ନ୍ୟୁଜ୍

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା, ରାଜ୍ୟ ଅର୍ଥ ବିଭାଗର ଚିନ୍ତା ବଢ଼ାଇଲାଣି, ଦେଖନ୍ତୁ ଭିଡିଓ…

Naveen

ଅର୍ଗସ ବ୍ୟୁରୋ: ଋଣଜାଲରେ ଓଡିଶା । ସେପଟେ ମୋ ସରକାର ଯୋଜନା ନାଁରେ ଘୋଷଣା ପରେ ଘୋଷଣା କରିବାରେ ବ୍ୟସ୍ତ ରାଜ୍ୟ ସରକାର । ଆଉ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା, ରାଜ୍ୟ ରାଜକୋଷ ଉପରେ ଭାରି ପଡିଲାଣି । ଅତିରିକ୍ତ ବଜେଟ୍‌ ପାଇଁ ଅର୍ଥ କେଉଁଠୁ ଆସିବା ତାକୁ ନେଇ ଭାଲେଣି ପଡିଲାଣି ।

ଯୋଜନା ମାଳ ମାଳ ରାଜକୋଷ ଦୁର୍ବଳ । ତଥାପି ମୋ ସରକାର କାର୍ଯ୍ୟକ୍ରମ ନାଁରେ ଘୋଷଣା ପରେ ଘୋଷଣା କରି ଚାଲିଛନ୍ତି ମୁଖ୍ୟମନ୍ତ୍ରୀ । ମୋ ସରକାର ଜରିଆରେ ମେଡିକାଲର ଭିତ୍ତିଭୂମି ସଜାଡିବା ଲାଗି ପ୍ରଥମେ 14 ଅକ୍ଟୋବରରେ 120 କୋଟି ଏବଂ ପରେ 16 ଅକ୍ଟୋବରରେ 400 କୋଟି ଆଉ ଏବେ ପୁଣି ରାଜ୍ୟର ସବୁଠୁ ବଡ ମେଡିକାଲ ତଥା ଏସିବି ପାଇଁ 1000 କୋଟି ଟଙ୍କା ଘୋଷଣା କଲେଣି ମୁଖ୍ୟମନ୍ତ୍ରୀ । ଆଉ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଏପରି ଘୋଷଣା ରାଜ୍ୟ ରାଜକୋଷକୁ ଭାରି ପଡିବାରେ ଲାଗିଛି । ଅର୍ଥ ଚିନ୍ତାରେ ଘାରି ହେଉଛି ଅର୍ଥ ବିଭାଗ । 2019-20 ମସିହାର ଅତିରିକ୍ତ ବଜେଟ ପାଇଁ କିଭଳି କେଉଁଠୁ ଟଙ୍କା ଆସିବ ସେ ବିଷୟରେ ବୁଦ୍ଧି ବାଟ ପାଉନାହାନ୍ତି ଅର୍ଥ ସଚିବ ।

ଏ କଥା ଆମେ କହୁନୁ ବରଂ ଅର୍ଥ ବିଭାଗର ଗୋଟିଏ ପରେ ଗୋଟିଏ ଚିଠି ଏ କଥାକୁ ବୟାନ କରୁଛି । ଅର୍ଥ ବିଭାଗ ପୂର୍ବରୁ ବିଭିନ୍ନ ବିଭାଗକୁ ଚିଠି ଲେଖି ସେମାନଙ୍କ ଖର୍ଚ୍ଚ ରାଶୀ କମାଇବା ଲାଗି ପରାମର୍ଶ ଦେଇଥିଲେ । ଏହା ସହ ଯେଉଁ ବିଭାଗ ସେପ୍ଚେମ୍ବର ମାସ ସୁଦ୍ଧା 40 ପ୍ରତିଶତ ଅର୍ଥ ଖର୍ଚ୍ଚ କରିପାରି ନାହାନ୍ତି, ସେମାନଙ୍କୁ ଅତିରିକ୍ତ ବଜେଟରେ କୌଣସି ଅର୍ଥ ମିଳିବ ନାହିଁ ସଫା ସଫା ଶୁଣାଇ ଦେଇଥିଲା ଅର୍ଥ ବିଭାଗ । ମାତ୍ର ଏହାର କିଛି ଦିନ ପରେ ଅର୍ଥ ବିଭାଗ ପୁଣି ଏକ ଚିଠି ଲେଖି ଅତିରିକ୍ତ ବଜେଟ୍‌ ପାଇଁ ଅର୍ଥ ନିଅଣ୍ଟ ହେଉଥିବାରୁ ସରକାର ଖୋଲା ବଜାରରୁ 500 କୋଟି ଟଙ୍କାର ଋଣ ଉଠାଇବାକୁ ଯୋଜନା କରୁଥିବା ଦର୍ଶାଇଥିଲେ । ବର୍ତ୍ତମାନ ଅର୍ଥ ବିଭାଗ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ବୋଝ ଉପରେ ନଳିତା ବିଡା ସାଜିଛି, ଯାହାକୁ ନେଇ ମନ୍ତ୍ରୀ ପରିଷଦ ବୈଠକରେ ସରକାର ସମାଧାନର ବାଟ ଖୋଜିବେ ବୋଲି ଚର୍ଚ୍ଚା ହେଉଛି । ତେବେ ଏପରି ସ୍ଥଳେ ରାଜ୍ୟର ଆର୍ଥିକ ସଙ୍କଟ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଦାୟୀ କରିଛନ୍ତି ବିରୋଧୀ । ଘୋଷଣା ନାଁରେ ଫାର୍ସ ଚାଲିଥିବା ଅଭିଯୋଗ ଆଣିଛନ୍ତି ଉଭୟ ବିଜେପି ଓ କଂଗ୍ରେସ ।

