ନ୍ୟୁଜ୍

ସ୍ମିତାରାଣୀଙ୍କୁ ନ୍ୟାୟ ଦାବି କରି ଗୃହରେ ଯୋଗ ଦେଲାନି ବିଜେପି, ଆଜି ରାଜ୍ୟପାଳଙ୍କୁ ଭେଟିବ ଦଳ

BJP Meet

ଭୁବନେଶ୍ୱର: ଆଜି ପୁଣି ସ୍ମିତାରାଣୀ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରିଲା ବିଜେପି । ଆଜି ଗୃହରେ ବିଜେପିର ସମସ୍ତ ବିଧାୟକ ଉପସ୍ଥିତ ନ ରହିବା ସହ ଧାରଣାରେ ବସିଛନ୍ତି । ସ୍ମିତାରାଣୀଙ୍କୁ ନ୍ୟାୟ ଦାବି କରି ବ୍ୟାନର ଧରି ବିଧାନସଭା ପରିସର ମଧ୍ୟରେ ଧାରଣା ଦେଇଛି ବିଜେପି ।

ପୁଣି ଥରେ ଏସ୍‌ପି ଚରଣ ସିଂହ ମୀନା ଓ ମହିଳା କମିଶନ ଅଧ୍ୟକ୍ଷା ମୀନତି ବେହେରାଙ୍କ ବାହିଷ୍କାର ଦାବି କରିଛନ୍ତି ବିରୋଧୀ ଦଳ ନେତା ବିଷ୍ଣୁ ସେଠି । ଏହା ସହ ଏହି ଘଟଣାର ସିବିଆଇ ତଦନ୍ତ ମଧ୍ୟ ଦାବି କରିଛନ୍ତି । ସ୍ମିତାରାଣୀ ମୃତ୍ୟୁ ଘଟଣାରେ ଆଜି ସୁଦ୍ଧା ଯେଉଁ ତଦନ୍ତ ହୋଇଛି ତାହା ସମ୍ପୂର୍ଣ୍ଣ ରୂପେ ଏକ ପାଖିଆ ହୋଇଛି ବୋଲି ବିଜେପି ବିଧାୟକମାନେ ଅଭିଯୋଗ କରିଛନ୍ତି ।

ଗତ 4 ଦିନ ଧରି ସ୍ମିତାରାଣୀ ପ୍ରସଙ୍ଗକୁ ନେଇ ବିଧାନସଭା ହୁଲୁସ୍ଥୁଲ ହୋଇଛି । ଏହି ପ୍ରସଙ୍ଗରେ ରାଜ୍ୟ ସରକାର ଆଲୋଚନାରୁ ମୁହଁ ମୋଡ଼ୁଥିବା ବେଳେ ମୁଖ୍ୟ ବିରୋଧୀ ଦଳ ବିଜେପି ନିଜ ଜିଦ୍‌ରେ ଅଟଳ ରହିଛି ।

ପ୍ରଥମେ ସ୍ମିତାରାଣୀ ମୃତ୍ୟୁ ଘଟଣାରେ ସିବିଆଇ ତଦନ୍ତ ଦାବି କରି ଗୃହରେ ହୋ-ହଲ୍ଲା କରିବା ପରେ, କାନ୍ଧରେ କଳା ଗାମୁଛା ଓ ମୁହଁରେ କଳାପଟି ବାନ୍ଧି ନୀରବ ପ୍ରତିବାଦ ମଧ୍ୟ କରିଥିଲା ବିଜେପି । ତେବେ ବାଚସ୍ପତିଙ୍କ ଅନୁରୋଧ କ୍ରମେ ବିଜେପି ବିଧାୟକମାନେ ମୁହଁରୁ କଳାପଟି କଢ଼ିଥିବା ବେଳେ ଏବେ ସୁଦ୍ଧା କାନ୍ଧରେ କଳା ଗାମୁଛା ପକାଇ ପ୍ରତିବାଦ ଜାରି ରଖିଛନ୍ତି ।

ଖାଲି ସେତିକି ନୁହେଁ ସ୍ମିତାରାଣୀ ପ୍ରସଙ୍ଗ ନେଇ ଆଜି ବିଜେପି ବିଧାୟକ ଦଳ ରାଜ୍ୟପାଳଙ୍କୁ ଭେଟିବାକୁ ଯିବ । ସେଠାରେ ସ୍ମିତାରାଣୀଙ୍କୁ ନ୍ୟାୟ ଦେବା ଉଦ୍ୟେଶ୍ୟରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉ ବୋଲି ଏକ ସ୍ମାରକ ପତ୍ର ପ୍ରଦାନ କରିବ ବିଜେପି । ଏହା ସହ ଏହି ଘଟଣାର ସିବିଆଇ ତଦନ୍ତ କରାଯାଉ ବୋଲି ମଧ୍ୟ ରାଜ୍ୟପାଳଙ୍କୁ ନିବେଦନ କରିବ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top