ନ୍ୟୁଜ୍

ବିରୋଧୀ ମିଥ୍ୟା ପ୍ରଚାର କରି ହିଂସା କରିବାକୁ ପ୍ରୟାସ କରୁଛନ୍ତି: ରାମ ମାଧବ

BJP

ଭୁବନେଶ୍ୱର: ସିଏଏକୁ ନେଇ ଲୋକଙ୍କୁ ସଚେତନ କରିବାକୁ ବିଜେପି ଆରମ୍ଭ କରିଥିବା ଅଭିଯାନରେ ପୁଣି ସମାନ କଥା ଦୋହରାଇଲେ ବରିଷ୍ଠ ନେତା ରାମ ମାଧବ । ସେ ଓଡ଼ିଶାରେ ଏକ ସମ୍ବାଦିକ ସମ୍ମିଳନୀରେ କହିଛନ୍ତି ନାଗରିକ ସଂଶୋଧନ ଆଇନ ହେଉଛି ନାଗରିକତା ଦେବାର ଆଇନ । ଏହା କାହାର ନାଗରିକତା ନେବ ନାହିଁ । ଏହି ସଂଶୋଧନରେ କୌଣସି ବିବାଦ ନାହିଁ କି କାହା ପ୍ରତି କିଛି ବାଛବିଚାର ନାହିଁ । ଏହାକୁ ବିରୋଧୀମାନେ ଜାଣିଶୁଣି ବିବାଦୀୟ କରିବାର ଅପଚେଷ୍ଟା କରୁଛନ୍ତି । ଦେଶରେ ଶାନ୍ତି ଚାହୁଁନଥିବା ବିରୋଧୀ ଦଳମାନେ ଓ ସେମାନଙ୍କର ସମର୍ଥକମାନେ ହିଂସା କରିବା ପାଇଁ ଉସୁକାଉଛନ୍ତି ।

ବିରୋଧିମାନେ ବିନା କାରଣରେ ଏହି ସଂଶୋଧନ ଆଇନକୁ ବିରୋଧ କରିବା ପାଇଁ ବାହାରିଛନ୍ତି । ସେମାନଙ୍କର ଏହି ହୀନ ପ୍ରୟାସ ପାଇଁ ଭାରତ ବିଦେଶରେ ବଦନାମ ହେଉଛି । ଶରଣାର୍ଥୀମାନଙ୍କୁ ନାଗରିକତା ଦେବାରେ ଭାରତର ବିଶ୍ୱରେ ଏକ ସ୍ୱତନ୍ତ୍ର ପରିଚୟ ରହିଛି । ଏହି ସଂଶୋଧନ ଆଇନ ପଡୋଶୀ ଦେଶରେ ଧାର୍ମିକ ଆଧାରରେ ପ୍ରପୀଡିତ ହୋଇ ଜୀବନ ବଂଚାଇବା ପାଇଁ ଭାରତ ଆସି ଶରଣାର୍ଥୀ ଜୀବନ ବିତାଉଥିବା ଲକ୍ଷ ଲକ୍ଷ ଲୋକଙ୍କୁ ନୂଆ ଜୀବନ ଦେଇଛି ।

ଶ୍ରୀ ମାଧବ କହିଛନ୍ତି ଯେ ସାରା ଦେଶରେ ଏବେ ନାଗରିକତା ସଂଶୋଧନ ଆଇନ (ସିଏଏ) ପ୍ରସଙ୍ଗରେ ଆଲୋଚନା ଚାଲିଛି ଏବଂ ଏହି ଆଇନ ସମ୍ପର୍କରେ ଭୁଲ ଧାରଣାର ଶିକାର ଲୋକମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । କିଛି ରାଜନୈତିକ ଦଳ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧୀମାନେ ଏହାକୁ ଏକ ସୁଯୋଗ ବୋଲି ଗ୍ରହଣ କରିନେଇ ପରିସ୍ଥିତିକୁ ଆହୁରି ଉତେଜନା ପୂର୍ଣ୍ଣ କରିଦେଇଛନ୍ତି । ତେଣୁ ଏହି ଆଇନର ବାସ୍ତବତା ସର୍ବସମ୍ମୁଖକୁ ଆଣିବା ଜରୁରୀ ହୋଇପଡିଛି ବୋଲି ଶ୍ରୀ ମାଧବ କହିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଐତିହାସିକ ଦ୍ୱିତୀୟବାର ନିର୍ବାଚନ ବିଜୟ, ତିନି ତଲାକ ବିଲ୍‌, ଅଯୋଧ୍ୟା ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ, ସମ୍ବିଧାନର ଧାରା ୩୭୦ର ଉଚ୍ଛେଦ, ଏସବୁ ଘଟଣାରେ ସମ୍ଭବତଃ ବିରୋଧୀ ଦଳ ମାନେ କିଛି କରିନପାରି ହତୋତ୍ସାହିତ ହୋଇପଡିଛନ୍ତି । ଏବେ ସେମାନେ ପାଣିକୁ ଗୋଳିଆ କରିବାର ଏକ ସୁଯୋଗ ପାଇଥିବା ଭଳି ମନେ କରୁଛନ୍ତି । କିନ୍ତୁ ଭାରତ କେବେ ହେଲେ ଏଭଳି ନୈରାଶ୍ୟବାଦ ଓ ନକାରାତ୍ମକ ରାଜନୀତିକୁ ଗ୍ରହଣ କରିବ ନାହିଁ ବୋଲି ଶ୍ରୀ ମାଧବ କହିଛନ୍ତି ।

ନାଗରିକ ସଂଶୋଧନ ଆଇନ ଆଣି ବିଶ୍ୱ ଦରବାରରେ ପାକିସ୍ତାନରେ ଅଣମୁସଲମାନଙ୍କ ଉପରେ ହେଉଥିବା ଆକ୍ରମଣର କଥା ସାରା ବିଶ୍ୱକୁ କହିବାର ସୁଯୋଗ ଥିଲା । କିନ୍ତୁ ବିରୋଧୀଙ୍କ ଚକ୍ରାନ୍ତ ପାଇଁ ସେ ସୁଯୋଗ ଆମେ ହରାଇଲୁ । ପାକିସ୍ତାନକୁ ସୁହାଇଲା ଭଳି କଥା ବିରୋଧୀମାନେ ଏବେ ଦେଶରେ କରୁଛନ୍ତି । ପାକିସ୍ତାନ ମୁଖା ଖୋଲିଦେଲେ ବିରୋଧୀଙ୍କୁ କାହିଁକି କଷ୍ଟ ଲାଗୁଛି ବୋଲି ରାମ ମାଧବ କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top