଦେବ ଓ ପାଟଣାଗଡ ବିଧାୟକ ସରୋଜ ମେହେରଙ୍କ ଆଚରଣକୁ ନେଇ ମଧ୍ୟ ଅତୀତରେ ସୃଷ୍ଟି ହୋଇଛି ବିରାଟ ପ୍ରଶ୍ନବାଚୀ । ଏମିତିକି ସରୋଜ ମେହେର ନିଜ ଦୁର୍ବ୍ୟବହାର ପାଇଁ ଜେଲ୍‌ ମଧ୍ୟ ଯାଇଥିଲେ ।

ବିଧାୟକମାନଙ୍କୁ ପାଠ ପଢାଇ ମୁଖ୍ୟମନ୍ତ୍ରୀ ସରଳ ଓ ନମ୍ର ହେବାକୁ ପରାମର୍ଶ ଦେଉଛନ୍ତି । ଲୋକପ୍ରତିନିଧିମାନେ ଜନତାଙ୍କ ସେବକ ଭାବେ କାମ କରିବାକୁ ନିର୍ଦେଶ ଦେଉଛନ୍ତି । ମାତ୍ର ବାସ୍ତବରେ ଚିତ୍ର ସଂପୂର୍ଣ୍ଣ ଭିନ୍ନ ଦେଖିବାକୁ ମିଳୁଛି । ବିଜେଡି ନେତାଙ୍କ ଏପରି ଆଚରଣ ଓ ଉଚ୍ଚାରଣ ଗଣତନ୍ତ୍ରର ମୂଲ୍ୟବୋଧ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିବା ସହ ଜନତାଙ୍କ ଲାଗି ନେତାଙ୍କ ଉଦାର ପଣିଆକୁ ପଦାରେ ପକାଇଛି ।

ତେବେ ଦେଖନ୍ତୁ ବିଜେଡି ବିଧାୟକଙ୍କ ଦୁର୍ବ୍ୟବହାରର ଭାଇରାଲ ଭିଡିଓ…

Click to comment

Leave a Reply

Your email address will not be published. Required fields are marked *

Most Popular

To Top