ସେପଟେ ବର୍ତ୍ତମାନସୁଦ୍ଧା ରାଜ୍ୟ ସରକାର 1 ଲକ୍ଷ 6 ହଜାର କୋଟି ଟଙ୍କା ବିଭିନ୍ନ କ୍ଷେତ୍ରରୁ ଋଣ କରିଛନ୍ତି । ପୂର୍ବ ବର୍ଷ ଏହା 92 ହଜାର କୋଟିରେ ସୀମିତ ରହିଥିଲା । ତେବେ ରାଜ୍ୟ ସରକାରଙ୍କ ଏହି ଋଣର ପରିମାଣ ମୁଣ୍ଡପିଚ୍ଛା 25 ହଜାର ଟଙ୍କା ହେଲାଣି ।

ସେହିଭଳି ଗୋଟିଏ ପଟେ ରାଜ୍ୟର ଋଣ ଭାର ବଢି ଚାଲିଥିବା ବେଳେ ଅନ୍ୟପଟେ ଆଶାତୀତ ଭାବେ ବୃଦ୍ଧି ପାଉନାହିଁ ରାଜ୍ୟର ରାଜସ୍ୱ ପରିମାଣ । ଗତ ବର୍ଷ ରାଜ୍ୟର ରାଜସ୍ୱ 38 ହଜାର କୋଟି ଟଙ୍କା ରହିଥିଲା । ଚଳିତ ବର୍ଷ ଏଥିରେ କିଛି ମାତ୍ରାରେ ବୃଦ୍ଧି ଘଟି 45 ହଜାର କୋଟି ଟଙ୍କାକୁ ଛୁଇଁଛି । ଖାଲି ସେତିକି ନୁହେଁ ରାଜ୍ୟର ନିଜସ୍ବ ଯୋଜନାର ପରିମାଣ ବି ଧିରେ ଧରେ କମିବାରେ ଲାଗିଛି । 2016-17ରେ ଏହା 4 ହଜାର 230 କୋଟି ଟଙ୍କା ଥିବା ବେଳେ 2017-18 ବର୍ଷରେ କମି 3 ହଜାର 283 କୋଟି ଟଙ୍କାରେ ପହଂଚିଛି । ମାତ୍ର ଏପରି ସ୍ଥିତିରେ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ଯୁକ୍ତି ଟଙ୍କା କେଉଁଠୁ ଆସିବ ତାହା ବିଜେଟ ସମୟରେ ଜାଣିପାରିବେ ।

ସାଧାରଣ ନିର୍ବାଚନ ପୂର୍ବରୁ ମଧ୍ୟ ଏମିତି ଅନେକ ଯୋଜନା ବିନା ବ୍ୟୟବରାଦରେ ଘୋଷଣା କରିଥିଲେ ସରକାର । ବିଶେଷ କରି କାଳିଆ, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଓ ମିଶନ ଶକ୍ତି ଭଳି ଯୋଜନାରେ ଲୋଭନୀୟ ସ୍କିମ ଘୋଷଣା କରି ଜରୁରୀ କାଳିନ ପାଣ୍ଠିକୁ ବି ଖର୍ଚ୍ଚ କରିବାକୁ ପଛାଇ ନଥିଲେ ସରକାର ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top