ନ୍ୟୁଜ୍

ସାମ୍ବାଦିକଙ୍କ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ତୁରନ୍ତ ଆଣନ୍ତୁ ଅଧ୍ୟାଦେଶ: ବିଜେପି

bjp Prithivi raj harichandan

ଭୁବନେଶ୍ୱର: ସାମ୍ବାଦିକ ସୁରକ୍ଷା ଆଇନ୍‌ ନେଇ ବିଜେପି ପକ୍ଷରୁ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରାଯାଇଛି । ରାଜ୍ୟରେ ସମ୍ବାଦିକ ସୁରକ୍ଷା ଆଇନ୍‌ ଆଣିବା ଏବେ ନିହାତି ଜରୁରୀ ହୋଇପଡ଼ିଛି ବୋଲି କହିଛନ୍ତି ବିଜେପିର ବରିଷ୍ଠ ନେତା ପୃଥ୍ୱୀରାଜ ହରିଚନ୍ଦନ । ସେ କହିଛନ୍ତି, ଏବେ ରାଜ୍ୟର ବିଭିନ୍ନ ସ୍ଥାନରେ କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ଆକ୍ରମଣ କରାଯାଉଛି । ବାରମ୍ବାର ଏଭଳି ଘଟଣା ଘଟୁଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ଚୁପ୍‌ ବସିଛନ୍ତି । ଏବେ ଶନିବାର ଯେପରି ଭୁବନେଶ୍ୱରସ୍ଥିତ ଏସ୍‌ପ୍ଲାନେଡ୍‌ ସପିଂ ମଲ୍‌ରେ ଏକ କାର୍ଯ୍ୟରତ ମହିଳା ସାମ୍ବାଦିକଙ୍କୁ ଆକ୍ରମଣ କରାଗଲା, ତାହା ଅତ୍ୟନ୍ତ ନିନ୍ଦନୀୟ ଏବଂ ଦୁର୍ଭାଗ୍ୟଜନକ ଘଟଣା । ଓଡ଼ିଶା ଡେଭଲପ୍‌ମେଣ୍ଟ ଆକ୍ଟ ଅନୁଯାୟୀ କୌଣସି କର୍ମସିଆଲ କଂପ୍ଲେକ୍ସରେ ନିଜସ୍ୱ ପାର୍କିଂ ବ୍ୟବସ୍ଥା ନଥିଲେ ବିଲଡିଂ ନିର୍ମାଣ କରିବାର ଅନୁମତି ମିଳେନାହିଁ । ଅନ୍ୟପଟେ ପାର୍କିଂ ଫି ଆଦାୟ ବନ୍ଦ କରିବା ନେଇ ବିଡିଏ ଏକ ନିର୍ଦ୍ଦେଶାନାମା ଜାରି କଲା ପରେ ବି ଏସ୍‌ପ୍ଲାନେଡ୍‌ ପାର୍କିଂ ଫି ଆଦାୟ କରି ଚାଲିଛି । ବେଆଇନ ପାର୍କିଂ ଉପରେ ବିଡିଏ ରୋକ ଲାଗଇବା ସହ ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଶ୍ରୀ ହରିଚନ୍ଦନ ଦାବି କରିଛନ୍ତି ।

ସେହିପରି ମହାରାଷ୍ଟ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫର୍ଣ୍ଣାବିସଙ୍କ କଥା ମଧ୍ୟ କହିଛନ୍ତି ଶ୍ରୀ ହରିଚନ୍ଦନ । ସେ କହିଛନ୍ତି ଫଡ୍‌ନାବିସ୍‌ ତାଙ୍କ ରଜ୍ୟରେ ସାମ୍ବାଦିକ ସୁରକ୍ଷା ଆଇନ ଲାଗୁ କରିସାରିଛନ୍ତି । ତେଣୁ ଆମ ରାଜ୍ୟରେ ମଧ୍ୟ କାର୍ଯ୍ୟରତ ସାମ୍ବାଦିକ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ତୁରନ୍ତ ଏକ ଅଧ୍ୟାଦେଶ ଆଣିବା ସହ ଆଗାମୀ ବିଧାନସଭାରେ ଏହାକୁ ନିୟମରେ ପରିଣତ କରନ୍ତୁ ବୋଲି ଶ୍ରୀ ହରିଚନ୍ଦନ ଦାବି କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top